ନୂଆଦିଲ୍ଲୀ,୦୪/୧୧: ଆମେରିକାରେ ଏକ ମାସରୁ ଅଧିକ ସମୟ ଧରି ସଟଡାଉନ ସ୍ଥିତି ଜାରି ରହିଛି।  ଯାହାର ପ୍ରଭାବ ଏବେ ବିମାନବନ୍ଦରରେ ଦେଖିବାକୁ ମିଳିଛି।  ସ୍ପଷ୍ଟ କର୍ମଚାରୀ ଅଭାବ ଯୋଗୁଁ ବିମାନ ଚଳାଚଳରେ ବିଳମ୍ବ ହେବା ସହ  ସୁରକ୍ଷା ଯାଞ୍ଚ ପାଇଁ  ଲମ୍ବା ଲାଇନ ଦେଖିବାକୁ ମିଳିଛି । ଗତ ସପ୍ତାହନ୍ତରେ ପରିସ୍ଥିତି ଆହୁରି ଖରାପ ହୋଇଥିଲା। କେବଳ ରବିବାର ଦିନ, ସମଗ୍ର ଆମେରିକାରେ ୫ ହଜାରରୁ ଅଧିକ ବିମାନ ବିଳମ୍ବ ହୋଇଥିଲା।

ଯାହାକୁ ନେଇ ସୋମବାର ଦିନ, ହ୍ୱାଇଟ୍ ହାଉସ୍ ଏହି ଘଟଣା ପାଇଁ ଡେମୋକ୍ରାଟିକ୍ ନେତାମାନଙ୍କୁ ଦାୟୀ କରି କହିଛି ଯେ, ସେମାନଙ୍କର ରାଜନୀତି ଜନସାଧାରଣଙ୍କୁ ଅସୁବିଧାର ସମ୍ମୁଖୀନ କରୁଛି। ଏହି ସମୟରେ, ଡେମୋକ୍ରାଟିକ୍ ପାର୍ଟି କହିଛି ଯେ, ସରକାର ଏବଂ ରାଷ୍ଟ୍ରପତି ମିଥ୍ୟା ଅଭିଯୋଗ ଆଣୁଛନ୍ତି।ବନ୍ଦ କେବେ ଶେଷ ହେବ ସେ ବିଷୟରେ କୌଣସି ନିଶ୍ଚିତତା ନଥିବା ବେଳେ ପରିବହନ ବିଭାଗ ସତର୍କ କରାଇଛି ଯେ, ଆହୁରି ଉଡ଼ାଣ ବିଳମ୍ବିତ କିମ୍ବା ବାତିଲ ହୋଇପାରେ। ତେବେ ବିମାନ ଟ୍ରାଫିକ୍ ନିୟନ୍ତ୍ରକମାନଙ୍କୁ ମଧ୍ୟ ବିନା ଦରମାରେ କାମ କରିବାକୁ ପଡୁଛି। ପରିବହନ ସଚିବ ସିଆନ୍ ଡଫି କହିଛନ୍ତି ଯେ, ଏହି କର୍ମଚାରୀମାନଙ୍କ ଉପରେ ଆର୍ଥିକ ବୋଝ ବୃଦ୍ଧି ପାଉଛି, ଏବଂ ଯଦି ପରିସ୍ଥିତି ଏପରି ଜାରି ରହେ, ତେବେ ଅନେକ ଲୋକ ଚାକିରି ଛାଡିବାକୁ ବାଧ୍ୟ ହେବେ। ସେ ଏହା ମଧ୍ୟ ଦର୍ଶାଇଛନ୍ତି ଯେ ଦେଶରେ ପୂର୍ବରୁ ପ୍ରାୟ ୨ ରୁ ୩ ହଜାର ନିୟନ୍ତ୍ରକଙ୍କ ଅଭାବ ରହିଛି।

ଫ୍ଲାଇଟ୍ଆୱେରର ତଥ୍ୟ ଅନୁଯାୟୀ, ସୋମବାର ଅପରାହ୍ନ ସୁଦ୍ଧା ୨୫୩୦ ରୁ ଅଧିକ ବିମାନ ବିଳମ୍ବ ହୋଇଛି ଏବଂ ୬୦ ରୁ ଅଧିକ ବିମାନ ବାତିଲ କରାଯାଇଛି।ପ୍ରମୁଖ ବିମାନବନ୍ଦରଗୁଡ଼ିକ ସବୁଠାରୁ ଅଧିକ ପ୍ରଭାବିତ ହୋଇଥିଲେ। ବିମାନବନ୍ଦରଗୁଡ଼ିକରେ ସୁରକ୍ଷା ଯାଞ୍ଚ ମଧ୍ୟ ବାଧାପ୍ରାପ୍ତ ହୋଇଥିଲା, ଲୋକମାନେ ସୁରକ୍ଷା ଧାଡିରେ ତିନି ଘଣ୍ଟା ପର୍ଯ୍ୟନ୍ତ ଅପେକ୍ଷା କରିଥିଲେ। ଅନ୍ୟପଟେ ଅନେକ ପ୍ରମୁଖ ସହରର ବିମାନବନ୍ଦରଗୁଡ଼ିକରେ ମଧ୍ୟ ସମାନ ଅପେକ୍ଷା ସମୟ ବୃଦ୍ଧି ପାଇଛି। ରିପବ୍ଲିକାନମାନେ ଡେମୋକ୍ରାଟମାନଙ୍କ ଉପରେ ଅବୈଧ ପ୍ରବାସୀମାନଙ୍କ ପାଇଁ ସ୍ୱାସ୍ଥ୍ୟସେବା ଦାବି କରୁଥିବା ଅଭିଯୋଗ କରୁଛନ୍ତି, ଯାହାକୁ ଡେମୋକ୍ରାଟମାନେ ଅସ୍ୱୀକାର କରିଛନ୍ତି। ଡେମୋକ୍ରାଟମାନେ କହିଛନ୍ତି ଯେ , ସେମାନେ କେବଳ ଆମେରିକୀୟ ନାଗରିକଙ୍କ ପାଇଁ ପୂର୍ବରୁ ଥିବା ସ୍ୱାସ୍ଥ୍ୟ ସୁବିଧା ଉପରେ କଟକଣା ପ୍ରତ୍ୟାହାର କରିବାକୁ ଚାହୁଁଛନ୍ତି।