କଟକ,୦୯/୧୦: ମହାଷଷ୍ଠୀରୁ କଟକ ସହରରେ ୱାନ୍‌ ୱେ ଟ୍ରାଫିକ୍‌ କଟକଣା  ଲାଗୁ ହେବ । ଏହି କଟକଣା ଆସନ୍ତା ୧୩ ତାରିଖ ରବିବାର ଦଶହରା ଶେଷ ବା ମହାଦଶମୀ ପର୍ଯ୍ୟନ୍ତ ବଳବତ୍ତର  ରହିବ । ପ୍ରତିଦିନ ଅପରାହ୍ନ ୪ଟାରୁ ରାତି ୧ ଟା ଯାଏଁ ବା  ଭିଡ଼ କମିବା ପର୍ଯ୍ୟନ୍ତ କଟକଣା ଜାରି ରହିବ । ତେବେ ଏହି କଟକଣା ମାନି ଗାଡ଼ିମୋଟର ଚଳାଇବାକୁ ପୁଲିସ  କମିସନର ଏସ୍‌ ଦେବଦତ୍ତ ସିଂହ ନିର୍ଦ୍ଦେଶ ଦେବା ସହିତ  ସହଯୋଗ କରିବାକୁ ସହରବାସୀଙ୍କୁ ନିବେଦନ କରିଛନ୍ତି । 

କଟକ ଟ୍ରାଫିକ୍‌ ପୁଲିସର ସୂଚନା ଅନୁସାରେ, ହାୱଡା ମୋଟର ଛକରୁ କୌଣସି ଗାଡି ମଙ୍ଗଳାବାଗ  ଛକ ଏବଂ ମଙ୍ଗଳାବାଗ ଛକରୁ ବଣିଆ ସାହି କିମ୍ୱା  ଥୋରିଆସାହି ଆଡକୁ ଯିବନି । ଦୋଳମୁଣ୍ଡାଇ ଛକରୁ  ରାଣୀହାଟ ଆଡକୁ ଗାଡ଼ି ବନ୍ଦ ରହିବ । ଫ୍ରେଣ୍ଡସ କଲୋନୀ  ଦେଇ ଥୋରିଆ ସାହି ସ୍କୁଲ ପାଖରୁ ବଣିଆସାହି କିମ୍ୱା  ଭୂଦାନ କାର୍ଯ୍ୟାଳୟ ଆଡେ ଯାଇପାରିବ ନାହିଁ । ଗହ୍ମାଡିଆ  ଛକ, ଥୋରିଆ ସାହି ଓ ଫ୍ରେଣ୍ଡସ କଲୋନୀ ଛକରୁ  ବଜ୍ରବାଟୀ ଆଡକୁ ଗାଡ଼ି ବନ୍ଦ ରହିବ । ବଣିଆସାହି ଛକରୁ  ବଢେଇ ସାହି ଆଡକୁ ଯାଇପାରିବେ ନାହିଁ । ମୋଚିସାହି  ଛକରୁ ରାଣୀହାଟ ସ୍କୁଲ ଦେଇ ହିନ୍ଦ ସିନେମା ବା କ୍ଲକ୍‌  ଟାୱାର ଆଡକୁ ଯାଇ ପାରିବ ନାହିଁ । ମାଲଗୋଦାମ  ଫାଣ୍ଡି ଛକ ପାଖରୁ ଛତ୍ରବଜାର ଦେଇ ମହତାବ ରୋଡ୍‌  କିମ୍ୱା ପିଲିଗ୍ରୀମ ରୋଡରେ କଲେଜ ଛକ ଆଡ଼କୁ ବା  କେନାଲ କୂଳ ରାସ୍ତାରେ ରାଣୀହାଟ କ୍ଲକ୍‌ ଟାୱାର ଆଡ଼କୁ  ଗାଡ଼ି ଯିବନି । ଛତ୍ରବଜାର କିମ୍ୱା ମାଲଗୋଦାମ ପଟୁ ଗାଡ଼ିଗୁଡ଼ିକ ମହତାବ ରୋଡରେ ଦୋଳମୁଣ୍ଡାଇ ଯିବନି ।  

ମାଲଗୋଦାମରୁ କୌଣସି ଗାଡ଼ି ଛତ୍ରବଜାର ଆଡ଼କୁ  ବା ପିଲିଗ୍ରୀମ ରୋଡ ଦେଇ କଲେଜ ଛକ ଯିବନି ।  ମାଲ୍‌ଗୋଦାମରୁ ଫ୍ଲାଏ ଓଭରବ୍ରିଜ୍‌କୁ ଆସୁଥିବା ଗାଡ଼ି  ବ୍ରିଜ୍‌ରେ ଚଢ଼ିପାରିବନି । ଏହି ଗାଡ଼ି ବାମପଟେ ରେଭେନ୍ସା  କଲେଜ କିମ୍ବା ଷ୍ଟେସନ୍‌ ଅଭିମୁଖେ ଯାଇପାରିବେ। ସେହିପରି କଲେଜ ଛକରେ ମେଲୋଡ଼ି ଚାଲିଥିବା  ବେଳେ ରାଣୀହାଟ ପଟୁ ଆସୁଥିବା ଗାଡ଼ି କଲେଜ ଛକ  ଦେବୀ ଘରଠାରୁ ବାମ ପଟେ ଯାଇ ବମ୍ୱେ ହୋଟେଲ  ରାସ୍ତାରେ ପୋଷ୍ଟ ଅଫିସ ପାଖରେ ବାହାରିବ । ଯୋବ୍ରା  ଆନିକଟ ଛକ ଆଡ଼ୁ ଆସୁଥିବା ସମସ୍ତ ତିନି ଓ ଚାରି  ଚକିଆ ଗାଡ଼ି ଯୋବ୍ରା ଶନି ମନ୍ଦିର ଛକରୁ ବାମକୁ ଗଡ଼ି  ମହାନଦୀ କଡ଼ ରାସ୍ତାରେ ଯାଇପାରିବେ । 

ସେହିପରି  ଗୁରୁଦ୍ୱାରା ପଟୁ ଆସୁଥିବା ତିନି ଓ ଚାରି ଚକିଆ ଗାଡ଼ି ଗଳି ପୋଲ ରାସ୍ତାରେ ନଯାଇ ଡାହାଣକୁ ଗଡ଼ି ଯୋବ୍ରା  ଆଡ଼କୁ ଯାଇପାରିବେ । ପୁରୁଣା ଜେଲ୍‌ ଛକରୁ ଚୌଧୁରୀ ବଜାର ଆଡ଼କୁ ଆସୁଥିବା ଗାଡ଼ି ଗୌରୀଶଙ୍କର ପାର୍କ ସବ୍‌  ଷ୍ଟେସନ ଛକରୁ ସିଧା ଚୌଧୁରୀବଜାର ଛକକୁ ଯିବନି । ଚୌଧୁରୀ ବଜାର ଛକରୁ କୌଣସି ଗାଡ଼ି ଗୌରୀଶଙ୍କର  ପାର୍କ ଯାଇପାରିବ ନାହିଁ । ପିଠାପୁର ଓ ଝୋଲାସାହି ଆଡୁ  ଆସୁଥିବା ଗାଡି ଫୋନବାକ୍ସ ଛକରୁ ଗୋପାଳଜିଉ ଲେନ୍‌,  କାଠଗଡା ସାହି ଓ ଗୌରୀଶଙ୍କର ପାର୍କ ଆଡକୁ ଯିବନି । ଚାନ୍ଦିନୀଚୌକ ଛକରୁ ଆସୁଥିବା ଗାଡ଼ି ଶେଖ୍‌ବଜାର ଦେଇ  ଚଣ୍ଡୀ ମନ୍ଦିର ଛକକୁ ଆସି ପାରିବ ନାହିଁ । ମହମ୍ମଦିଆ ବଜାର ରାସ୍ତା ବ୍ୟତୀତ ଚାନ୍ଦିନୀଚୌକରୁ ଚଣ୍ଡୀ ମନ୍ଦିର  ଛକ ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ଅନ୍ୟ ସମସ୍ତ  ଗଳି ରାସ୍ତାରୁ ଗାଡ଼ିଗୁଡ଼ିକ ମୁଖ୍ୟ ରାସ୍ତାକୁ ଆସିବ ନାହିଁ। ଖାନ୍‌ନଗର ମଣିମନ୍ଦିର ଛକଠାରୁ ବେଲଭିଉ  ଛକ ପର୍ଯ୍ୟନ୍ତ ରିଙ୍ଗରୋଡରେ କୌଣସି ଭାରୀଯାନ  ଯିବନି । କନ୍ଦରପୁରଠାରୁ କୌଣସି ଭାରୀଯାନ ଅପରାହ୍ନ  ୪ଟାରୁ ରାତି ୧୨ଟା ପର୍ଯ୍ୟନ୍ତ ଅଥବା ଭିଡ଼ ନଭାଙ୍ଗିବା  ପର୍ଯ୍ୟନ୍ତ ନୂଆବଜାର ଆଡ଼କୁ ଆସିପାରିବେ ନାହିଁ ।