ନୀଳଗିରି,୨୭/୬(ଆ.ପ୍ର): ବାଲେଶ୍ଵର ଜିଲ୍ଲା ତୃତୀୟ ଶ୍ରୀକ୍ଷେତ୍ର ନୀଳଗିରିରେ ରଥଯାତ୍ରା ପାଇଁ ରଥାରୂଢ଼ ହୋଇଛନ୍ତି ତିନିଠାକୁର। ପୁରୀ ରୀତିନୀତି ଅନୁସାରେ ପୂଜାର୍ଚନା ହୋଇଥିଲେ ମଧ୍ୟ ତିନିଦିନ ଧରି ନିଆରା ଢଙ୍ଗରେ ପାଳନ ହୋଇଥାଏ ନୀଳଗିରିର ଏହି ଐତିହାସିକ ରଥଯାତ୍ରା।
ଆଜି ପ୍ରଥମ ଦିନରେ ଚତୁର୍ଦ୍ଧାମୂର୍ତ୍ତି ରୀତିନୀତିରେ ପୂଜାର୍ଚନା ହୋଇଥିଲେ। ସକାଳେ ଦ୍ୱାରଫିଟା ନୀତିପରେ ମଙ୍ଗଳା ଆଳତୀ ହୋଇ ଅବକାଶ, ରୋଷେହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ପରେ ମହାପ୍ରଭୁଙ୍କର ବଲ୍ଲଭ ଓ ସକାଳଧୂପ ନୀତି ପୂଜା ହୋଇଥିଲା। ମହାପ୍ରଭୁ ଭକ୍ତଙ୍କୁ ଦେଖାଦେବା ପାଇଁ ତରବର ଥିବାରୁ ଦରଫୁଟା ଖେଚୁଡ଼ି, ଡାଲମା ଓ ଖଟା ଭୋଗ ହୋଇଥିଲା। ଅପରାହ୍ନ ସାଢେ ୪ଟା ସମୟରେ ରାଜପ୍ରସାଦରୁ ରାଜା ଜୟନ୍ତ ଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ମନ୍ଦିରକୁ ଆସି ପୂଜାର୍ଚ୍ଚନା ଓ ସୁବର୍ଣ୍ଣ ପାତ୍ରରେ ଆଳତୀ କରିଥିଲେ। ପ୍ରଥମେ ସୁଦର୍ଶନ ରଥକୁ ରଥାରୂଢ ହୋଇଥିଲେ।
ଏହାପରେ ରାଜା ଜୟନ୍ତଚନ୍ଦ୍ର ମର୍ଦ୍ଧରାଜ ହରିଚନ୍ଦନ ଛେରା ପହଁରା କରି ବଳଭଦ୍ରଙ୍କୁ ରଥ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ। ପରେ ସୁଭଦ୍ରା ରଥକୁ ଗଲାପରେ ମହାପ୍ରଭୁ ମନ୍ଦିରରୁ ବାହାରିଥିଲେ। ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ବଡ଼ଦାଣ୍ଡ। ମହାପ୍ରଭୁ ରଥାରୂଢ ହେବା ପରେ ମଦନ ମୋହନ, ରାମକୃଷ୍ଣ ରଥକୁ ଯାଇଥିଲେ। ସର୍ବଶେଷରେ ସାରଥୀ ଯିଏ ରଥକୁ ବାଟ କାଢ଼ିନେବ ତାଙ୍କୁ ମଧ୍ୟ ରଥକୁ ପାଛୋଟି ନିଆଯାଇଥିଲା। ଆଜି ଚତୁର୍ଦ୍ଧା ମୂର୍ତ୍ତି ରଥରେ ରାତ୍ରିଯାପନ କରିବା ପରେ ଆସନ୍ତାକାଲି ରଥ ଟଣା ଆରମ୍ଭ ହୋଇ ପୁଣି ଅଧାରାସ୍ତାରେ ରଥ ଅଟକି ରହିବ। ତହିଁ ପରଦିନ ପୁଣି ଗୁଣ୍ଡିଚା ମନ୍ଦିରରେ ରଥ ପହଁଚିବ। ସେହିପରି ନୀଳଗିରି ରଘୁନାଥ ଜୀଉ ମନ୍ଦିର ତରଫରୁ ନିର୍ମିତ ସାନ ରଥକୁ (ଯାହାକୁ ମହିଳା ମାନେ ଟାଣିଥାନ୍ତି) ରଘୁନାଥ ଜୀଉ ମନ୍ଦିରରୁ ତିନି ଠାକୁରଙ୍କୁ ରଥାରୂଢ଼ କରାଯାଇଛି। ଏନଏସି ଅଧକ୍ଷ ମହେନ୍ଦ୍ରନାଥ ବେହେରା ତିନିଠାକୁରଙ୍କୁ ପାଛୋଟି ନେଇଥିଲେ। ସେହିପରି କୁନିକୁନି ପିଲାଙ୍କ ପାଇଁ ନିର୍ମିତ ରଥରେ ମଧ୍ୟ ପହଣ୍ଡି ହୋଇ ମହାପ୍ରଭୁ ବିଜେ କରିଥିଲେ।
ପାଗ ଅନୁକୂଳ ରହିଲେ ଆସନ୍ତାକାଲି ଲକ୍ଷ ଲକ୍ଷ ଭକ୍ତ ସମାଗମ ହେବ ବୋଲି ଆଶା କରାଯାଇଛି। ଆଜିର ପବିତ୍ର ରଥଯାତ୍ରାରେ ବାଲେଶ୍ଵର ସାଂସଦ ପ୍ରତାପ ଷଡ଼ଙ୍ଗୀ, ବିଧାୟକ ସନ୍ତୋଷ ଖଟୁଆ, ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୁର ବିକାଶ, ଡିଆଇଜି ସତ୍ୟଜିତ ନାୟକ, ଉପଜିଲ୍ଲାପାଳ ମଧୁସ୍ମିତା ସାମନ୍ତରାୟ, ଏସଡିପିଓ ପ୍ରମୋଦ ମଲ୍ଲିକ, ବିଡ଼ିଓ ବିକ୍ରମ କିଶୋର ପରିଡା, ତହସିଲଦାର ସୋନମ ଦାସ, ଏନଏସି ନିର୍ବାହୀ ଅଧିକାରୀ ଅଂଶୁମାନ ପରିଡା, ଆଇଆଇସି ଗୋବର୍ଦ୍ଧନ ନାୟକ, ପୁର୍ବତନ ବିଧାୟକ ଚିତ୍ତରଞ୍ଜନ ଷଡ଼ଙ୍ଗୀଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ତିନି ଠାକୁରଙ୍କ ଆଶିଷ କାମନା କରିଥିଲେ। ସେହିପରି ହଜାର ହଜାର ଭକ୍ତ ସମାଗମ ହୋଇଥିବା ବେଳେ ସନ୍ଧ୍ୟାରେ ଭକ୍ତମାନେ ରଥ ଉପରକୁ ପରିବାର ସହ ଯାଇ ଚତୁର୍ଦ୍ଧାମୂର୍ତ୍ତିଙ୍କ ଆଶିଷ କାମନା କରିଛନ୍ତି।