ଖଲ୍ଲିକୋଟ ୨୪/୧୨ : ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମରେ ଜମିବାଡି ବିବାଦ ଆଜି ଉଗ୍ର ରୂପ ନେଇ ତିନି ଭାଇଙ୍କ ପରିବାର ମଧ୍ୟରେ ହଣାହାଣି ହୋଇ ୬ ଜଣ ଗୁରୁତର ଆହତ ହୋଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ, ଖୋଜାପଲ୍ଲୀ ତଳ ସାହି ବାସିନ୍ଦା ଭାଇଗ ସାହୁଙ୍କ ତିନି ପୁଅ ଓ ଗୋଟିଏ ଝିଅ । ତେବେ ବାପା ଭାଇଗ ସାହୁଙ୍କ ମୃତ୍ୟୁ ପରେ ଜମିବାଡ଼ି ଭାଗବଣ୍ଟାକୁ ନେଇ ତିନି ପୁଅଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ବିବାଦ ଲାଗି ରହିଥିଲା । ଗତ କିଛି ମାସ ତଳେ ଗଣ୍ଡଗୋଳ ହୋଇ ଖଲ୍ଲିକୋଟ ଥାନାକୁ ଆସିଥିଲେ ଓ ସେତେବେଳେ ଆଇଆଇସି ଥିବା ନରେଶ କୁମାର ସାହୁ ଆଲୋଚନା କରି ତିନି ଭାଇଙ୍କୁ ବୁଝାସୁଝା କରିଥିଲେ । 

ତେବେ ଆଜି ସନ୍ଧ୍ୟାରେ ଏହି ବିବାଦକୁ ନେଇ ତିନି ଭାଇଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା । କ୍ରମେ ଏହା ଉଗ୍ର ରୂପ ଧାରଣ କରି ତିନି ଭାଇ କବି ସାହୁ, ଅନାଥ ସାହୁ ଓ କୈଳାଶ ସାହୁ ପରସ୍ପରଙ୍କୁ ମାରଣାସ୍ତ୍ର ଦ୍ୱାରା ଆକ୍ରମଣ କରିଥିଲେ । ପରସ୍ପର ପରସ୍ପର ଙ୍କୁ ଖଣ୍ଡା, କାତି ଦ୍ୱାରା ହାଣିବା ଫଳରେ ତିନି ଭାଇଙ୍କ ସମେତ ଭଉଣୀ ଝକ ସାହୁ, କୈଳାଶ ସାହୁଙ୍କ ପତ୍ନୀ ଲକ୍ଷ୍ମୀ ସାହୁ ଓ ଅନାଥ ସାହୁଙ୍କ ଝିଅ ମିନି ରାଉତ ଗୁରୁତର ଆହତ ହୋଇଥିଲେ । ଗୁରୁତର ଆହତ ସମସ୍ତଙ୍କୁ ତୁରନ୍ତ ଖଲ୍ଲିକୋଟ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଚିକିତ୍ସା ପାଇଁ ଅଣାଯାଇଥିଲା। ଏଠାରେ ପ୍ରାଥମିକ ଚିକିତ୍ସା ପରେ ତିନି ଭାଇ କବି ସାହୁ, ଅନାଥ ସାହୁ, କୈଳାଶ ସାହୁ ଓ କୈଳାଶ ସାହୁଙ୍କ ପତ୍ନୀ ଲକ୍ଷ୍ମୀ ସାହୁଙ୍କ ଅବସ୍ଥା ଅଧିକ ଗୁରୁତର ଥିବାରୁ ସେମାନଙ୍କୁ ଅଧିକ ଚିକିତ୍ସା ପାଇଁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା । ଖଲ୍ଲିକୋଟ ପୁଲିସ ଖବର ପାଇ ମେଡିକାଲରେ ପହଞ୍ଚି ଆହତଙ୍କୁ ପଚରାଉଚରା କରିଥିବା ଜଣାପଡ଼ିଛି ।