ଛତ୍ରପୁର, ୨୬/୦୮ : ଆକାଶରୁ ଖସିଲା ମୃତ୍ୟୁ। ମୁଣ୍ଡରେ ପଡ଼ିଲା ଚଡ଼କ। ବଜ୍ରପାତ ଘଟି ୩ ମହିଳାଙ୍କ ମୃତ୍ୟୁ। ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ଏଭଳି ଅଭାବନୀୟ ଘଟଣା ଘଟିଛି। ମୃତକମାନେ ସରଭିଂପୁର ଗ୍ରାମର କୁନି ଗୌଡ଼, ନିରୁପମା ଗୌଡ଼ ଓ ରାଉଳିବନ୍ଧ ଗାଁର ମିନି ଗୌଡ଼ ବୋଲି ଜଣାପଡ଼ିଛି।
ସୂଚନାନୁଯାୟୀ, ବଜ୍ରପାତ ଘଟି ଛତ୍ରପୁର ଓ ଗଞ୍ଜାମ ବ୍ଲକ ଅଞ୍ଚଳରେ ୩ ମହିଳାଙ୍କ ମୃତ୍ୟୁ ହୋଇଛି। ଛତ୍ରପୁର ବ୍ଲକ ପୋଟଲାମପୁର ପଞ୍ଚାୟତ ସରଭିଂପୁର ଗ୍ରାମ ନିକଟ ଚାଷ ଜମିରେ ଧାନ ତଳି ରୋଇବା ବେଳେ ବଜ୍ରପାତ ଘଟି କୁନି ଗୌଡ଼ (୪୨ ବର୍ଷ) ଓ ନିରୁପମା ଗୌଡ଼ (୩୫ ବର୍ଷ)ଙ୍କର ମୃତ୍ୟୁ ହୋଇଛି। ଦୁହିଁଙ୍କୁ ବିପୁଲିଙ୍ଗି ହସ୍ପିଟାଲରେ ଭର୍ତ୍ତି କରିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି। ଛତ୍ରପୁର ପୁଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଛି। ସେହିପରି ଗଞ୍ଜାମ ବ୍ଲକ ରାଉଳିବନ୍ଧ ଗାଁରେ ଚାଷ ଜମିରେ ବଜ୍ରପାତରେ ମିନି ଗୌଡ଼ (୪୭ ବର୍ଷ)ଙ୍କ ମୃତ୍ୟୁ ଘଟିଛି। ଗଞ୍ଜାମ ଥାନା ପୁଲିସ ଏବଂ ମାଲାଡ଼ ଆରଆଇ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।