ନୂଆଦିଲ୍ଲୀ, ୨୪/୦୭ : ଲାଲ୍ ଗ୍ରହରେ ଜୀବନ ସତ୍ତା। ମଙ୍ଗଳ ଗ୍ରହ ପରିବେଶରେ ଡୁନାଲିଏଲା ଟେର୍ଟିଓଲେକ୍ଟା ଶୈବାଳ ବିକଶିତ । ବୈଜ୍ଞାନିକଙ୍କୁ ବଡ଼ ଉପଲବ୍ଧି । ବାହ୍ୟ ଗ୍ରହରେ ଆତ୍ମନିର୍ଭରଶୀଳ ବାସସ୍ଥାନ ବିକାଶ ଦିଗରେ ବଡ଼ ସଫଳତା। ଏହି ଅସମ୍ଭବକୁ ସମ୍ଭବ କରି ଦେଖାଇଛନ୍ତି ହାର୍ଭାର୍ଡ ବିଶ୍ଵବିଦ୍ୟାଳୟର ରବିନ୍ ୱାର୍ଡସୱର୍ଥଙ୍କ ନେତୃତ୍ଵରେ ଏକ ଗବେଷକ ଟିମ୍ । ସାଇନ୍ସ୍ ଆଡଭାନ୍ସେସ୍ରେ ପ୍ରକାଶିତ ଏକ ଅଧ୍ୟୟନରୁ ଖୁଲାସା।
ମଙ୍ଗଳ ଗ୍ରହରେ ବସତି ସ୍ଥାପନ ପରେ ପୃଥିବୀରୁ ବାରମ୍ଵାର ସମ୍ବଳ ପଠାଇବା ବ୍ୟୟବହୁଳ। ଏହି ଯୋଗାଣ ପ୍ରକ୍ରିୟା ପରିବର୍ତ୍ତେ ଏକ ସ୍ଵୟଂସମ୍ପୂର୍ଣ୍ଣ ଜୈବିକ ପ୍ରଣାଳୀ ସମ୍ବଳିତ ଆତ୍ମନିର୍ଭରଶୀଳ ବାସସ୍ଥାନ ବିକାଶ ଦିଗରେ ଗବେଷକମାନେ ଏକ ପରୀକ୍ଷଣ କରିଥିଲେ। ଜୈବ ବିଘଟନଶୀଳ ବାୟୋପ୍ଲାଷ୍ଟିକ୍ ଭିତରେ ଏକ ଶୈବାଳକୁ ବିକଶିତ କରାଯାଇଥିଲା। ପୃଥିବୀର ଚାପ ତୁଳନାରେ ପ୍ରାୟ ଏକ ପ୍ରତିଶତ ପୃଷ୍ଠଚାପ ବିଶିଷ୍ଟ ମଙ୍ଗଳ ପରିବେଶରେ ପଲିଲାକ୍ଟିକ୍ ଏସିଡ୍ରେ ତିଆରି ସାମଗ୍ରୀ, କେତେ ଭଲ ଭାବରେ ବାସଯୋଗ୍ୟ ହୋଇପାରିବ ତାହା ଦେଖିବା ପାଇଁ ଏହି ପରୀକ୍ଷଣ କରାଯାଇଥିଲା।
ମଙ୍ଗଳ ଗ୍ରହର ପତଳା ଅଙ୍ଗାରକାମ୍ଳ ସମୃଦ୍ଧ ବାୟୁମଣ୍ଡଳ ସଦୃଶ ଚାମ୍ଵରରେ ଏହି ସବୁଜ ଶୈବାଳ ବଞ୍ଚି ରହିବା ସହ ଆଲୋକ ସଂଶ୍ଳେଷଣ କରିପାରୁଛି। ଏହି ବାୟୋପ୍ଲାଷ୍ଟିକ୍ ଚାମ୍ଵର ଜୈବିକ କାର୍ଯ୍ୟକଳାପ ପାଇଁ ଯଥେଷ୍ଟ ଆଲୋକ ପ୍ରବେଶର ଅନୁମତି ଦେବା ସହିତ ଶୈବାଳକୁ ଅତିବାଇଗଣୀ ରଶ୍ମୀ ବିକିରଣରୁ ରକ୍ଷା କରୁଛି। ମହାକାଶରେ ପୁନଃଚକ୍ରଣ କିମ୍ଵା ପରିବହନ କରିବା କଷ୍ଟକର। ତେଣୁ ପାରମ୍ପରିକ ଶିଳ୍ପ ସାମଗ୍ରୀ ତୁଳନାରେ ବାୟୋପ୍ଲାଷ୍ଟିକ୍ ଅଧିକ ସୁବିଧା ପ୍ରଦାନ କରେ। ପ୍ରାକୃତିକ ଉତ୍ସରୁ ପଲିଲାକ୍ଟିକ୍ ଏସିଡ୍ ମିଳୁଥିବାରୁ ତାହାକୁ ସମ୍ଭାବ୍ୟ ସ୍ଥାନରେ ଶୈବାଳ ବ୍ୟବହାର ପୂର୍ବକ ଉତ୍ପାଦନ କିମ୍ଵା ପୁନଃସୃଷ୍ଟି କରାଯାଇପାରିବ।
ବାୟୋପ୍ଲାଷ୍ଟିକରେ ଗଠିତ ଏକ ବାସସ୍ଥାନ ଭିତରେ ଶୈବାଳ ବୃଦ୍ଧି ହେଉଥିଲେ ସେହି ଶୈବାଳ ଅଧିକ ଜୈବପ୍ଲାଷ୍ଟିକ୍ ଉତ୍ପାଦନ କରିପାରିବ ବୋଲି ୱାର୍ଡସୱର୍ଥ ଉଲ୍ଲେଖ କରିଛନ୍ତି। ତାପଜ ଓ ବାୟୁମଣ୍ଡଳୀୟ ନିୟନ୍ତ୍ରଣ ପାଇଁ ଏରୋଜେଲ୍ ସହିତ ଶୈବାଳ ଆଧାରିତ ବାୟୋପ୍ଲାଷ୍ଟିକ୍ ପ୍ରଣାଳୀଗୁଡ଼ିକୁ ମିଶ୍ରଣ କରି ଗବେଷକମାନେ ଅନ୍ୟ ଗ୍ରହରେ ବାସସ୍ଥାନ ସୃଷ୍ଟି ପାଇଁ ଏକ ସମ୍ଭାବ୍ୟ ଉପାୟ ଦେଖାଇପାରିଛନ୍ତି। ଏହି ସଫଳତା ପୃଥିବୀ ବାହାରେ ଜୀବନ ନିର୍ବାହ ପାଇଁ ଜୈବିକ ପ୍ରକ୍ରିୟାରୁ ପ୍ରାପ୍ତ ସାମଗ୍ରୀ ବ୍ୟବହାରର ସମ୍ଭାବନାକୁ ଦୃଢ କରିଛି।