ବାଙ୍ଗିରିପୋଷି,୩/୩(ଆ.ପ୍ର): ବାଙ୍ଗିରିପୋଷି ବନାଞ୍ଝଳ ଅନ୍ତର୍ଗତ ସରାସପୋଷି ଗ୍ରାମ ନିକଟସ୍ଥ ଛକ ଠାରେ ବନ ବିଭାଗ ଦ୍ୱାରା ଚଢାଉ କରାଯାଇ ଏକ କଲରାପତିରିଆ ବାଘ ଚମଡା ଜବତ କରିବା ସହିତ ଜଣକୁ ଗିରଫ କରିଛି।
ଏକ କଲରାପତିରିଆ ବାଘ ଶିକାର କରି ତାର ଚମଡାର ବିକ୍ରୟ ପାଇଁ ଉଦ୍ୟମ କରାଯାଉ ଥିବାର ଖବର ବାଙ୍ଗିରିପୋଷି ବନ ବିଭାଗ ପାଖରେ ପହଂଚିଥିଲା । ଫଳରେ ଶିକାରୀ ଏବଂ ବେପାରୀମାନଙ୍କୁ କାବୁ କରିବା ପାଇଁ ବାଙ୍ଗିରିପୋଷି ବନ ବିଭାଗ ଜାଲ ବିଛାଇ ଥିଲା । ବାରିପଦା ଡିଭିଜନ ଡିଏଫଓଙ୍କ ନିର୍ଦେଶ କ୍ରମେ ବାଙ୍ଗିରିପୋଷି ବନାଞ୍ଝଳ ଅଧିକାରୀ ମହେଶ୍ୱର ସିଂ ସଦଳବଳେ ସରାସପୋଷି ଛକ ଠାରେ ଛକି ରହିଥିଲେ । ବ୍ରାହ୍ମଣଗାଁ ଗ୍ରାମ ପଂଚାୟତର ଚୋରାବନ୍ଧ ଗ୍ରାମର ରାଜୁ ଆଲଦା ବାଘ ଚମଡା ନେଇ ବିକ୍ରି କରିବା ପାଇଁ ଜଗିଥିବା ବେଳେ ବନ କର୍ମଚାରୀ ମାନେ ତାକୁ ମାଡି ବସି ଧରିବାରେ ସଫଳ ହୋଇ ଥିଲେ । ରାଜୁ ପାଖରୁ ୧୨୦ ସେଣ୍ଟିମିଟର ଲମ୍ବା ଓ ୪୦ ସେଣ୍ଟିମିଟର ଓସାର ବିଶିଷ୍ଟ ଏକ କଲରାପତରିଆ ବାଘ ଚମଡା ଜବତ କରି ତାକୁ ଗିରଫ କରିଥିଲେ । କଲରାପତରିଆ ବୟସ ପ୍ରାୟ ୩ ବର୍ଷ ହୋଇଥିବ ବୋଲି ବନାଞ୍ଝଳ ଅଧିକାରୀ ମହେଶ୍ୱର ସିଂ ପ୍ରକାଶ କରିଛନ୍ତି ।
ତେବେ ବିଭିନ୍ନ ସମୟରେ ବାଙ୍ଗିରିପୋଷି ଅଞ୍ଝଳରୁ ହାତୀ ଦାନ୍ତ,ବାଘ ଚମଡା,ବଜ୍ରକାପ୍ତା ଖାଲ,ହରିଣ ମାଂସ,ମୁଲ୍ୟବାନ କାଠ ପ୍ରଭୃତି ବନ ବିଭାଗ ଦ୍ୱାରା ଜବତ ହେବା ସହିତ ଏଥିରେ ସଂପୃକ୍ତ ଥିବା ଅଭିଯୁକ୍ତ ମାନଙ୍କୁ ଗିରଫ କରିବାରେ ସଫଳ ହେଉଥିବା ବେଳେ ବହୁ ସମୟରେ ମୁଖ୍ୟ ଆସାମୀ ମାନେ ଖସି ଯିବାରେ ସଫଳ ହେଉଥିବାର ଦେଖିବାକୁ ମିଳୁଛି ।