ନୂଆଦିଲ୍ଲୀ: ଭାରତୀୟ ଜେଲରେ ଦୀର୍ଘ ୧୬ ବର୍ଷ କାଟିବା ପରେ ଜଣେ ପାକିସ୍ତାନି ନାଗରିକଙ୍କୁ ଶେଷରେ ଘରକୁ ଫେରିବାକୁ ଅନୁମତି ମିଳିଛି। ଏହି ପାକିସ୍ତାନ ନାଗରିକଙ୍କ ନାଁ ମହମ୍ମଦ ମସରୁଫ ହୋଇଥିବା ବେଳେ ଭାରତ ସୀମାରେ ଅବାଧ ପ୍ରବେଶ ପାଇଁ ତାଙ୍କୁ ୨୦୦୮ରେ ଗିରଫ କରାଯାଇଥିଲା। 

ସୂଚନା ମୁତାବକ, ମସରୁଫଙ୍କୁ ୨୦୦୮ ମସିହାରେ ଉତ୍ତରପ୍ରଦେଶର ବହରାଇଚ ଅଞ୍ଚଳର ଭାରତ-ନେପାଳ ସୀମା ନିକଟରୁ ଗିରଫ କରାଯାଇଥିଲା। ସେ ବିନା ପାସପୋର୍ଟ ଓ ଭିସାରେ ଭାରତ ସୀମାକୁ ଅନୁପ୍ରବେଶ କରୁଥିବାରୁ ତାଙ୍କୁ ଗିରଫ କରାଯାଇଥିଲା। ପରେ ଏହି ମାମଲାର ବିଚାର କରି ଆହ୍ଲାବାଦ ହାଇକୋର୍ଟ ତାଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହ ତାଙ୍କ ବିରୁଦ୍ଧରେ ଦଣ୍ଡ ଶୁଣେଇଥିଲେ।

ବର୍ତ୍ତମାନ ମସରୁଫଙ୍କୁ ୫୦ ବର୍ଷ ବୟସ ହୋଇଥିବା ବେଳେ ସେ ଆସନ୍ତା ଫେବୃୟାରି ୭ ତାରିଖ ଦିନ ଗୋରଖପୁର ଜେଲରୁ ମୁକୁଳିବାକୁ ଯାଉଛନ୍ତି ବୋଲି ଆଧିକାରିକ ସ୍ତରରୁ ସୂଚନା ମିଳିଛି। ହାଜତରେ ଦୀର୍ଘ ୧୬ ବର୍ଷ କାଟିବା ପରେ ମସରୁଫଙ୍କୁ ମୁକୁଳାଇବାକୁ ନିଷ୍ପତ୍ତି ନିଆଯାଇଛି। ଏନେଇ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ଆଧିକାରିକ ସ୍ତରରେ ଏକ ଅର୍ଡର ଜାରି କରିଛନ୍ତି। 

ମସରୁଫଙ୍କୁ ପ୍ରଥମେ ଦିଲ୍ଲୀ ପଠାଯିବ ଓ ତାପରେ ତାଙ୍କୁ ଅଟ୍ଟାରି ବୋର୍ଡରରେ ପାକିସ୍ତାନି ଅଧିକାରୀଙ୍କୁ ହସ୍ତାନ୍ତର କରାଯିବ। ଏଥିପାଇଁ କେନ୍ଦ୍ର ଗୃହ ମନ୍ତ୍ରଣାଳୟ ପକ୍ଷରୁ ନୋ ଅବ୍ଜେକ୍ସନ ସାର୍ଟିଫିକେଟ(ଏନଓସି) ଜାରି କରାଯାଇଛି ବୋଲି ଗୋରଖପୁର ରାଜ୍ୟ କାରାଗାରର ସୁପରିଟେଡେଣ୍ଟ ଏକେ ଖୁସୱା କହିଛନ୍ତି। 

ଜେଲରଙ୍କ କହିବାନୁସାରେ, ମସରୁଫ୍ ଜେଲରେ ଥିବା ସମୟରେ ଭଲ ଆଚରଣ ପ୍ରଦର୍ଶନ କରିଛନ୍ତି। ସେ ମୁକ୍ତ ହେଉଛନ୍ତି ବୋଲି ଜାଣିବା ପରେ ବହୁତ ଖୁସି ହୋଇଥିଲେ ଓ ପାକିସ୍ତାନରେ ଥିବା ତାଙ୍କ ପରିବାରକୁ ଭେଟିବାକୁ ଖୁବ ଆଗ୍ରହୀ ଅଛନ୍ତି ବୋଲି ସେ କହିଛନ୍ତି।