ଝାଡ଼ଖଣ୍ଡ, ୧୭/୦୨: ମହାରାଷ୍ଟ୍ର ବିଡ୍ ଜିଲ୍ଲା ସୌନ୍ଦଲା ଗାଁ ଏବେ ଆନୁଷ୍ଠାନିକ ଭାବେ ଜାତିମୁକ୍ତ ଘୋଷିତ ହୋଇଛି । ସେଠାରେ ସ୍କୁଲରେ ନାମଲେଖା ସମୟରେ ପିଲାମାନେ ଆଉ ଜାତିକୁ ଦର୍ଶାଉଥିବା ସାଙ୍ଗିଆର ଉଲ୍ଲେଖ କରିବେ ନାହିଁ । ତା’ ବଦଳରେ ନିଜ ପିତାଙ୍କ ନାମ କିମ୍ବା ‘ଭାରତୀୟ’ ଶବ୍ଦ ଲେଖିପାରିବେ । ଜାତି ନୁହେଁ, ମଣିଷପଣିଆ ହିଁ ଜଣେ ବ୍ୟକ୍ତିଙ୍କର ଅସଲ ପରିଚୟ ବୋଲି ନୂଆପିଢ଼ିକୁ ଆରମ୍ଭରୁ ଶିଖାଇବା ଏହି ପଦକ୍ଷେପ ପଛର ଉଦ୍ଦେଶ୍ୟ ।

ଗାଁକୁ ଜାତିମୁକ୍ତ ଘୋଷିତ କରିବାକୁ ଫେବ୍ରୁଆରୀ ୫ରେ ସୌନ୍ଦଲାରେ ଏକ ସ୍ୱତନ୍ତ୍ର ଗ୍ରାମସଭା ଡକାଯାଇଥିଲା । ସରପଞ୍ଚ ଶରଦ ବାବୁରାଓ ଅରଗଡେ ସେଥିରେ ଅଧ୍ୟକ୍ଷତା କରିଥିଲେ । ବୈଠକରେ ଗ୍ରାମବାସୀ କୌଣସି ସରକାରୀ କିମ୍ବା ସାମାଜିକ କାର୍ଯ୍ୟକ୍ରମରେ ଜାତିର ଉଲ୍ଲେଖ ହେବନାହିଁ ବୋଲି ସ୍ଥିର କରିଥିଲେ । ସେ ଅନୁସାରେ ଆଗକୁ ସେଠାରେ ସାମାଜିକ ଉତ୍ସବ ଏବଂ ଧାର୍ମିକ ସମାରୋହରେ ଭିନ୍ନ ଭିନ୍ନ ଜାତିର ଲୋକଙ୍କ ଖାଇବା ଲାଗି ଅଲଗା ବ୍ୟବସ୍ଥା କରାଯିବ ନାହିଁ । ଏହା ବଦଳରେ ପଙ୍ଗତ ପରମ୍ପରା ପାଳନ କରାଯିବ । ମନ୍ଦିର, କୂଅ ଏବଂ ଅନ୍ୟ ସାର୍ବଜନିକ ସ୍ଥାନରେ କୌଣସି ବିଶେଷ ଜାତିର ଦବ୍ଦବା ରହିବ ନାହିଁ । ଗ୍ରାମବାସୀ ସମାନ ଭାବେ ଏହାକୁ ବ୍ୟବହାର କରିପାରିବେ ।

ସୌନ୍ଦଲାର ଉଚ୍ଚଶିକ୍ଷିତ ଯୁବଗୋଷ୍ଠୀଙ୍କ ଉଦ୍ୟମ ଯୋଗୁ ଏହି ମହତ୍ ପଦକ୍ଷେପ ନିଆଯାଇପାରିଛି । ସେମାନେ ଲକ୍ଷ୍ୟ କରିଥିଲେ ଯେ, ନିର୍ବାଚନ, ସାମାଜିକ କିମ୍ବା ଧାର୍ମିକ ଉତ୍ସବରେ ଅଧିକାଂଶ ସମୟରେ ଜାତି କଥା ଉଠିଥାଏ । ଏହା ଲୋକଙ୍କ ମଧ୍ୟରେ ଦୂରତା ସୃଷ୍ଟି କରିଥାଏ । ତେଣୁ ପ୍ରକୃତ ବିକାଶ ଚାହୁଁଥିଲେ ଜାତିପ୍ରଥା ଭଳି ପୁରୁଣା ଶୃଙ୍ଖଳକୁ ଛିଡ଼ାଇବାକୁ ହେବ ବୋଲି ସେମାନେ ଗାଁର ବୟସ୍କ ଲୋକଙ୍କୁ ବୁଝାଇଥିଲେ । ବୟସ୍କମାନେ ଏହି ପ୍ରଗତିଶୀଳ ବିଚାରଧାରାକୁ ଗ୍ରହଣ କରିଥିଲେ । ଯୁବଗୋଷ୍ଠୀଙ୍କ କହିବା କଥା ହେଲା, ସରକାରୀ ଦସ୍ତାବିଜରେ ଜାତିକୁ ପୂରା ଶେଷ କରିବା ସହଜ ହେବନାହିଁ । କିନ୍ତୁ ମାନସିକତାରେ ପରିବର୍ତ୍ତନ ଅଧିକ ଜରୁରି । ଲୋକଙ୍କ ବ୍ୟବହାର ବଦଳିଲେ ଅଧା କାମ ହୋଇଯିବ । ଇତିମଧ୍ୟରେ ବିଡ୍ ଜିଲ୍ଲାପାଳ ଏହାକୁ ‘ବାସ୍ତବ ଗଣତନ୍ତ୍ର’ ବୋଲି ଦର୍ଶାଇଛନ୍ତି ।