ଆମେ ଆସିଛୁ ଗୋଟିଏ ଜୀବନ ବଞ୍ଚିବା ପାଇଁ । କାହିଁକି ନୁଆଁଇବା ମୁଣ୍ଡ? କାହିଁକି ସିଲାଇବା ତୁଣ୍ଡ? ଆମେ ଯେଉଁ ପ୍ରାଣସ୍ଫୁଲିଙ୍ଗ ନେଇଆସିଛୁ ତାକୁ ହିଁ ପୂର୍ଣ୍ଣାଲୋକରେ ପରିଣତ କରିବୁ ଆମ ପ୍ରାଣଶକ୍ତିରେ । ଅନ୍ୟାୟ ସହିବା ନାହିଁ । ଅତ୍ୟାଚାର ସହିବା ନାହିଁ । ଦେଖବା ମଧ୍ୟ ନାହିଁ ଅନ୍ୟର ଅନ୍ୟାୟ ପୀଡ଼ନ ।
ଏ ପୃଥିବୀ ଅସ୍ଥିର । ସୂର୍ଯ୍ୟ ଚାରିପଟେ ଘୂରେ ପ୍ରତିଦିନ, ଯୁଗଯୁଗାନ୍ତର ଯାକେ ଏମିତି ଘୂରୁଥିବ । କେଉଁଠି ବମ୍ ମାରିବାର ଅନୁମତି ନାହିଁ ସେହି ଅଦୃଶ୍ୟ ସୃଷ୍ଟିକର୍ତ୍ତାର । ପୃଥିବୀ ବହନ କରିବ ନଦୀ, ପର୍ବତ, ସମୁଦ୍ର, ମଣିଷ, ପଶୁପକ୍ଷୀ, ଗଛମାନଙ୍କର ଔଦ୍ଧତ୍ୟ ପ୍ରଦର୍ଶନୀ । ମାଟିମଞ୍ଚରେ ଆବିର୍ଭାବ କରିବେ ସବୁ ସଜୀବ ନିର୍ଜୀବ । ପାହାଡ଼ ବୁକୁରେ ମୁଣ୍ଡରେ ମଣିଷ ଗଢ଼ିବ ପାହାଚ ମନ୍ଦିର, ମୂର୍ତ୍ତି । ଫୁଲମାନେ ଫୁଲେଇ ହେବେ, ରଙ୍ଗଛଟା ଦେଖାଇବେ ଜୀବନକୁ ଲୋଭାଇବେ । ପ୍ରଜାପତି, ଭ୍ରମର ଫୁଲ ଶୋଷିବେ, ସୁନ୍ଦରୀମାନେ ଛିଣ୍ଡାଇ ମଥାରେ ଖୋସିବେ । ସେଇ ଫୁଲକୁ ଗୁନ୍ଥି ମାଳ କରି ପିନ୍ଧାଇବେ ତାଙ୍କର ଘର ବାହାର ଦିଅଁ ଦେବତାଙ୍କୁ । ଫୁଲମାଳ ପିନ୍ଧାଇବେ କ୍ରିକେଟର, ସିନେମା ଷ୍ଟାର, ନେତାମନ୍ତ୍ରୀ, ମହାପୁରୁଷମାନଙ୍କୁ । ମନ୍ଦିରରେ ସେଇ ମାଳା ପିନ୍ଧି ବାହାହେବେ । ନଦୀରେ ବନ୍ଧ ବାନ୍ଧିବେ । ନଦୀକୁ ଅଟଅକାଇ ଦେବେ ।
ମୋଡ଼ ବଦଳାଇ ଦେବେ ନିଜ ସହର ବଜାରକୁ ଆଲୋକିତ କରିବା ଲାଗି । ମାଟି ଖୋଳିବେ, କୋଠା ଉଠାଇବେ ୧୩୦ ମହଲା । ସମୁଦ୍ରରେ ସେତୁ ବାନ୍ଧିବେ- ରାମ ମଧ୍ୟ ବାନ୍ଧିଥିଲେ, ସୁଡଙ୍ଗ ଖୋଳିବେ । ଯଦି ନିଜ ହାତଗଢ଼ା ବିମାନ ଖସିପଡ଼େ କି ଜାହାଜ ଟରପିଡୋ ମାଡ଼ରେ ଡୁବିଯାଏ, ଖେଦି ପକାଇବେ ସମୁଦ୍ରକୁ । ସମୁଦ୍ରର ପେଟ ଚିରି ମାଛ ବାହାର କରି ବିକିବେ ବଞ୍ଚିବା ପାଇଁ । ବୋମା ତିଆରି କରିବେ । ପରୀକ୍ଷା କରିବେ ମାଟି ଖୋଳି । ବୋମା ପକାଇ ଧ୍ୱଂସ କରିଦେବେ ହିରୋସୀମା ଏବଂ ଲେଖିବେ ଗଳ୍ପ କବିତା ଉପନ୍ୟାସ ହତଭାଗା ମଣିଷର ସ୍ଥିତି ସଂକଟରେ । ଜାଳିଦେବେ ଖାଣ୍ଡବ ବନ, ସବୁ ବନ ଲଣ୍ଡା କରିଦେବେ, ପୃଥିବୀକୁ କାଚପ୍ରାସାଦ ନିର୍ମାଣ କରି ସିସ୍ ମହଲର ଗର୍ବ ଦେବେ ସ୍ୱଜାତିକୁ, ପୁଣି ତାକୁ ଭାଙ୍ଗିବେ ଶତ୍ରୁତାରେ । ମାଟିରୁ ସବୁ ଧାତୁ ଖୋଳିନେଇ କରିବେ ଲୁହା, ଆଲୁମିନା ଇତ୍ୟାଦି । ହଳ ଲଙ୍ଗଳ କରିବେ, ଛୁରି ଖଣ୍ଡା କରିବେ । ଯୁଦ୍ଧ କରିବେ ସେଇ ମଣିଷ ସାଙ୍ଗେ ବଳ ବାନ୍ଧି । ସେଇ ମାଟି ପାଇଁ ଲଢ଼ିବେ କୁରୁକ୍ଷେତ୍ରରୁ ୟୁକ୍ରେନ ଗାଜା ଯାକେ । ଚୀନ ପରି ଦାବି କରିବେ ସବୁ ଆମର, ଝାଇୱାନରୁ ଲଦାଖ, ହିମାଚଳ, ଲଙ୍କା ସବୁ ଆମର । ମାଟି ପାଣି ଆକାଶ ସବୁ ଏବେ ମଣିଷର, କାହିଁକିନା ସେ ଆସିଛି ଏହି ପୃଥିବୀ ପ୍ରଦର୍ଶନ ମଞ୍ଚରେ ନିଜ ପୌରୁଷର ରୂପରୂପାନ୍ତର ପ୍ରଦର୍ଶନ କରିବା ପାଇଁ । ଅମରତ୍ୱ ସନ୍ଧାନ ପାଇଁ ଇତିହାସରେ ।
ଏପଟେ ଲେଖିବେ ସମୟ ଦେହରେ ମଣିଷର କୃତି ଲାଖେନା । ସମୟ ନିର୍ବିକାର । କବିମାନେ କହିବେ ଜୀବନ କ୍ଷଣିକ । ସେଇ ପଲକ-ଜୀବନ ମଧ୍ୟ ଯନ୍ତ୍ରଣାମୟ । ତେଣୁ ସମର୍ପଣ କର ନିଜକୁ କର୍ତ୍ତା ପାଖରେ । କଳା ଶ୍ରୀମୁଖ ଦେଖି ପାରିହୁଅ ତୋଫାନି ଜୀବନସାଗର । ତ୍ରାହି କର ହେ ଅଚ୍ୟୁତ । ଆଉ ଗାଉଁଲୀ ଭାଷାରେ କହିବେସଂସାର ଭିତରେ ଘର କରିଥିଲେ ପଥର ପଡ଼ିଲେ ସହି । ଜୀବନର ସବୁ ଯନ୍ତ୍ରଣା ସହିଯାଅ, କାରଣ ତୁମେ ଉପାୟହୀନ । ଯେଉଁ ଗଛ ଲଗାଉଛ ସେ ଗଜୁରିବ, ପତ୍ର ମେଲିବ, ଫୁଲ ଖେଳାଇବ, ଫଳ ଦେବ ରସାଳ ମଧୁର, ତୁମେ ଲେଖିବ ବାଃ ଅମୃତ ପରି ସୁଆଦ (ଯେଉଁ ଅମୃତ ତୁମେ କେବେ ଚାଖିନାହଁ) । ଆଉ ନିରାଶ ହୋଇ ଦେଖିବ ପୋକଧରା, ଗଛରେ କଳାଦାଗ, ହଳଦିଆ ଦାଗ ଓ ନିରସ ଶୁଷ୍କ ବାର୍ଦ୍ଧକ୍ୟ ଓ ମୃତ୍ୟୁ । ଏପଟେ ଲେଖିବ ପ୍ରକୃତି ନିଷ୍ଠୁର, ଈଶ୍ୱର ନିଷ୍ଠୁର । କଞ୍ଚା ଉଠେଇ ନେଇଚି, ପାଚିଲା ଖାଇଦେଉଛି କେତେ ପ୍ରକାରର କୋଭିଡ! ପରେ ପରେ ସବୁ ସହିଯିବା ଲାଗି ଉପଦେଶ! ଦାର୍ଶନିକ, ସାହିତ୍ୟିକମାନେ ସବୁ ଭାଷାରେ କହନ୍ତି ସବୁ ସହିବା ଲାଗି ଆମେ ବାଧ୍ୟ । ସହନଶୀଳତା ମଣିଷର ଏକ ଭବ୍ୟ ଗୁଣ, ସେକ୍ସପିଅରଙ୍କ ଭାଷାରେ- ଏଠାକୁ ଯେମିତି ଆସିଚ ସେମିତି ଯିବ, ପରିପକ୍ୱତା ହିଁ ସବୁ । ଅର୍ଥାତ୍ ଏହି ମର୍ମକଥା ବୁଝି ସହିଯାଅ ସବୁ । ଆସିବ ଯିବ । ଶ୍ରାବଣ ଭାଦ୍ରବ ପରି ଦିନରାତି ପରି ଆସିବ, ଯିବ । କିଛି ଏଠି ଚିରନ୍ତନ ନୁହେଁ ।
ପରିବର୍ତ୍ତନ ହିଁ ପୃଥିବୀର ଏକମାତ୍ର ସତ୍ୟ । ଏଇ ଯେ ଶିଶିରବିନ୍ଦୁ ଆଦ୍ୟ ଉଷା କିରଣରେ ଝଲସୁଛି ସେ ଦେଖ କେମିତି ବୋହିଯାଉଛି ଭେଟିବାକୁ ମୃତ୍ୟୁସିନ୍ଧୁ କରାଳ ଲହରୀ । ତେଣୁ ଧୈର୍ଯ୍ୟ ଧର । ସହିଯାଅ ସବୁ । କିନ୍ତୁ ପ୍ରକୃତି ଯାହା ଆମର ପ୍ରଦର୍ଶନ ଗଛ ବୋଲି ଆମେ କହୁଛେ ଆଉ ସଜାଉଛେ ପୃଥିବୀକୁ ବିଭିନ୍ନ ରଙ୍ଗରେ, ଢଙ୍ଗରେ, ସେହି ପୃଥିବୀ କ’ଣ ଆମର ଦୌରାତ୍ମ୍ୟ ସହିଯାଉଛି? ଖୋଳି ଖୋଳି ମାଟି ଫମ୍ପା । ଗଛ କାଟି ମରୁଦ୍ୟାନ କରିଛୁ ଆମେ । ନଦୀନାଳ ଶୁଖାଇ ସହର ଗଢ଼ିଛୁ । ମୂକ ମାଟି ଏବେ ତା’ର ଶେଷ ଶକ୍ତି ପ୍ରୟୋଗ କରି ପ୍ରତିଶୋଧ ନେଉଛି । ସେଇ ଖରା-ବର୍ଷାଶୀତ ଏବେ ଏତେ ପ୍ରବଳ ଯେ, ବିଜ୍ଞାନରେ ନୋବେଲ ପୁରସ୍କାର ପାଇଥିବା ବୈଜ୍ଞାନିକମାନେ ପ୍ରଥମ ତିନି ମିନିଟ (ୱେଇନବର୍ଗ), ଯଦି ବଞ୍ଚିଥାନ୍ତେ ଶେଷ ତିନି ମିନିଟ ଲେଖିଥାନ୍ତେ । କିପରି ସୃଷ୍ଟି ରହସ୍ୟର ଶେଷଦୃଶ୍ୟ ଘଟୁଛି ଦେଖାଇଥାନ୍ତେ । ଅବଶ୍ୟ ପାଠକ ନଥାନ୍ତେ । ପ୍ରକୃତିର ପ୍ରତିଶୋଧ ବିରୋଧରେ ମଣିଷ ସଂଗ୍ରାମ କରୁଛି । ଆୟୁଷ ବଢ଼ାଇବା ପାଇଁ ଗବେଷଣା ଚାଲିଛି । ମଣିଷ ଏବେ କଳିଷଠା ଷାଠିଏରୁ ନବେ-ଶହେ ଗଲାଣି । ଦୁଇଶହ କରିବା ଲାଗି ଏପଲ-ଗୁଗଲ ଅନେକ ଧନ ବ୍ୟୟ କରି ଗବେଷଣା ଚଳାଇଛନ୍ତି । କାହିଁକି? ସହିଯାଅ ବୋଲି ଲେଖୁନାହାଁନ୍ତି ଏବର ଦାର୍ଶନିକ, କବିମାନେ? ସହିଯାଅ ଆସନ୍ନମୃତ୍ୟୁର ସମ୍ଭାବନା ସତ୍ୟକୁ ଗ୍ରହଣ କର । ଶୁଦ୍ଧ ଜୀବନ ବଞ୍ଚ । ମୃତ୍ୟୁ ହିଁ ସତ୍ୟ । ଗ୍ରହଣ କରିଯାଅ, ସ୍ୱୀକାରିଯାଅ ତୁମ ଆରମ୍ଭର ଶେଷକୁ । ନା, ମଣିଷ ସହିବା ଗ୍ରହଣ କରେନାହିଁ ।
ସେ କର୍ମ କରିବା ଲାଗି ଆସିଛି ସହିବା ପାଇଁ ନୁହେଁ । କୃଷ୍ଣ ବି ଗୀତାରେ ସହିବା ପାଇଁ କହିନାହାଁନ୍ତି । କର୍ମ କରିଯାଅ, କର୍ମ ହିଁ ଜୀବନ । ଯାହା ତୁମର ଇଚ୍ଛା ତାହା କର, ଯେଉଁ ପର୍ଯ୍ୟନ୍ତ ତୁମର ଇଚ୍ଛା ମାନବିକତାର ଉଲ୍ଲଙ୍ଘନ କରେନାହିଁ, ସେ ପର୍ଯ୍ୟନ୍ତ ଇଚ୍ଛାଶକ୍ତିକୁ ନେଇ କର୍ମ କର । ନିତ୍ସେ ବା ନିଚି ଏହି ଇଚ୍ଛାଶକ୍ତିକୁ ବ୍ୟବହାର କରି ସୁପରମେନ୍ ହେବା କଥା କହିଛନ୍ତି । କୃଷ୍ଣ ବି କହିଛନ୍ତି ମୋ ପରି ହୁଅ । ଅର୍ଥାତ୍ ମଣିଷ ଭଗବାନ ହେବା ଲାଗି କର୍ମ କରୁ । ପାଣ୍ଡବମାନଙ୍କୁ ଦୁର୍ଯ୍ୟୋଧନର ଅତ୍ୟାଚାର, ଶତ୍ରୁତା ସହିଯିବା ଲାଗି ଉପଦେଶ ଦେଇନାହାଁନ୍ତି । ନିଜେ ମଧ୍ୟ କିଛି ସହିନାହାଁନ୍ତି । ରାଜସୂୟ ଯଜ୍ଞ ଶେଷରେ କୃଷ୍ଣଙ୍କୁ ଶ୍ରେଷ୍ଠପୁରୁଷ ଭାବେ ସମ୍ମାନିତ କରାଗଲାବେଳେ ଶିଶୁପାଳ ଗାଳି ଆରମ୍ଭ କଲା । କୃଷ୍ଣ ୧୦୦ଟି ଗାଳି ସହିବା ପ୍ରତିଶ୍ରୁତି ଦେଇଥିଲେ ଶିଶୁପାଳର ମା’କୁ । ୧୦୦ ଅତିକ୍ରମ କଲା ମାତ୍ରେ କୃଷ୍ଣ ଚକ୍ର ପେଷି ହତ୍ୟା କରିଥିଲେ ଭରା ରାଜସୂୟ ଯଜ୍ଞସଭାରେ । ତେଣୁ ସହିବାର ସୀମା ଅଛି । ଏହା ପ୍ରାୟ ସମସ୍ତେ ବ୍ୟବହାର କରନ୍ତି- ସହିବାର ଗୋଟେ ସୀମା ଅଛି । ରାମ ପରି ମହାସହିଷ୍ଣୁ ପୁରୁଷ ମଧ୍ୟ ନିଜ ପରିବାରକୁ ଭାଇଙ୍କୁ କ୍ଷମା ଦେଇନାହାଁନ୍ତି । ସାଧାରଣ ମଣିଷର ସହିବା ଶକ୍ତି ତେଣୁ ସୀମିତ ।
ହାମଲେଟ୍ ପରି ଚିନ୍ତାଶୀଳ, ବିଜ୍ଞ ନାୟକ ମନରେ ଏହି ପ୍ରତିଶୋଧ ନେବାର ଇଚ୍ଛା ଓ ସବୁ ସହିଯିବାର ଆତ୍ମାଗୁଣର ଦ୍ୱନ୍ଦ୍ୱ ଜୀବନ, କାରଣ ପୌରୁଷର ଲକ୍ଷଣ ଭାବେ ଆମେ ପ୍ରତିଶୋଧକୁ ଗ୍ରହଣ କରୁ । ପୌରୁଷ ପ୍ରତିବାଦ କରେ ସବୁ ଅନ୍ୟାୟର କାରଣ ପୌରୁଷର ଅର୍ଥ ଏକ ସ୍ୱତନ୍ତ୍ର ବିକଳ୍ପ ନୈତିକ ପୃଥିବୀ ଗଠନ । ସହନଶୀଳତାକୁ ଅନ୍ୟ ଦୃଷ୍ଟିରେ କାପୁରୁଷତା କୁହାଯାଏ । ମଣିଷ ପ୍ରକୃତିର ବାତ୍ୟା ବନ୍ୟା ସହିବାକୁ ବାଧ୍ୟ । କିନ୍ତୁ ଅନ୍ୟାୟ ଅତ୍ୟାଚାର ନୁହେଁ । ଅନେକ ସମୟରେ ସମ୍ମାନବୋଧରେ ଆମେ କେତେକଙ୍କ ଅନ୍ୟାୟ ବାକ୍ୟ କିମ୍ବା କର୍ମ ସହିପାରୁ । କିନ୍ତୁ ତାକୁ ମଧ୍ୟ କାପୁରୁଷତା କୁହାଯାଇପାରେ । ପ୍ରେମବ୍ୟଥା ବଳି ପଡ଼ିଲେ ପ୍ରେମିକା ବା ପ୍ରେମିକ ପଚାରନ୍ତି ସଖୀକୁ- ଗୁପତେ ସିନା ମୁଁ ତତେ ପଚାରୁଛି ବଳି ପଡ଼ିବାରୁ ବ୍ୟଥାରେ ସଙ୍ଗାତ । ପୁରୁଷ ବା ନାରୀ କିଛି ଅଯଥା ଅନ୍ୟାୟ ସହିବା ମାନବିକତାର ଲକ୍ଷଣ ନୁହେଁ । ସହନଶୀଳତା କୁହାଯାଇଛି ଭୟରେ । କୌଣସି ବିପଦ ଆସିଲେ ଆମେ ମନ୍ଦିର ଦଉଡୁ । ଶରଣ ପଶୁ, କିନ୍ତୁ ବୈଦ୍ୟ ହସ୍ତକ୍ଷେପ ନଘଟିଲେ ଆମେ ଲାଞ୍ଚ ଦେଇ ଶରଣ ପଶୁ ।
ପିଲାଦିନେ ପଢ଼ିଥିଲି- ଅଇଲା କଳା ପାହାଡ଼, ଭାଙ୍ଗି ଲୁହାର ବାଡ଼, ପିଇଲା ମହାନଦୀ ପାଣି, ସୁବର୍ଣ୍ଣ ଥାଳିରେ ହୀରା ପରଷିଲେ ମୁକୁନ୍ଦଦେବଙ୍କ ରାଣୀ । ମତେ ଲଜ୍ଜା ଲାଗିଥିଲା, ଏବେ ମଧ୍ୟ ଲାଗୁଛି । ଇତିହାସରେ ଆମେ ପଢ଼ୁ ଆଲେଜାଣ୍ଡାର, ତୈମୁର, ଗଜନୀ, ବାବର ସମସ୍ତେ ଆମକୁ ଆକ୍ରମଣ କରି ଆମ ମନ୍ଦିର, ପ୍ରାସାଦ ଲୁଟନ୍ତି, ଆମେ ଜଗନ୍ନାଥଙ୍କୁ ପାତାଳୀ କରି ସହନଶୀଳତା ପ୍ରଦର୍ଶନ କରୁ । ହୁଏତ ଧ୍ୱଂସ ହୋଇଯିବାର ଭୟ ଆମକୁ ସହନଶୀଳ ହେବାକୁ ବାଧ୍ୟ କରେ । ମୁସଲମାନ ଆକ୍ରମଣ ଓ ଦେଶ ଅଧିକାର୭୨୦ ପରଠାରୁ (ଦିଲ୍ଲୀ ସୁଲତାନେଟ୍) ଆମକୁ ଡରାଇ ଥରାଇ ରଖିଥିଲା । ତେଣୁ ଆମେ ଭକ୍ତିରସରେ ଭଜନ କୀର୍ତ୍ତନ କରି ସର୍ବଂସହା ହୋଇଗଲୁ । ତୁଳସୀ ଦାସ, କବୀର, ତୁକାରାମ, ସନ୍ଥ ଜ୍ଞାନେଶ୍ୱର, ନଦୀୟା ଗୌରାଙ୍ଗ, ଗଜପତି ବଂଶର ପତନ ଆରମ୍ଭବେଳେ ପରାଜୟର ଆଧ୍ୟାତ୍ମିକ ଭରଣା ପରି ଗୋଟିଏ ବୀର ଜାତିକୁ ଜୀବନ ବିରୋଧୀ କଲା । ବ୍ରିଟିଶ ଶାସନବେଳେ ଆମେ କେବଳ ମହାରାଣା ପ୍ରତାପ, ଝାନସୀ ରାଣୀ ଲକ୍ଷ୍ମୀବାଈ, ଭଗତ ସିଂହ ପରି ନାମ ଉଚ୍ଚାରଣ କରୁ ଗର୍ବରେ । କିନ୍ତୁ ଆମେ ପରାଧୀନତା ବିରୋଧରେ ଜାଗ୍ରତ ହେଲୁନାହିଁ । ପଞ୍ଚସଖା, ଚୈତନ୍ୟ ଓଡ଼ିଆଙ୍କୁ ବୁଝାଇଦେଲେ ଶୂନ୍ୟସଂହିତାର ମହାସାଗରରେ ।
ତୁଳସୀ, ତୁକାରାମ ପ୍ରଭୃତି ଭାରତୀୟଙ୍କୁ ଶିଖାଇଦେଲା ସହନଶୀଳତାର ପ୍ରଜ୍ଞାଦୀପ୍ତ ଗାମ୍ଭୀର୍ଯ୍ୟ । ଆମେ ଭାବିଲୁନାହିଁ ଯେଉଁ ରାମକୃଷ୍ଣଙ୍କୁ ଆମେ ଆରାଧନା କଲୁ, ଭଜନ ଲେଖିଲୁ, କାବ୍ୟ, ପୁରାଣ ଲେଖିଲୁ ସେମାନେ ସହନଶୀଳତା ଦେଖାଇନଥିଲେ । ରାମ ନିଜର ବଂଶାଭିମାନ ଓ ସ୍ୱାଭିମାନ ପାଇଁ ଯୁଦ୍ଧ କରିଥିଲେ । କୃଷ୍ଣ ମଧ୍ୟ ଯୁଦ୍ଧ କରିଥିଲେ । କାରଣ ଅନ୍ୟାୟ ସହିବା ମଣିଷତ୍ୱ ନୁହେଁ । ପ୍ରକୃତିରେ ମଧ୍ୟ ବନ୍ୟା ମରୁଡ଼ି ମହାବାତ୍ୟା ପରି ଥୁଣ୍ଟା ଡାଳରେ ପତ୍ର କଅଁଳେ, କାରଣ ଭଙ୍ଗା ଡାଳ ବା ଗଛ ଆତ୍ମସମର୍ପଣ କରେନାହିଁ । ବଞ୍ଚିବା ଲାଗି ଲଢ଼େ । ପତ୍ର ଆସେ ଫୁଲର ସମ୍ଭାବନା ନେଇ । ଆମେ ଆସିଛୁ ଗୋଟିଏ ଜୀବନ ବଞ୍ଚିବା ପାଇଁ । କାହିଁକି ନୁଆଁଇବା ମୁଣ୍ଡ? କାହିଁକି ସିଲାଇବା ତୁଣ୍ଡ? ଆମେ ଯେଉଁ ପ୍ରାଣସ୍ଫୁଲିଙ୍ଗ ନେଇଆସିଛୁ ତାକୁ ହିଁ ପୂର୍ଣ୍ଣାଲୋକରେ ପରିଣତ କରିବୁ ଆମ ପ୍ରାଣଶକ୍ତିରେ । ଅନ୍ୟାୟ ସହିବା ନାହିଁ । ଅତ୍ୟାଚାର ସହିବା ନାହିଁ । ଦେଖବା ମଧ୍ୟ ନାହିଁ ଅନ୍ୟର ଅନ୍ୟାୟ ପୀଡ଼ନ । ଆମର ଯୁକ୍ତି, ପ୍ରତିବାଦ, କର୍ମ ମାଧ୍ୟମରେ ଆମେ ଗଢ଼ିବା ନିଜ ନିଜର ବ୍ୟକ୍ତିତ୍ୱ । ସହନଶୀଳତା ଗୋଟିଏ ଭୀରୁ ମୂଲ୍ୟବୋଧ- ଆମର ଅଳଙ୍କାର ନୁହେଁ ।