ଭୁବନେଶ୍ଵର, ୧୬/୦୪ : ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷାରେ ପୁଅଙ୍କୁ ଟପିଲେ ଝିଅ। ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳ ୫୦୦ ରୁ ୫୦୦ ନମ୍ବର ରଖି ଟପ୍ପର ହୋଇଛନ୍ତି। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁହିଁଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ମୁଖ୍ୟମନ୍ତ୍ରୀ ଲେଖିଛନ୍ତି ଯେ, ଓଡ଼ିଶାର ଦୁଇ ମେଧାବୀ ଛାତ୍ରୀ ଟିନା ରଥ ଏବଂ ଆଲିଶା ବିଶ୍ୱାଳଙ୍କୁ ମୋର ଅଶେଷ ଶୁଭେଚ୍ଛା ଓ ଅଭିନନ୍ଦନ। ଆଜି ଯେତେବେଳେ ଆମେ 'ନାରୀଶକ୍ତି'କୁ ସର୍ବୋଚ୍ଚ ପ୍ରାଥମିକତା ଦେଇ ସେମାନଙ୍କୁ ଆଗକୁ ନେବା ପାଇଁ ସଂକଳ୍ପବଦ୍ଧ, ସେତିକିବେଳେ ଓଡ଼ିଶାର ଝିଅମାନଙ୍କର ଏହି ଅସାଧାରଣ ସଫଳତା ଆମ ପାଇଁ ଅତ୍ୟନ୍ତ ଗୌରବର ବିଷୟ। ଏହି ସଫଳତା ପ୍ରମାଣ କରୁଛି ଯେ ସୁଯୋଗ ମିଳିଲେ ଆମ ଝିଅମାନେ ଆକାଶ ଛୁଇଁପାରିବେ। ଏହା ହିଁ 'ନାରୀଶକ୍ତି ବନ୍ଦନ'ର ପ୍ରକୃତ ପ୍ରତିଫଳନ। ଉଭୟ କୃତୀ ଛାତ୍ରୀଙ୍କ ସମେତ ସମସ୍ତ ଉତ୍ତୀର୍ଣ୍ଣ ବିଦ୍ୟାର୍ଥୀଙ୍କର ଉଜ୍ଜ୍ୱଳ ଭବିଷ୍ୟତ କାମନା କରୁଛି।
କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (#CBSE) ଦ୍ୱାରା ପରିଚାଳିତ ଦଶମ ଶ୍ରେଣୀ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ସମସ୍ତ ଛାତ୍ରଛାତ୍ରୀଙ୍କୁ ମୋର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ।
— Mohan Charan Majhi (@MohanMOdisha) April 15, 2026
ପରୀକ୍ଷା ଫଳାଫଳ ନିର୍ବିଶେଷରେ, ସମସ୍ତେ ଆତ୍ମବିଶ୍ୱାସର ସହ ନୂତନ ଭବିଷ୍ୟତ ଗଠନ ପାଇଁ ଆଗକୁ ବଢ଼ନ୍ତୁ ଓ ଦୃଢ଼ ମନୋବଳ ରଖି ଜୀବନର ପ୍ରତିଟି ଆହ୍ୱାନକୁ…
ଟିନାଙ୍କ ଘର ପୁରୀ ଲୋକନାଥ ରୋଡ୍ ରେ। ସେ ପୁରୀର ମଦର୍ସ ପବ୍ଲିକ ସ୍କୁଲରେ ପାଠ ପଢୁଥିଲେ । ଟିନାଙ୍କ ବାପା ସମୀର ରଥ ଓ ମା’ ରେଣୁପ୍ରଭା ଦାସ ଉଭୟ ପେସାରେ ସଫ୍ଟୱେୟାର ଇଞ୍ଜିନିୟର । ଦିନକୁ ୧୦ ଘଣ୍ଟା ପାଠ ପଢ଼ିବା ସହ ପଢ଼ା ସମୟରେ ଏକାଗ୍ରତା ତାଙ୍କ ସଫଳତାର ମନ୍ତ୍ର ବୋଲି ସେ କହିଛନ୍ତି । ଭବିଷ୍ୟତରେ ଜଣେ କାର୍ଡିଓ ସର୍ଜନ ହେବାକୁ ଟିନା ଲକ୍ଷ୍ୟ ରଖିଛନ୍ତି । ମଦର୍ସ ପବ୍ଲିକ ସ୍କୁଲରେ ସମୁଦାୟ ୬୭ ଜଣ ଛାତ୍ରଛାତ୍ରୀ ଦଶମ ପରୀକ୍ଷା ଦେଇଥିବା ବେଳେ ସମସ୍ତ ଛାତ୍ରଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି। ସେହିପରି ପ୍ରଥମ ସିଫ୍ଟରେ ଛାତ୍ରୀ ଆଲିସା ବିଶ୍ୱାଳ ସର୍ବାଧିକ ୫୦୦ ମାର୍କ ରଖି ସ୍କୁଲ ଟପ୍ପର ହୋଇଛନ୍ତି । ସେ ସୁଦର୍ଶନ ବିଶ୍ୱାଳ ଓ ସୌଦାମିନି ବିଶ୍ୱାଳଙ୍କ ଝିଅ । ଶ୍ରୀ ବିଶ୍ୱାଳ ଆସିଷ୍ଟାଣ୍ଟ ଡ୍ରଗ୍ସ କଣ୍ଟ୍ରୋଲର ଅଛନ୍ତି।
ଆହୁରି ପଢନ୍ତୁ- ପ୍ରକାଶ ପାଇଲା CBSE ଦଶମ ବୋର୍ଡ ପରୀକ୍ଷା ଫଳ : ପୁଅଙ୍କୁ ପଛରେ ପକାଇଲେ ଝିଅ
ବୁଧବାର ସିବିଏସଇ ଦଶମ ଶ୍ରେଣୀ ପରୀକ୍ଷା ଫଳ ପ୍ରକାଶ ପାଇଛି। ଓଡ଼ିଶାକୁ ପଛରେ ପକାଇ ପଶ୍ଚିମବଙ୍ଗ ୧ ନମ୍ବର ସ୍ଥାନରେ ରହିଛି । ଚଳିତବର୍ଷ ଦଶମ ଶ୍ରେଣୀ ପାସ୍ ହାର ଓଡ଼ିଶାର ବଢ଼ିଛି । ଏଥର ମୋଟ୍ ପାସ୍ ହାର ୯୪.୬୭ ପ୍ରତିଶତ ରହିଛି । ଛାତ୍ରଙ୍କ ପାସ୍ ହାର ୯୩.୮% ଥିବା ବେଳେ ଛାତ୍ରୀଙ୍କ ପାସ୍ ହାର ୯୫.୬୯% ହୋଇଛି । ଭୁବନେଶ୍ୱର ରିଜିଅନ୍ର ସରକାରୀ ଅନୁଦାନପ୍ରାପ୍ତ ସ୍କୁଲର ପାସ୍ ହାର ୬୨.୫%, ସରକାରୀ ସ୍କୁଲର ପାସ୍ ହାର ୯୪.୩୭% ରହିଛି । ଜବାହାର ନବୋଦୟ ବିଦ୍ୟାଳୟର ପାସ୍ ହାର ୯୯.୯୨% ହୋଇଛି । ସେହିପରି କେନ୍ଦ୍ରୀୟ ବିଦ୍ୟାଳୟର ପାସ୍ ହାର ୯୯.୪୩%, ଇଣ୍ଡିପେଣ୍ଡେଣ୍ଟ୍ ସ୍କୁଲମାନଙ୍କର ପାସ୍ ହାର ୯୪.୦୮%, କେନ୍ଦ୍ରୀୟ ତିବ୍ଦତିଆନ୍ ସ୍କୁଲ ଆଡମିନିଷ୍ଟ୍ରେସନ୍ (ସିଟିଏସ୍ଏ)ରେ ୯୬.୪୩%, ଘରୋଇ ସ୍କୁଲର ପରୀକ୍ଷା ଫଳ ୩୭.୯% ରହିଛି । ଭୁବନେଶ୍ୱର ରିଜିଅନ୍ରେ ମୋଟ ୫୪୯୫ଜଣ ପିଲା କମ୍ପାଟ୍ମେଣ୍ଟ ହୋଇଛନ୍ତି । ଓଡ଼ିଶାର ୭୪୧ଟି ସ୍କୁଲର ୬୫ ହଜାର ୨୦୪ଜଣ ପିଲା ପଞ୍ଜୀକରଣ କରିଥିଲେ । ଏଥିରୁ ୬୪ ହଜାର ୯୦୦ ପିଲା ୨୭୨ଟି ପରୀକ୍ଷା କେନ୍ଦ୍ରରେ ପରୀକ୍ଷା ଦେଇଥିଲେ । ୬୦ ହଜାର ୭୮୮ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ମୋଟ୍ ପାସ୍ ହାର ୯୩.୬୬% । ଛାତ୍ରଙ୍କ ପାସ୍ ହାର ୯୨.୬୦% ଥିବା ବେଳେ ୯୪.୮୩% ଛାତ୍ରୀ ଉତ୍ତୀର୍ଣ୍ଣ ହୋଇଛନ୍ତି । ରାଜ୍ୟର ମୋଟ୍ ପାସ୍ ହାର ୯୪.୨୪% ରହିଛି । ସେହିପରି ଇଣ୍ଡିପେଣ୍ଡେଣ୍ଟ୍ ସ୍କୁଲମାନଙ୍କରୁ ୩୮ ହଜାର ୬୭ଜଣ ପିଲା ପରୀକ୍ଷା ପାଇଁ ପଞ୍ଜୀକରଣ ଥିବା ବେଳେ ସେଥିରେ ପାସ୍ ହାର ୯୨.୩୮% । ଜବାହାର ନବୋଦୟ ବିଦ୍ୟାଳୟମାନଙ୍କରୁ ୨୪୩୨ଜଣ ପିଲା ପରୀକ୍ଷା ପାଇଁ ପଞ୍ଜିକରଣ କରିଥିବା ବେଳେ ୨୪୩୦ଜଣ ପିଲା ପରୀକ୍ଷା ଦେଇଥିଲେ । ଏଥିରୁ ୨୪୨୭ଜଣ ଉତ୍ତୀର୍ଣ୍ଣ ହୋଇଛନ୍ତି । ଜେଏନ୍ଭିର ମୋଟ ପାସ୍ ହାର ୯୯.୮୮% ରହିଛି ।