ଏଭଳି ଅନେକ ହିନ୍ଦୀ ଚଳଚ୍ଚିତ୍ର ଅଛି, ଯେଉଁଥିରେ ନାୟକ ଓ ନାୟିକାଙ୍କ ମଧ୍ୟରେ ଅତି ଅନ୍ତରଙ୍ଗ ଦୃଶ୍ୟ ଦେଖିବାକୁ ମିଳିଛି । ଏଭଳି ଦୃଶ୍ୟରେ ଅଭିନୟ କରିଥିବା ନାୟକ ଓ ନାୟିକାଙ୍କ ତାଲିକା ବି ବେଶ୍‌ ଲମ୍ବା । ତେବେ ବିବାହ ପରେ ସାଧାରଣତଃ ଅଭିନେତ୍ରୀମାନେ ଅତି ଅନ୍ତରଙ୍ଗ, ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବା ପାଇଁ ରାଜି ହୁଅନ୍ତି ନାହିଁ । ଅର୍ଥାତ୍‌ ବିବାହ ପରେ ଏହି ଅଭିନେତ୍ରୀମାନେ ସୀମା ଭିତରେ ରହିବାକୁ ପସନ୍ଦ କରନ୍ତି । କିନ୍ତୁ ବେଶ୍‌ କେତେ ଜଣ ଅଭିନେତ୍ରୀ ଅଛନ୍ତି, ଯେଉଁମାନେ ବିବାହ କରିଥିବା ସତ୍ତ୍ଵେ ସିନେମାରେ ଅତି ଅନ୍ତରଙ୍ଗ ଦୃଶ୍ୟରେ ନଜର ଆସିଛନ୍ତି । ବିବାହ-ବନ୍ଧନର ସୀମାରେଖା ଭିତରେ ସୀମାବଦ୍ଧ ନ ହୋଇ ନିଜ କାମକୁ ନିଷ୍ଠାର ସହ ତୁଲାଇଥିବା ଏହି ଅଭିନେତ୍ରୀମାନଙ୍କ ସମ୍ବନ୍ଧରେ ଜାଣିବା । 

କରୀନା କପୁର 

ବଲିଉଡର ପ୍ରତିଷ୍ଠିତ ଅଭିନେତ୍ରୀ କରୀନା କପୁରଙ୍କଠାରୁ ଆଲୋଚନା ଆରମ୍ଭ କରିବା । ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହେବା ପରେ ବି କରୀନା ସିନେ ଜଗତରେ ବେଶ୍‌ ସକ୍ରିୟ ଅଛନ୍ତି । ବିବାହିତା ହୋଇ ସୁଦ୍ଧା କରୀନା ଫିଲ୍ମ ‘କି ଆଣ୍ଡ୍‌ କା’ରେ ଅର୍ଜୁନ କପୁରଙ୍କ ସହ ଅତି ଅନ୍ତରଙ୍ଗ ଦୃଶ୍ୟରେ ଦେଖିବାକୁ ମିଳିଛନ୍ତି । ଏ ଫିଲ୍ମରେ ଅର୍ଜୁନ ଓ କରୀନାଙ୍କ କେମିଷ୍ଟ୍ରିକୁ ନେଇ ଢେର୍‌ ଚର୍ଚ୍ଚା ହୋଇଥିଲା । ଏହି ଫିଲ୍ମକୁ ଆପଣ ଚାହିଁଲେ ଓଟିଟି ପ୍ଲାଟଫର୍ମ ପ୍ରାଇମ୍‌ ଭିଡିଓରେ ଦେଖିପାରିବେ । 

ଦୀପିକା ପାଦୁକୋନ 

ଦୀପିକା ବର୍ତ୍ତମାନ ସମୟରେ ବଲିଉଡର ଅନ୍ୟତମ ନାମୀ ଓ ଦାମୀ ନାୟିକା । ଦୀପିକା ଅଭିନୟ କରିଥିବା ସଫଳ ସିନେମାର ତାଲିକା ବେଶ୍‌ ଲମ୍ବା । ‘ଓମ୍‌ ଶାନ୍ତି ଓମ୍‌’, ‘ଲଭ୍‌ ଆଜ କଲ୍‌’, ‘ହାଉସ୍‌ଫୁଲ୍‌’, ‘ରେସ୍‌ ୨’, ‘ୟେ ଜୱାନୀ ହେ ଦିୱାନୀ’, ‘ଚେନ୍ନଇ ଏକ୍ସପ୍ରେସ୍‌’, ‘ଗୋଲିଓଁ କି ରାସଲୀଲା ରାମ୍‌ଲୀଲା’, ‘ହାପି ନ୍ୟୁ ଇୟର’, ‘ପିକୁ’, ‘ପଦ୍ମାବତ୍‌’ ଓ ଆହୁରି ଅନେକ । ୨୦୧୮ରେ ଦୀପିକା ଅଭିନେତା ରଣବୀର ସିଂହଙ୍କୁ ବିବାହ କରିଥିଲେ । ଏହା ସତ୍ତେ୍ୱ ୨୦୨୧ରେ ଫିଲ୍ମ ‘ଗହରାଇୟାଁ’ରେ ସେ ସିଦ୍ଧାନ୍ତ ଚତୁର୍ବେଦୀଙ୍କ ସହିତ ଏକାଧିକ ଉତ୍ତେଜକ ଦୃଶ୍ୟରେ ଅଭିନୟ କରିବାକୁ ପଛଘୁଞ୍ଚା ଦେଇନଥିଲେ । ଏହି ସିନେମାରେ ସିଦ୍ଧାନ୍ତ ଓ ଦୀପିକାଙ୍କ ବୋଲ୍ଡ ସିନ୍‌କୁ ନେଇ ଖୁବ୍‌ ଚର୍ଚ୍ଚା ଚାଲିଥିଲା । ଏମ୍‌ଏଏକ୍ସ ପ୍ଲେୟରରେ ଆପଣ ‘ଗହରାଇୟାଁ’ ଫିଲ୍ମଟିକୁ ଦେଖିପାରିବେ । 

ଐଶ୍ୱର୍ଯ୍ୟା ରାୟ ବଚ୍ଚନ

ଅକ୍ଟୋବର ୨୮, ୨୦୧୬ରେ ପ୍ରେକ୍ଷାଳୟକୁ ଆସିଥିବା ହିନ୍ଦୀ ଚଳଚ୍ଚିତ୍ର ‘ଏ ଦିଲ୍‌ ହେ ମୁସ୍କିଲ୍‌’ ଦେଖିଛନ୍ତି? ଫିଲ୍ମର ମୁଖ୍ୟ ଚରିତ୍ରରେ ଅଭିନୟ କରିଥିଲେ ରଣବୀର କପୁର ଓ ଐଶ୍ୱର୍ଯ୍ୟା ରାୟ ବଚ୍ଚନ । ଐଶ୍ୱର୍ଯ୍ୟା ରଣବୀରଙ୍କଠାରୁ ବୟସରେ ବଡ଼ ଓ ଅଭିନୟରେ ବରିଷ୍ଠ ହୋଇଥିଲେ ହେଁ ଏ ଫିଲ୍ମରେ ରଣବୀରଙ୍କ ସହ ବେଶ୍‌ କେତୋଟି ଅତି ଅନ୍ତରଙ୍ଗ ଦୃଶ୍ୟରେ ଅଭିନୟ କରି ଖୁବ୍‌ ଚର୍ଚ୍ଚାକୁ ଆସିଥିଲେ । ଐଶ୍ୱର୍ଯ୍ୟା ୨୦୦୭ରେ ଅଭିନେତା ଅଭିଷେକ ବଚ୍ଚନଙ୍କୁ ଜୀବନସାଥୀ ଭାବେ ବାଛି ନେଇଥିଲେ । ବଚ୍ଚନ ପରିବାରର ବଧୂ ହୋଇଥିବା ସତ୍ତେ୍ୱ ଐଶ୍ୱର୍ଯ୍ୟା ରଣବୀର କପୁରଙ୍କ ସହ ପର୍ଦ୍ଦାରେ ଅତି ଉତ୍ତେଜକ ଦୃଶ୍ୟ ଦେବାକୁ କୁଣ୍ଠା କରିନଥିଲେ । ଏସବୁ ଅନ୍ତରଙ୍ଗ ଦୃଶ୍ୟଭରା ‘ଏ ଦିଲ୍‌ ହେ ମୁସ୍କିଲ୍‌’ ଫିଲ୍ମ ଦେଖିବାକୁ ଚାହୁଁଛନ୍ତି? ଓଟିଟି ପ୍ଲାଟଫର୍ମ ନେଟ୍‌ଫ୍ଲିକ୍ସରେ ଉପଲବ୍ଧ ଅଛି ଏ ସିନେମା । 

କାଜଲ

ଶାହରୁଖ ଖାନ ଓ କାଜଲଙ୍କ ଯୋଡ଼ି ବେଶ୍‌ ଲୋକପ୍ରିୟ । ତେବେ ଫିଲ୍ମ ‘ଫନା’ରେ ମିଷ୍ଟର ପର୍‌ଫେକ୍ସନିଷ୍ଟ ଆମୀର ଖାନଙ୍କ ସହ କାଜଲଙ୍କ ଅନ୍‌ସ୍କ୍ରିନ୍‌ କେମିଷ୍ଟ୍ରିକୁ ନେଇ ମଧ୍ୟ କମ୍‌ ଚର୍ଚ୍ଚା ହୋଇନଥିଲା । ଏ ଫିଲ୍ମରେ ଆମୀର ଓ କାଜଲଙ୍କ ରୋମାଣ୍ଟିକ୍‌ ସିନ୍‌କୁ ବହୁତ ପସନ୍ଦ କରିଥିଲେ ସିନେପ୍ରେମୀ । ଅଭିନେତା ଅଜୟ ଦେବଗନଙ୍କ ପତ୍ନୀ କାଜଲ ‘ଫନା’ରେ ଆମୀରଙ୍କ ସହ ଏକାଧିକ ରୋମାଣ୍ଟିକ୍‌ ଦୃଶ୍ୟରେ ନଜର ଆସିଥିଲେ । ଫିଲ୍ମର ବକ୍ସ ଅଫିସ୍‌ ଫଳାଫଳ ଯାହା ହେଉନା କାହିଁକି, ଆମୀର ଓ କାଜଲଙ୍କ ଇଣ୍ଟିମେଟ୍‌ ଦୃଶ୍ୟ ଢେର୍‌ ଦିନ ଯାଏଁ ଥିଲା ଚର୍ଚ୍ଚାରେ । ପ୍ରାଇମ୍‌ ଭିଡିଓ ଓଟିଟିରେ ଆପଣ ‘ଫନା’ ଦେଖିପାରନ୍ତି । 

ପ୍ରିୟଙ୍କା ଚୋପ୍ରା

ଗ୍ଲୋବାଲ୍‌ ଆକ୍ଟ୍ରେସ୍‌ ପ୍ରିୟଙ୍କା ଚୋପ୍ରା । ହିନ୍ଦୀ ଫିଲ୍ମରେ ସେ ଯେତିକି ଲୋକପ୍ରିୟ, ହଲିଉଡ୍‌ରେ ବି ସେତିକି । ନିଜର ବୋଲ୍ଡ ଅନ୍ଦାଜ୍‌ ଓ ପାୱାରଫୁଲ୍‌ ପର୍ଫମାନ୍ସ ପାଇଁ ସିନେପ୍ରେମୀଙ୍କ ନିକଟରେ ବେଶ୍‌ ଜଣାଶୁଣା ସେ । ହଲିଉଡ ସେଲିବ୍ରିଟି ନିକ୍‌ ଜୋନାସଙ୍କୁ ବିବାହ କରିଛନ୍ତି ଦେଶୀ ଗର୍ଲ ପ୍ରିୟଙ୍କା । ହଲିଉଡ ଫିଲ୍ମ ‘କ୍ୱାଣ୍ଟିକୋ’ରେ ପ୍ରିୟଙ୍କା ଜବରଦସ୍ତ ଇଣ୍ଟିମେଟ୍‌ ସିନ୍‌ ଦେଇଛନ୍ତି । ପ୍ରିୟଙ୍କା ଅଭିନୟ କରିଥିବା ଏହି ସବୁ ଦୃଶ୍ୟ ସମ୍ବଳିତ ‘କ୍ୱାଣ୍ଟିକୋ’ ଦେଖିବାକୁ ଇଚ୍ଛା କରୁଛନ୍ତି? ତା’ହେଲେ ନେଟଫ୍ଲିକ୍ସରେ ଉପଲବ୍ଧ ଅଛି ଏ ହଲିଉଡ ସିନେମା । 

ରାଧିକା ଆପ୍ଟେ

ରାଧିକା ଆପ୍ଟେଙ୍କ ସମ୍ପର୍କରେ ଆଲୋଚନା ନ କଲେ ଏ ଆଲେଖ୍ୟ ଅଧୁରା ରହିଯିବ । ରାଧିକା ସାଧାରଣତଃ ଚିରାଚରିତ ଫିଲ୍ମ ଅପେକ୍ଷା ଟିକେ ଭିନ୍ନ ଧରଣର ଫିଲ୍ମରେ ଅଭିନୟ ପାଇଁ ଆଗ୍ରହୀ । ତାଙ୍କ ଅଭିନୀତ ଫିଲ୍ମ ତାଲିକା ଦେଖିଲେ ଆପଣ ଏ କଥାର ସତ୍ୟତା ବୁଝିପାରିବେ । ‘ପାଚର୍ଡ’ ଫିଲ୍ମ ଦେଖିଛନ୍ତି? ଏଥିରେ ରାଧିକା ଏତେ ଅନ୍ତରଙ୍ଗ ଦୃଶ୍ୟ ଦେଇଛନ୍ତି ଯେ, ଫିଲ୍ମ ରିଲିଜରେ ପ୍ରତିବନ୍ଧକ ଲାଗିଯାଇଥିଲା । ରାଧିକା ଏ ଫିଲ୍ମରେ ବଳିଷ୍ଠ ଅଭିନୟ କରି ଦର୍ଶକଙ୍କ ଦୃଷ୍ଟି ଆକର୍ଷଣ କରିପାରିଥିଲେ । ଆପଣ ଚାହିଁଲେ ଏ ଫିଲ୍ମଟିକୁ ପ୍ରାଇମ୍‌ ଭିଡିଓରେ ଦେଖିପାରିବେ ।