ନୂଆଦିଲ୍ଲୀ, ୨୫/୦୭ : ୨ ଦିନିଆ ବ୍ରିଟେନ୍ ଗସ୍ତ ସାରି ମାଳଦ୍ଵୀପରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାଳଦ୍ଵୀପର ସ୍ଵାଧୀନତା ଦିବସ କାର୍ଯ୍ୟକ୍ରମରେ ହେବେ ମୁଖ୍ୟ ଅତିଥି। ବିମାନ ବନ୍ଦରରେ ଭବ୍ୟ ସ୍ଵାଗତ। ମାଳଦ୍ଵୀପର ରାଷ୍ଟ୍ରପତି ମୁଇଜ୍ଜୁ ମୋଦିଙ୍କୁ ସ୍ଵାଗତ କରିଛନ୍ତି। ଏହି ଅବସରରେ ମାଳଦ୍ଵୀପର ବୈଦେଶିକ ମନ୍ତ୍ରୀ, ପ୍ରତିରକ୍ଷା ମନ୍ତ୍ରୀ, ଅର୍ଥ ମନ୍ତ୍ରୀ ଏବଂ ଗୃହ ମନ୍ତ୍ରୀ ଉପସ୍ଥିତ ଥିଲେ। ହାତରେ ତ୍ରିରଙ୍ଗା ଧରି ଲୋକମାନେ ମୋଦିଙ୍କ ସ୍ଵାଗତ କରିଛନ୍ତି। ଚାରିଆଡ଼େ ମୋଦିଙ୍କ ପୋଷ୍ଟର ଲଗାଯାଇଛି।
ଭାରତ ଓ ମାଳଦ୍ଵୀପ ମଧ୍ୟରେ ଦୀର୍ଘ ଦିନ ଧରି ତିକ୍ତତା ଲାଗି ରହିଥିଲା। ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମୁଇଜ୍ଜୁଙ୍କ ନିମନ୍ତ୍ରଣ ରକ୍ଷା କରି ମାଳଦ୍ଵୀପରେ ପହଞ୍ଚିଛନ୍ତି। ରଣନୈତିକ ଦୃଷ୍ଟିରୁ ଏହା ଭାରତ ପାଇଁ ବଡ଼ ବିଜୟ ବୋଲି କୁହାଯାଉଛି। ଯାହାକି ଚୀନକୁ କଡ଼ା ବାର୍ତ୍ତା ଦେଉଛି। ରାଷ୍ଟ୍ରପତି ମୁଇଜ୍ଜୁଙ୍କ ବହୁ ଭାରତ ବିରୋଧୀ ନିଷ୍ପତ୍ତି ସତ୍ତ୍ଵେ ମୋଦି ସଂଯମତା ରକ୍ଷା କରି କୁଶଳ ରଣନୀତିର ପରିଚୟ ଦେଇଛନ୍ତି। ଭାରତ ତାର ପଡୋଶୀ ଦେଶ ମାଳଦ୍ଵୀପ ସହ ସମ୍ପର୍କ ବିଗାଡ଼ିବାକୁ ଚାହୁଁନଥିବା ମୋଦି କହିଛନ୍ତି।
މާލެ އާދެވިއްޖެ. އަޅުގަނޑަށް މަރްޙަބާ ކިޔުމަށް ރައީސް މުޢިއްޒު އެއަރޕޯޓަށް ވަޑައިގެންނެވުމުން ވަރަށް އުފާކުރަން. އިންޑިއާ އާއި ދިވެހިރާއްޖޭގެ ގުޅުން ކުރިއަށް އޮތްދުވަސްތަކުގައި އާ އުސްމިންތަކަކަށް އުފުލިގެންދާނެކަން އަޅުގަނޑަށް ޔަޤީން.@MMuizzu pic.twitter.com/JHmGkGrrxV
— Narendra Modi (@narendramodi) July 25, 2025
ଦୁଇ ଦେଶର ତିକ୍ତ ସମ୍ପର୍କକୁ ନେଇ ଚୀନ ଲାଭ ଉଠାଉଥିଲା। ନିବେଶ ଦ୍ଵାରା ମାଳଦ୍ଵୀପରେ ଚୀନ ତା'ର ହସ୍ତକ୍ଷେପ ବୃଦ୍ଧି କରୁଥିଲା। ତେଣୁ ଭୂରାଜନୈତିକ ଦୃଷ୍ଟିରୁ ଭାରତ ମାଳଦ୍ଵୀପ ସହ ତିକ୍ତତା ଚାହୁଁନାହିଁ। କାରଣ ମାଳଦ୍ଵୀପ ଭାରତର ସବୁଠୁ ନିକଟ ସାମୁଦ୍ରିକ ପଡୋଶୀ ଦେଶ। ତେଣୁ ଦୁଇ ଦେଶ ମଧ୍ୟରେ ସମ୍ପର୍କ ସୁଧାରିବାକୁ ଭାରତ ୨୦୨୪ରେ ମାଳଦ୍ଵୀପକୁ ୪୦୦ ମିଲିଅନ ଡଲାର ଆର୍ଥିକ ସହାୟତା ପ୍ରଦାନ କରିଥିଲା। ବହୁ ପ୍ରୋଜେକ୍ଟ ଜରିଆରେ ମାଳଦ୍ଵୀପରେ ଭିତ୍ତିଭୂମିର ବିକାଶ କରିଥିଲା। ୨୦୨୫ ଜାନୁଆରୀରେ ଦୁଇ ଦେଶର ସମ୍ପର୍କକୁ ନେଇ ଦିଲ୍ଲୀ ଏବଂ ମାଲେରେ ବହୁ ଉଚ୍ଚସ୍ତରୀୟ ବୈଠକ ହୋଇଥିଲା।