- ଛୁଆ ଲାଳନପାଳନ ଜାଣିନଥିବାରୁ ବିପଦରେ ଶାବକ
- ୩ ଶାବକଙ୍କ ମଧ୍ୟରୁ ୨ ମୃତ, ଗୋଟିଏକୁ ଗ୍ରହଣ କରୁନ
ବାରଙ୍ଗ, ୨୮/୧୨: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଘଟିଛି ଏକ ବିରଳ ଘଟଣା । ମାତ୍ର ୩୪ବର୍ଷ ବୟସରେ ମା’ ହୋଇଛି ବାଘୁଣୀ ‘ଜୟଶ୍ରୀ’ । ଯଦିଓ ନନ୍ଦନକାନନ ଇତିହାସରେ ସର୍ବକନିଷ୍ଠ ମା’ବାଘୁଣୀ ଭାବେ ‘ଜୟଶ୍ରୀ’ ରେକର୍ଡ କରିଛି, ତେବେ ଅପ୍ରାପ୍ତବୟସ୍କ ମା’ ହେତୁ ଶାବକମାନଙ୍କ ବଞ୍ଚିବା ଆଶା କ୍ଷୀଣ ରହିଛି । ଶନିବାର ମଧ୍ୟାହ୍ନରୁ ‘ଜୟଶ୍ରୀ’ ଗୋଟିଏ ପରେ ଗୋଟିଏ ଛୁଆ ଜନ୍ମ ଦେଇଚାଲିଛି । ରିପୋର୍ଟ ଲେଖାଯିବା ସୁଦ୍ଧା ୩ଟି ଶାବକ ଜନ୍ମ ଦେଇଥିବା ବେଳେ ସେଥିରୁ ଦୁଇଟି ଶାବକର ମୃତ୍ୟୁ ହୋଇଛି । ଚିନ୍ତାର ବିଷୟ ହେଲା ଜୀବିତ ଶାବକଟିକୁ ‘ଜୟଶ୍ରୀ’ ଗ୍ରହଣ କରିନାହିଁ । ତେଣୁ ଶାବକଟିକୁ ଉଦ୍ଧାର କରି ଶିଶୁଯତ୍ନ ଗୃହକୁ ନେଇ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ଚିକିତ୍ସା କରାଯାଉଛି । ରାତିରେ ଆହୁରି ଶାବକ ଜନ୍ମ ଦେବାର ସମ୍ଭାବନା ରହିଛି । ତେଣୁ ସିସିଟିଭି ମାଧ୍ୟମରେ ତା’ଉପରେ ନଜର ରଖାଯାଇଛି । ଜୀବିତ ଗୋଟିଏ ଶାବକକୁ ମିଶାଇ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ବାଘ ସଂଖ୍ୟା ୨୯କୁ ବୃଦ୍ଧି ପାଇଛି ।
ମାତ୍ର ୩୪ ମାସ ବୟସରେ ସର୍ବକନିଷ୍ଠ ମା’ବାଘୁଣୀ
ଗୋଟିଏ ପଟେ ‘ଜୟଶ୍ରୀ’ ମାତ୍ର ୩୪ମାସ ବୟସରେ ଶାବକ ଜନ୍ମ ଦେବା ନନ୍ଦନକାନନ ଇତିହାସରେ ପ୍ରଥମ ଘଟଣା ହୋଇଥିବାବେଳେ ତା’ ସହିତ ମିଳନ ହୋଇଥିବା ବାଘ ‘ଅମିତ’ ପ୍ରାପ୍ତବୟସ୍କ ହେବା ମଧ୍ୟ ଆଶ୍ଚର୍ଯ୍ୟର କଥା । ସୂଚନା ଅନୁଯାୟୀ, ବାଘୁଣୀମାନେ ୩ ରୁ ୪ ବର୍ଷ ବୟସ ଏବଂ ବାଘମାନେ ୪ରୁ ୫ବର୍ଷ ବୟସରେ ପ୍ରାପ୍ତବୟସ୍କ ହୋଇଥାନ୍ତି। କିନ୍ତୁ ବର୍ତ୍ତମାନ ଉଭୟଙ୍କୁ ସମାନ ୩୪ ମାସ । ଏତେ କମ୍ ବୟସରେ ‘ଜୟଶ୍ରୀ’ ଓ ‘ଅମିତ’ର ମିଳନ ହେବା ଦାୟିତ୍ୱରେ ଥିବା ଅଧିକାରୀଙ୍କ ଅବହେଳାକୁ ପଦାରେ ପକାଇଛି । ଜନ୍ତୁ ବିଭାଗର ଦୁଇ ଜଣ ଏସିଏଫ୍ଙ୍କ ସହିତ ମାଳ ମାଳ ଅଫିସର ଓ କର୍ମଚାରୀ ବାଘମାନଙ୍କ ଦାୟିତ୍ୱରେ ଅଛନ୍ତି । ଉପଯୁକ୍ତ ସମୟରେ ବାଘ ଓ ବାଘୁଣୀଙ୍କ ମିଳନ ପାଇଁ ସୁଯୋଗ ଦେବା କଥା । କିନ୍ତୁ ଏଠାରେ ଗୋଟିଏ ମା’ଠାରୁ ଜନ୍ମ ହୋଇ ‘ଜୟଶ୍ରୀ’ ଓ ‘ଅମିତ’ ଏକତ୍ର ରହୁଥିଲେ । ଜନ୍ମ ହେବା ପରେ ସମୟ କ୍ରମେ ‘ଜୟଶ୍ରୀ’ ଓ ‘ଅମିତ’କୁ ଅଲଗା ରଖିବା କଥା ।
ସୂଚନାଯୋଗ୍ୟ, ବାଘୁଣୀ ‘ଅଙ୍କିତା’ ଓ ବାଘ ‘ନନ୍ଦନ’ ଔରସରୁ ୨୦୨୩ ଫେବ୍ରୁଆରୀ ୧୭ ତାରିଖରେ ୪ଟି ଶାବକ ଜନ୍ମ ହୋଇଥିଲେ । ସେମାନେ ହେଲେ ‘ଜୟଶ୍ରୀ’ ଓ ‘ଅମିତ’ଙ୍କ ସହିତ ଆଉ ଦୁଇ ବାଘୁଣୀ ‘ଶ୍ରୀ’ ଓ ‘ତୃପ୍ତି’ । ସେମାନଙ୍କୁ ୩୧(ଖ) ଖୁଆଡ଼ରେ ୨୦୨୪ ଜାନୁୟାରୀ ୨୦ ତାରିଖରେ ଛଡ଼ାଯାଇଥିଲା । କିଛିଦିନ ତଳେ ‘ଜୟଶ୍ରୀ’ ମା ହେବ ବୋଲି ଜଣାପଡ଼ିଥିଲା । ତେଣୁ ତାକୁ ଅନ୍ୟମାନଙ୍କ ଠାରୁ ଅଲଗା କରି ଏକ ସ୍ୱତନ୍ତ୍ର ଖୁଆଡ଼ରେ୍ ରଖାଯାଇଥିଲା ।