ଜଳେଶ୍ୱର, ୨୬/୭ (ସ୍ବ.ପ୍ର ) : ଶିଷ୍ୟ ପାଇଁ ଗୁରୁ ହେଉଛନ୍ତି ମାର୍ଗଦର୍ଶକ। ଗୁରୁ ଶିଷ୍ୟ ପବିତ୍ର ସମ୍ପର୍କକୁ କଳଙ୍କିତ କରିବା ଭଳି ଏକ ଅଭିଯୋଗ ବାଲେଶ୍ୱର ଜିଲ୍ଲା ଜଳେଶ୍ୱର ଅଞ୍ଚଳରୁ ସାମ୍ନାକୁ ଆସିଛି। ପଞ୍ଚମ ଶ୍ରେଣୀର ଜଣେ ନାବାଳିକା ଛାତ୍ରୀଙ୍କୁ ଜଣେ ଶିକ୍ଷକ ଅସଦାଚାରଣ କରିଥିବା ଅଭିଯୋଗ ହୋଇଛି। ଏ ନେଇ ଛାତ୍ରୀଙ୍କ ମା' ଜଳେଶ୍ୱର ଥାନାରେ ଏତଲା ଦେଇଛନ୍ତି। ଅଭିଯୋଗ ପରେ ପୋଲିସ ଅଭିଯୁକ୍ତ ଶିକ୍ଷକଙ୍କୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି।ଏହି ଘଟଣା ଜଳେଶ୍ୱର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଅଭିଯୋଗ ଅନୁଯାୟୀ, ପଞ୍ଚମ ଶ୍ରେଣୀର ଜଣେ ଛାତ୍ରୀଙ୍କ ସହ ଅଭିଯୁକ୍ତ ଶିକ୍ଷକ ବାରମ୍ବାର ଅସାଦାଚାରଣ କରିଥିବା ନେଇ ପରିବାର ପକ୍ଷରୁ ସ୍କୁଲର ଶିକ୍ଷକଙ୍କୁ ଅଭିଯୋଗ କରିଥିଲେ। ମାତ୍ର ସୁଫଳ ନ ମିଳିବାରୁ ଆଜି ଛାତ୍ରୀଙ୍କ ମା’ ଜଳେଶ୍ୱର ଥାନାରେ ଲିଖିତ ଏତଲା ଦାଖଲ କରି ଛନ୍ତି । ଏତଲା ପାଇବା ପରେ ଜଳେଶ୍ୱର ପୋଲିସ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଅଭିଯୁକ୍ତ ଶିକ୍ଷକଙ୍କୁ ଥାନାକୁ ଆଣି ଅଟକ ରଖିଛି। ଘଟଣାର ସତ୍ୟତା ଜାଣିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ଘଟଣା ପ୍ରକାଶ ପାଇବା ପରେ ସ୍ଥାନୀୟ ଅଞ୍ଚଳରେ ଉଦବେଗ ଦେଖାଦେଇଛି ଏବଂ ଅଭିଯୁକ୍ତଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ଦାବି କରାଯାଉଛି।ତେବେ ମାମଲାର ତଦନ୍ତ ଜାରି ରହିଥିବାରୁ ପୋଲିସ ପକ୍ଷରୁ ଅଧିକ ସୂଚନା ଦେଉ ନାହାନ୍ତି।

ଆହୁରି ପଢନ୍ତୁ : ବର୍ଷା ପାଇଁ ସୋମବାର କେନ୍ଦ୍ରାପଡା ଜିଲ୍ଲାରେ ସ୍କୁଲ, ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି