ଏ ସପ୍ତାହରେ ଦର୍ଶକଙ୍କୁ ଭରପୂର ମନୋରଞ୍ଜନ ଦେବା ପାଇଁ ଓଟିଟି ପ୍ଲାଟଫର୍ମରେ ରିଲିଜ୍ ହେଉଛି ଏକାଧିକ ସିନେମା ଓ ସିରିଜ୍ । ଏଗୁଡ଼ିକ ମଧ୍ୟରେ କିଛି ଫିଲ୍ମର କାହାଣୀରେ ସିନେପ୍ରେମୀ ନାୟକ- ନାୟିକାଙ୍କ ରୋମାନ୍ସ ଦେଖିବେ ତ ଆଉ କେତୋଟିରେ ଦେଖିବେ ଡାର୍କ କମେଡି । ପୁଣି ସସ୍ପେନ୍ସ ଥ୍ରୀଲର୍ର ମୁଭି ଓ ୱେବ୍ସିରିଜ୍ ସଂଖ୍ୟା ମଧ୍ୟ କିଛି କମ୍ ନୁହେଁ ।
ଅଗଷ୍ଟ ମାସର ଶେଷ ସପ୍ତାହ ଆରମ୍ଭ ହୋଇଗଲାଣି ଓ ଓଟିଟି ପ୍ରେମୀ ମଧ୍ୟ ଜାଣିବାକୁ ଉତ୍ସୁକତା ପ୍ରକାଶ କଲେଣି ଏ ସପ୍ତାହରେ କେଉଁ କେଉଁ ନୂଆ ସିରିଜ୍ ଓ ସିନେମା ମୁକ୍ତିଲାଭ କରୁଛି । କହିରଖୁଛୁ, ଏଥର ପ୍ରାୟ ସମସ୍ତ ଓଟିଟି ପ୍ଲାଟଫର୍ମରେ ଅଗଷ୍ଟ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଭିନ୍ନ ଭିନ୍ନ ସ୍ୱାଦର ଅରିଜିନାଲ୍ କଣ୍ଟେଣ୍ଟରେ ଭରପୂର ଡାର୍କ କମେଡି, ଜବରଦସ୍ତ ଥ୍ରୀଲର୍, ଇମୋସନାଲ୍ ଡ୍ରାମା ଓ ସୁପରହିରୋଙ୍କ କାହାଣୀ ରିଲିଜ ହେଉଛି । ଜାଣନ୍ତୁ କେଉଁ ଓଟିଟି ପ୍ଲାଟଫର୍ମରେ କେଉଁ ସବୁ ସିରିଜ ଓ ସିନେମା ରିଲିଜ ହେଉଛି ଓ ତାରିଖ ଟିପି ରଖନ୍ତୁ ।
ମେଟ୍ରୋ ଇନ୍ ଦିନୋ
ଅନୁରାଗ ବସୁଙ୍କ ଦ୍ୱାରା ନିର୍ଦ୍ଦେଶିତ ରୋମାନ୍ସ ଆନ୍ଥୋଲୋଜି ଫିଲ୍ମ ‘ମେଟ୍ରୋ ଇନ୍ ଦିନୋ’ରେ ରହିଛି ଚାରି ଅଲଗା ଅଲଗା ବୟସ ଗୋଷ୍ଠୀର ଯୋଡ଼ିଙ୍କ କାହାଣୀ । ଏଥିରେ ଆଦିତ୍ୟ ରୟ କପୁର, ସାରା ଅଲ୍ଲୀ ଖାନ, ଅନୁପମ ଖେର, ନୀନା ଗୁପ୍ତା, ଅଲ୍ଲୀ ଫଜଲ, କୋଙ୍କଣା ସେନ୍ ଶର୍ମା, ପଙ୍କଜ ତ୍ରିପାଠୀ ଓ ଫାତିମା ସନା ଶେଖ୍ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଛନ୍ତି । ଏ ଫିଲ୍ମ ବକ୍ସ ଅଫିସ୍ରେ ସେଭଳି ଆଖିଦୃଶିଆ ପ୍ରଦର୍ଶନ କରିପାରିନଥିଲା । ବର୍ତ୍ତମାନ ଏହା ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ୨୯ ତାରିଖରେ ଷ୍ଟ୍ରିମ୍ ହେବାକୁ ଯାଉଛି । ଆପଣ ଚାହିଁଲେ ନେଟଫ୍ଲିକ୍ସରୁ ଏ ଫିଲ୍ମର ମଜା ନେଇପାରିବେ ।
ମାଇଁ ଡେଡ୍ ଫ୍ରେଣ୍ଡ ଜୋ
‘ମାଇଁ ଡେଡ୍ ଫ୍ରେଣ୍ଡ ଜୋ’ ଏକ ଆମେରିକାନ୍ ଡାର୍କ କମେଡି-ଡ୍ରାମା ଫିଲ୍ମ, ଯାହା ଆଫଗାନ ଯୁଦ୍ଧର ଜଣେ ଅନୁଭବୀ ସୈନିକ ମେରିଟଙ୍କ କାହାଣୀ । ଏହି ସୈନିକ ଜଣକ ପୋଷ୍ଟ ଟମେଟିକ୍ ଷ୍ଟ୍ରେସନ ଡିଜ୍ଅର୍ଡର ଓ ସର୍ଭାଇଭର ଗିଲ୍ଟରେ ପୀଡ଼ିତ । ଏହି ଡାର୍କ କମେଡିଡ୍ରାମାକୁ ଆପଣ ଜିୟୋ ହଟଷ୍ଟାର ଓଟିଟି ପ୍ଲାଟଫର୍ମରେ ଦେଖିପାରିବେ । ୨୮ ତାରିଖରେ ଏହା ଷ୍ଟ୍ରିମିଂ ହେଉଛି ।
ମାଇଁ ଲାଇଫ୍ ୱିଦ୍ ଦ ୱାଲ୍ଟର ବଏଜ୍ : ସିଜନ୍ ୨
‘ମାଇଁ ଲାଇଫ୍ ୱିଦ୍ ଦ ୱାଲ୍ଟର ବଏଜ୍’ର ସିଜନ୍ ୨ ବର୍ତ୍ତମାନ ଦର୍ଶକଙ୍କ ପାଇଁ ପ୍ରସ୍ତୁତ ହୋଇସାରିଛି । ଦ୍ୱିତୀୟ ସିଜନରେ ଜ୍ୟାକି ହାୱାର୍ଡ ନ୍ୟୁୟର୍କରେ ଏକ ସମସ୍ୟା ଉପୁଜିବା ପରେ ସିଲ୍ଭର ଫଲ୍ସ ଫେରନ୍ତି ଓ ଆଶା କରନ୍ତି ଯେ ତାହାଙ୍କୁ ୱାଲଟର ପରିବାର ସହିତ ପୁଣି ଥରେ ନିଜର ଘର ମିଳିଯିବ । ଦଶ ଏପିସୋଡ ବିଶିଷ୍ଟ ଏହି ସିଜନ ହୃଦୟକୁ ଛୁଇଁଦେବା ଭଳି ଟିନ୍ଏଜ୍ ଡ୍ରାମା । ଓଟିଟି ପ୍ଲାଟଫର୍ମ ନେଟଫ୍ଲିକ୍ସରେ ଅଗଷ୍ଟ ୨୮ ତାରିଖରେ ଏହି ସୋ’ ଷ୍ଟ୍ରିମ୍ ହେବାକୁ ଯାଉଛି ।
ସଙ୍ଗ୍ସ ଅଫ୍ ପାରାଡାଇଜ୍
ସବା ଆଜାଦ ‘ସଙ୍ଗ୍ସ ଅଫ୍ ପାରାଡାଇଜ୍’ରେ ମହାନ୍ କାଶ୍ମିରୀ ଗାୟିକା ରାଜ ବେଗମ୍ଙ୍କ ଚରିତ୍ର ନିର୍ବାହ କରିଛନ୍ତି । ଏଥିରେ ସୋନି ରାଜଦାନ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଦେଖିବାକୁ ମିଳିବେ । ଏହି ଫିଲ୍ମ କେବଳ ରାଜ ବେଗମ୍ଙ୍କ ବ୍ୟକ୍ତିଗତ ଯାତ୍ରାକୁ ବଖାଣିବ ନାହିଁ, ବରଂ ସାମାଜିକ ବାଧା, ପ୍ରତିବନ୍ଧକକୁ ଭାଙ୍ଗି ରୁଢ଼ିବାଦୀ ସମାଜ ଦ୍ୱାରା ସ୍ଥାପିତ ରୁଢ଼ିବାଦିତାକୁ ଚ୍ୟାଲେଞ୍ଜ ଦେବା ପାଇଁ ସାହସ ଦେଖାଇଥିବା ମହିଳାଙ୍କ କାହାଣୀ ମଧ୍ୟ ଦେଖାଇବ । ଅଗଷ୍ଟ ୨୯ ତାରିଖରେ ଏହା ପ୍ରାଇମ୍ ଭିଡିଓ ଓଟିଟିରେ ରିଲିଜ ହେବ ।
ଦ ଟର୍ମିନାଲ୍ ଲିଷ୍ଟ : ଡାର୍କ ଉଲ୍ଫ
‘ଦ ଟର୍ମିନାଲ ଲିଷ୍ଟ : ଡାର୍କ ଉଲ୍ଫ’ ଅଗଷ୍ଟ ୨୭ ତାରିଖରେ କେବଳ ପ୍ରାଇମ୍ ଭିଡିଓ ଓଟିଟି ପ୍ଲାଟଫର୍ମରେ ଦର୍ଶକ ଦେଖିପାରିବେ । ଏହାର ପ୍ରଥମ ତିନି ଏପିସୋଡ ପ୍ରିମିୟର ଦିନ ହିଁ ଜାରି କରିଦିଆଯିବ । ପୁଣି ସେପ୍ଟେମ୍ବର ୨୪ରେ, ସିଜନ ଶେଷ ହେବା ପୂର୍ବରୁ ପ୍ରତି ବୁଧବାରରେ ନୂଆ ଏପିସୋଡ ଜାରି କରାଯିବ । ‘ଦ ଟର୍ମିନାଲ ଲିଷ୍ଟ : ଡାର୍କ ଉଲ୍ଫ’ରେ ଟେଲର୍ କିଟ୍ସବ, କ୍ରିସ୍ ପ୍ରେଟ, ଟମ୍ ହାର୍ପର ଓ ସେନା-ଲି ଶିମୋନ ଗୁରୁତ୍ୱପୂର୍ଣ୍ଣ ଚରିତ୍ରରେ ଅଭିନୟ କରିଥିବାବେଳେ ରବର୍ଟ ୱିଜଡମ୍, ଲ୍ୟୁକ୍ ହେମ୍ସବର୍ଥ, ଡାର୍ ସଲିମ, ସିରାଜ ଜାରଫତୀ ଓ ଜେରେଡ ଶ ଅନ୍ୟାନ୍ୟ ଚରିତ୍ରରେ ଦେଖିବାକୁ ମିଳିବେ ।
ଦ ଥର୍ସଡେ ମର୍ଡର କ୍ଲବ
‘ଦ ଥର୍ସଡେ ମର୍ଡର କ୍ଲବ’ ରିଚାର୍ଡ ଓସ୍ମାନଙ୍କ ଉପନ୍ୟାସ ଉପରେ ଆଧାରିତ । ଏହି ସିରିଜରେ କ୍ଲବର ଏଭଳି ଚାରି ସଦସ୍ୟଙ୍କ କାହାଣୀ ଦେଖିବାକୁ ମିଳିବ, ଯେଉଁମାନେ ବର୍ଷ ବର୍ଷ ଧରି କାଳ୍ପନିକ ହତ୍ୟା ଘଟଣାଗୁଡ଼ିକ ବିଷୟରେ ପଢ଼ିବା ଓ ସେଗୁଡ଼ିକର ରହସ୍ୟ ଉନ୍ମୋଚନ କରିବା ପରେ ଜାଣନ୍ତି ଯେ, ସେମାନେ ନିଜେ ଏକ ସତସତିକା ହତ୍ୟା ଘଟଣାରେ ଫସି ସାରିଛନ୍ତି । ନେଟଫ୍ଲିକ୍ସରେ ଅଗଷ୍ଟ ୨୮ରେ ଏହି ସିରିଜ ମୁକ୍ତିଲାଭ କରିବାକୁ ଯାଉଛି ।
ଥଣ୍ଡର୍ବୋଲ୍ଟସ୍
ମାର୍ବଲ ସିନେମାଟିକ୍ ୟୁନିଭର୍ସର ସଦ୍ୟତମ ସଂସ୍କରଣ ‘ଥଣ୍ଡର୍ବୋଲ୍ଟସ୍’ ଥିଏଟରରେ ମୁକ୍ତିଲାଭ ପରେ ବର୍ତ୍ତମାନ ଓଟିଟିରେ ଧମାକା କରିବାକୁ ଯାଉଛି । ଏପ୍ରିଲ ୨୨, ୨୦୨୫ରେ ସିନେମାଘରକୁ ଆସିଥିଲା ଏ ଫିଲ୍ମ । ବକ୍ସ ଅଫିସ୍ରେ ଯଦିଓ ଏ ଫିଲ୍ମ ସେତେଟା ଭଲ ପ୍ରଦର୍ଶନ କରିନଥିଲା ଓ ମାତ୍ର ୩୮୨ ମିଲିୟନ ଡଲାରର ବ୍ୟବସାୟ କରିଥିଲା । ୨୭ ତାରିଖରେ ଏହା ଓଟିଟିରେ ରିଲିଜ ହୋଇଛି । ସିନେପ୍ରେମୀ ଏହାକୁ ହଟ୍ଷ୍ଟାର୍ରେ ଦେଖିପାରିବେ ।