ଭୁବନେଶ୍ୱର,୦୯/୦୧: ଓଡ଼ିଶା ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ  । ୧୮ତମ ପ୍ରବାସୀ  ଭାରତୀୟ ଦିବସର ଉଦ୍‌ଯାପନୀ ସମାରୋହରେ ଯୋଗ ଦେବେ । ସମାରୋହରେ ପ୍ରବାସୀଙ୍କ ଅବଦାନ ସମ୍ପର୍କରେ ଅଭିଭାଷଣ  ରଖିବା ସହ ୧୭ଜଣ ପ୍ରବାସୀ ଭାରତୀୟଙ୍କୁ ପୁରସ୍କୃତ କରିବେ । 

ରାଷ୍ଟ୍ରପତି ବୁଧବାର ମେଘାଳୟର ଉମିୟାମଠାରେ  ଉତ୍ତର-ପୂର୍ବ ପାର୍ବତ୍ୟ ଅଞ୍ଚଳ ପାଇଁ ଆଇସିଏଆର ଗବେଷଣା କମ୍ପେ୍ଲକ୍ସର ସୁବର୍ଣ୍ଣ ଜୟନ୍ତୀ ସମାରାହରେ ଯୋଗ ଦେଇଛନ୍ତି ।  ଗୁରୁବାର ଗୌହାଟୀ ବିମାନବନ୍ଦରରୁ ବାୟୁସେନାର ସ୍ୱତନ୍ତ୍ର  ବିମାନରେ ଭୁବନେଶ୍ୱର ଅଭିମୁଖେ ବାହାରିବେ । ଅପରାହ୍ଣ  ୪ଟା ୩୫ ମିନିଟ୍‌ରେ ବିଜୁ ପଟ୍ଟନାୟକ ଅନ୍ତଃଜାର୍ତୀୟ  ବିମାନବନ୍ଦରରେ ପହଞ୍ଚିବେ । ଅପରାହ୍ଣ ୪ଟା ୨୦ ମିନିଟ୍‌ରୁ  ୪ଟା ୫୦ ମିନିଟ୍‌ ଯାଏଁ ଏୟାରପୋର୍ଟରୁ ରାଜଭବନ ରାସ୍ତାକୁ  ବନ୍ଦ ରଖାଯିବ । ରାଷ୍ଟ୍ରପତି ରାଜଭବନରେ ପହଞ୍ଚିବା ପରେ  ରାତ୍ରୀଯାପନ କରିବେ । ଶୁକ୍ରବାର ପୂର୍ବାହ୍ଣ ସାଢ଼େ ୧୧ଟା  ବେଳକୁ ରାଜଭବନରୁ ସମ୍ମିଳନୀସ୍ଥଳ ଅଭିମୁଖେ ବାହାରିବେ ।  ରାଷ୍ଟ୍ରପତିଙ୍କ କାରକେଡ୍‌ ଯିବା ପାଇଁ ପୂର୍ବାହ୍ଣ ୧୧ଟା ୨୦  ମିନିଟ୍‌ରୁ ୧୧ଟା ୫୦ ମିନିଟ୍‌ ଯାଏଁ ରାଜଭବନରୁ ନାଲ୍‌କୋ  ଛକ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ କରାଯିବ । ସେଠାରେ ପ୍ରାୟ ୫ ଘଣ୍ଟା  ବିତାଇବା ପରେ ପୁଣି ବିମାନବନ୍ଦର ଅଭିମୁଖେ ବାହାରିବେ ।