ରାଇରଙ୍ଗପୁର, ୧୪/୦୮ : ସାର୍ ନାହାଁନ୍ତି, ସିଟ୍ ଫାଙ୍କା। ଡାକ୍ତର ବାବୁଙ୍କୁ ହୋଇନି ବେଳ। ଲମ୍ଵା ଲାଇନ୍ରେ ରୋଗୀ ହନ୍ତସନ୍ତ। ପଦାରେ ପଡ଼ିଲା ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଡାକ୍ତରଙ୍କ ଦାୟିତ୍ଵହୀନତା। ରୋଗୀଙ୍କ ସେବାରେ ଚରମ ଅବହେଳା। ଓପିଡିରେ ସିଟ୍ ଖାଲି। ୬ ଜଣଙ୍କ ଜାଗାରେ ଡ୍ୟୁଟି କରୁଛନ୍ତି ୩ ଜଣ। ବିଭାଗୀୟ ଅଧିକାରୀଙ୍କ ପାଖରେ ବି ଖବର ନାହିଁ।
ସୂଚନାନୁଯାୟୀ, ଗୁରୁବାର ସକାଳେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ଓପିଡି ବାହାରେ ରୋଗୀଙ୍କ ଲମ୍ଵା ଲାଇନ୍ ଲାଗିଥିଲା। ବୁଝୁ ବୁଝୁ ଜଣାପଡ଼ିଲା ୬ ଜଣ ଡାକ୍ତର ଆସିବା ବଦଳରେ ମୋଟ ୩ ଜଣ ଡାକ୍ତର ଡ୍ୟୁଟି କରୁଛନ୍ତି। ବାକି ୩ ଜଣଙ୍କ ସିଟ୍ ଫାଙ୍କା ପଡ଼ିଛି। ସେହିପରି ଚକ୍ଷୁ ବିଭାଗ ଡାକ୍ତରଙ୍କ ମଧ୍ୟ ଦେଖାନାହିଁ। ଏନେଇ ବିଭାଗୀୟ ଅଧିକାରୀଙ୍କ ପାଖରେ ବି ଖବର ନାହିଁ। ତେବେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟକୁ ବାମାନଘାଟି ଉପଖଣ୍ଡର ଛଅଟି ବ୍ଲକ ସମେତ ଝାରଖଣ୍ଡରୁ ମଧ୍ୟ ରୋଗୀ ଆସୁଛନ୍ତି। ରୋଗୀଙ୍କ ଅନୁପାତରେ ଡାକ୍ତର ନଥିବାରୁ ରୋଗୀମାନେ ଲାଇନ୍ରେ ଠିଆ ହେଉଛନ୍ତି। ଦୂର ବାଟରୁ ଆସୁଥିବା ରୋଗୀ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି।