- ଜଣେ ସେବକଙ୍କ ଶାଢ଼ୀ ବନ୍ଧା ଆଦେଶ ପ୍ରତ୍ୟାହାର ପାଇଁ ନୋଟିସ୍

ପୁରୀ,୪/୩ : ଗତ ୨୮ ଫେବୃଆରୀ ତାରିଖରେ ସେବା ପୂଜାରେ ବିଳମ୍ବ, କର୍ତ୍ତବ୍ୟରତ ଅଧିକାରୀଙ୍କ ପ୍ରତି ଦୁର୍ବ୍ୟବହାର ଓ ବିଶୃଂଖଳ ଆଚରଣ ଅଭିଯୋଗରେ ତିନି ଜଣ ସେବାୟତଙ୍କୁ ଶ୍ରୀମନ୍ଦିର ମୁଖ୍ଯ ପ୍ରଶାସକ କୈଫିୟତ୍ ତଲବ କରିଛନ୍ତି । ଶ୍ରୀ ରାମକୃଷ୍ଣ ଖୁଣ୍ଟିଆ, ଅନ୍ୟ ଜଣେ ପାଳିଆ ଖୁଣ୍ଟିଆ ସେବକଙ୍କ ଖଟଣିଆ ଭାବେ ପାଳି ଖଟିଥିବା ସତ୍ତ୍ୱେ, ନିର୍ଦ୍ଦିଷ୍ଟ ନୀତି ସମ୍ପାଦନରେ ଅହେତୁକ ବିଳମ୍ବ କରିବା ସହ କର୍ତ୍ତବ୍ୟରତ କର୍ମଚାରୀ ଓ ଅଧିକାରୀଙ୍କ ସହ ଅଶୋଭନୀୟ ବ୍ୟବହାର କରିଥିବା ଅଭିଯୋଗ ରହିଛି । ସେହିପରି ମାଧବ ଖୁଣ୍ଟିଆ  ଓ ମଧୁସୂଦନ ଖୁଣ୍ଟିଆ  ମଧ୍ୟ ସେବା ସମ୍ପାଦନରେ ବାଧା ସୃଷ୍ଟି କରି ବିଶୃଂଖଳା ପ୍ରଦର୍ଶନ କରିଥିବା ଅଭିଯୋଗ ଆସିଛି।

ଉକ୍ତ ତିନି ଜଣ ସେବକଙ୍କୁ ୭ଦିନ ମଧ୍ୟରେ ନିଜର ଲିଖିତ କୈଫିୟତ୍ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହା ସହ ରାମକୃଷ୍ଣ ଖୁଣ୍ଟିଆଙ୍କ ବିରୋଧରେ ଜାରି ହୋଇଥିବା ଶାଢ଼ୀ ବନ୍ଧା ଆଦେଶ କାହିଁକି ପ୍ରତ୍ୟାହାର କରାଯିବ ନାହିଁ, ସେ ବିଷୟରେ ସନ୍ତୋଷ ଜନକ ଉତ୍ତର ଦେବା ପାଇଁ ମଧ୍ୟ ନୋଟିସ୍ ଜାରି କରାଯାଇଛି । ଚଳିତ ବର୍ଷ ଦୋଳ ପୂର୍ଣ୍ଣିମା ସହ ଅନ୍ୟାନ୍ୟ ପର୍ବପର୍ବାଣୀରେ ଅଧିକାଂଶ ସେବକଙ୍କ ସହଯୋଗ ଓ ସମନ୍ୱୟରେ ସେବା ପୂଜା ଶୃଂଖଳିତ ଭାବେ ସମ୍ପାଦିତ ହୋଇ ଆସୁଥିବାବେଳେ କିଛି ସେବକଙ୍କ ଏପରି ଆଚରଣ ଗ୍ରହଣୀୟ ନୁହେଁ ବୋଲି ମୁଖ୍ୟ ପ୍ରଶାସକ ଡ. ଅରବିନ୍ଦ ପାଢ଼ୀ ଉଲ୍ଲେଖ କରିଛନ୍ତି। ବିଶୃଂଖଳ ଆଚରଣ ପ୍ରତି ଶ୍ରୀମନ୍ଦିର ଆଇନୁଯାୟୀ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ସେ ସଚେତନ କରାଇଛନ୍ତି। ମହାପ୍ରଭୁଙ୍କ ନୀତିକାନ୍ତି ସମ୍ପାଦନରେ ସହଯୋଗ ଓ ସମନ୍ୱୟ ରକ୍ଷା କରୁଥିବା ସମସ୍ତ ସେବକଙ୍କ ପ୍ରତି ସେ କୃତଜ୍ଞତା ଜଣାଇଛନ୍ତି।