ମଧ୍ୟପ୍ରଦେଶ ୧୨/୦୪: ମଧ୍ୟପ୍ରଦେଶର ବୁରହାନପୁର ଜିଲ୍ଲାର ବୋରସାର ଗାଁ ନିଜକୁ ‘ଗାଳି-ମୁକ୍ତ’ ଘୋଷଣା କରିଛି । ଅପଶବ୍ଦରେ ଗାଳିଗୁଲଜ ପାଇଁ ଏହା କଠୋର ଦଣ୍ଡବିଧାନ କରିଛି । ନିୟମ ଅନୁସାରେ, ବୋରସାର ଗାଁର ବାସିନ୍ଦା ଯଦି ଆପତ୍ତିଜନକ କିମ୍ବା ଅପମାନଜନକ ଶବ୍ଦ ପ୍ରୟୋଗ କରି ଧରାପଡ଼ନ୍ତି, ତେବେ ୫୦୦ ଟଙ୍କା ତଣ୍ଡ ଗଣିବେ କିମ୍ବା ୧ ଘଣ୍ଟା ସାମୁଦାୟିକ ସେବା ଯଥା- ଗାଁ ରାସ୍ତା ସଫେଇ ଭଳି କାର୍ଯ୍ୟ କରିବେ । ଗ୍ରାମବାସୀ ଦୈନନ୍ଦିନ ଜୀବନରେ ଆପତ୍ତିଜ ନକ ଶବ୍ଦ ମୁହଁରେ ନ ଧରିବାକୁ ସଂଗଠିତ ଭାବେ ପ୍ରତିଶ୍ରୁତିବଦ୍ଧ ହୋଇଛନ୍ତି । ସାମୁଦାୟିକ ସହମତି କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି ।

ଏହି ପ୍ରୟାସର ନେତୃତ୍ୱ ନେଇଛନ୍ତି ଅଶ୍ୱିନ ପାଟିଲ । ମୁମ୍ବାଇରେ ପ୍ରାୟ ୨୦ ବର୍ଷ ରହିବା ପରେ ସେ ଗତ କିଛି ମାସ ପୂର୍ବେ ବୋରସାର ଗାଁକୁ ଫେରିଥିଲେ । ଗାଁରେ ସେ ଲକ୍ଷ୍ୟ କଲେ, ଅପମାନଜନକ ଭାଷା ବ୍ୟବହାର ଯୋଗୁ ଛୋଟ ଛୋଟ କଥା ବଡ଼ ଧରଣର ଲଢ଼େଇରେ ରୂପାନ୍ତରିତ ହେଉଛି । ଏହାର ମୁକାବିଲା ଲାଗି ଆର୍ଥିକ ତଣ୍ଡ ଓ ସାମୁଦାୟିକ ସେବା ଜରିଆରେ ଗାଁକୁ ଗାଳି-ମୁକ୍ତ କରିବାକୁ ସେ ପ୍ରସ୍ତାବ ଦେଲେ । ତାଙ୍କ ବିଚାରକୁ ସରପଞ୍ଚ ଓ ଉପ-ସରପଞ୍ଚ ସମର୍ଥନ କଲେ । ଏହା ପରେ ଗାଁରେ ‘ସଂସ୍କାର କ୍ରାନ୍ତି’ ଅଭିଯାନ ଆରମ୍ଭ ହେଲା । ପ୍ରଥମେ ସେମାନେ ପଞ୍ଚାୟତ ସହ ଆଲୋଚନା କଲେ । ତା’ପରେ ଗାଁ ଲୋକଙ୍କ ସହ କଥା ହୋଇ ସଂଗଠିତ ଭାବେ ପଦକ୍ଷେପ ନେଲେ । ଗାଳି-ମୁକ୍ତ ଗାଁ ବ୍ୟାନର୍ ସହିତ ପଞ୍ଚାୟତର ସ୍ୱାକ୍ଷରଯୁକ୍ତ ଏକ ଚିଠି ସମସ୍ତ ଗ୍ରାମବାସୀଙ୍କୁ ଦିଆଗଲା । ବୈଠକରେ ନୂଆ ନିୟମ ଓ ଦଣ୍ଡ ବିଷୟରେ ବର୍ଣ୍ଣନା କରାଗଲା । ବ୍ୟବହାରିକ ଆଚରଣ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରାଗଲା ଏବଂ ଏହାକୁ ପାଳନ କରିବାକୁ ସମସ୍ତେ ରାଜି ହେଲେ ।

ନିୟମ ଅନୁପାଳନ ଓ ନିୟମ ଉଲ୍ଲଂଘନରେ ଦଣ୍ଡବିଧାନ ଲାଗି ପ୍ରତ୍ୟେକ ୱାର୍ଡରେ ଯାଞ୍ଚ କମିଟି ଗଠିତ ହୋଇଛି । ଏହି ପ୍ରୟାସର ପ୍ରଭାବ ଦେଖିବାକୁ ମିଳୁଛି ବୋଲି ଗ୍ରାମବାସୀ କହିଛନ୍ତି । ଗାଁରେ ଗାଳିଗୁଲଜ ଖୁବ୍ କମିଛି, ଖାସ୍କରି ଦୈନନ୍ଦିନ ବାର୍ତ୍ତାଳାପରେ ଅପମାନଜନକ ଶବ୍ଦ ବ୍ୟବହାର କରୁଥିବା ଯୁବପିଢ଼ିଙ୍କ ମଧ୍ୟରେ । ଜଣେ ଗ୍ରାମବାସୀ କହିଛନ୍ତି, ଗାଁରେ ଯଦି କେହି କାହାର ମା’-ଭଉଣୀଙ୍କୁ ଗାଳି କରେ, ତେବେ ତାକୁ ୫୦୦ ଟଙ୍କା ତଣ୍ଡ ଗଣିବାକୁ ପଡ଼ିବ ଅଥବା ଘଣ୍ଟାଏ ଗାଁ ସଫା କରିବାକୁ ପଡ଼ିବ ।

ଆହୁରି ପଢ଼ନ୍ତୁ...ଦୁର୍ଗମ ଅଞ୍ଚଳକୁ ଡ୍ରୋନ୍ ଦ୍ୱାରା ପଠାଯିବ ଔଷଧ , ଏହି ରାଜ୍ୟ ସରକାର ଆରମ୍ଭ କଲେ ସ୍ୱତନ୍ତ୍ର ପ୍ରୟାସ