ନୂଆଦିଲ୍ଲୀ,୧୩/୦୪; କେବଳ ଗୀତ ନୁହେଁ ଅନ୍ୟକୁ ଖୁଆଇବାକୁ ବେଶ୍ ପସନ୍ଦ କରୁଥିଲେ ଆଶା ଭୋସଲେ । ସଙ୍ଗୀତ ପରି ଖାଦ୍ୟ ପ୍ରସ୍ତୁତିକୁ ମଧ୍ୟ ସେ ସମ୍ମାନ ଦେଉଥିଲେ । ସେଲିବ୍ରିଟିମାନଙ୍କର ରେସ୍ତୋରାଁ ଟ୍ରେଣ୍ଡ୍ ଆରମ୍ଭ ହେବା ବହୁ ପୂର୍ବରୁ ହିଁ ଆଶା ସେଥିରେ ପାଦ ଦେଇସାରିଥିଲେ । ବିଶ୍ୱର ବିଭିନ୍ନ ଦେଶରେ ଆଶାଙ୍କ ପ୍ରାୟ ୧୦ ରେସ୍ତୋରାଁ ରହିଛି । ନିଜ ବନ୍ଧୁମାନଙ୍କୁ ସେ ନିଜ ହାତରେ ରୋଷେଇ କରି ଖୁଆଇବାରେ ତାଙ୍କୁ ବେଶ୍ ଖୁସି ମିଳୁଥିଲା । ୨୦୨୧ରେ ହଲିଉଡ୍ ସୁପରଷ୍ଟାର ଟମ୍ କ୍ରୁଜ୍ ବର୍ମିଂହାମ ଥିବା ଆଶାଙ୍କ ରେସ୍ତୋରାଁରେ ପହଞ୍ଚିଥିଲେ । ସେତେବେଳେ ଟମ୍ଙ୍କ ଫିଲ୍ମ ‘ମିଶନ ଇମ୍ପସିବଲ’ ସୁଟିଂ ଚାଲିଥିଲା ।

ଟମ୍ ତାଙ୍କ ଫିଲ୍ମ ନିର୍ଦ୍ଦେଶକଙ୍କ ସହ ଭାରତୀୟ ଖାଦ୍ୟ ଖାଇବାକୁ ଆଶାଙ୍କ ରେସ୍ତୋରାଁରେ ପହଞ୍ଚିଥିଲେ । ସେଠାରେ ଟମ୍ ଚିକେନ୍ ଟିକ୍କା ମସାଲା ଅର୍ଡର କରିଥିଲେ । ତାହା ଟମ୍ଙ୍କୁ ଏତେ ପସନ୍ଦ ଆସିଥିଲା ଯେ ଚିକେନ୍ ଟିକ୍କା ମସାଲାକୁ ସେ ପୁଣି ଅର୍ଡର କରିଥିଲେ ଏବଂ ତାହାର ବେଶ୍ ପ୍ରଶଂସା କରିଥିଲେ । ଟମ୍ଙ୍କୁ ତାଙ୍କ ରେସ୍ତୋରାଁ ଖାଦ୍ୟ ଏତେ ପସନ୍ଦ ଆସିଥିବା ଆଶା ଜୀ ଜାଣିବା ପରେ ସେ ବହୁତ ଖୁସି ହୋଇ ଯାଇଥିଲେ ।

​​​​​​​

ଏହା ବି ପଢନ୍ତୁ...'ମୁଁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଶେଷ ମୋଗଲ'.... ସଙ୍ଗୀତର ସେଇ ସୁନେଲି ଯୁଗକୁ ମନେ ପକାଇ ଦିନେ କହିଥିଲେ ଆଶା ଭୋସଲେ

ବିଶ୍ୱରେ ୧୦ ରେସ୍ତୋରାଁର ମାଲିକ- ବଲିଉଡର କିମ୍ବଦନ୍ତୀ ଗାୟିକା ଆଶା ଭୋସଲେ । ୮୦ ବର୍ଷର କ୍ୟାରିଅରରେ ସେ ଅନେକ ମାଇଲଖୁଣ୍ଟ ଠିଆ କରିଛନ୍ତି । ସଙ୍ଗୀତ ଦୁନିଆ ବାହାରେ ତାଙ୍କର ଆଉ ଏକ ପରିଚୟ ମଧ୍ୟ ରହିଛି । ଆଶା ଖାଦ୍ୟପ୍ରେମୀ ଥିଲେ । ସେଥିପାଇଁ ବିଶ୍ୱରେ ପ୍ରାୟ ୧୦ ରେସ୍ତୋରାଁ ଖୋଲିଥିଲେ । ଆଶା ଦୁବାଇରେ ନିଜ ନାଁରେ ଏକ ଭାରତୀୟ ରେସ୍ତୋରାଁ ଖୋଲିଥିଲେ । ସେଠାରେ ଅତିଥିଙ୍କୁ ସେମାନଙ୍କ ପସନ୍ଦର ଖାଦ୍ୟ ପରସାଯାଉଥିଲା । ଆଶା ଥରେ କର୍ଲି ଟେଲ୍ସର ୟୁଟ୍ୟୁବ୍ ଚ୍ୟାନେଲ ସହ ବାର୍ତ୍ତାଳାପରେ କହିଥିଲେ, ବିଶ୍ୱରେ ତାଙ୍କର ୧୦ ରେସ୍ତୋରାଁ ଅଛି । ଦୁବାଇ ସମେତ ଲଣ୍ଡନ, ମାଞ୍ଚେଷ୍ଟରରେ ଗୋଟିଏ ଲେଖାଏଁ, ବର୍ମିଂହମରେ ୨, କୁଏତରେ ୫, ଦୋହା, କାତାର, ବାହାରିନ, ଆବୁଧାବି ଭଳି ମଧ୍ୟପ୍ରାଚ୍ୟ ଦେଶରେ ମଧ୍ୟ ତାଙ୍କର ରେସ୍ତୋରାଁ ଅଛି । ଏକ ବାର୍ତ୍ତାଳାପରେ ଆଶା କହିଥିଲେ, ଶେଫ୍ କୋଟ୍ ପିନ୍ଧିବାକୁ ସେ ଖୁବ୍ ପସନ୍ଦ କରୁଥିଲେ । ରେସ୍ତୋରାଁ ଖୋଲିବାର ବିଚାର ସମ୍ପର୍କରେ ସେ କହିଥିଲେ ‘ମୁଁ ଅନେକ ସମୟରେ ଦୁବାଇ ଆସେ । ମୋ ପୁଅ ଆନନ୍ଦ ଭୋସଲେ ସେଠାରେ ରହେ । ସେଠାରେ ରେସ୍ତୋରାଁ ଖୋଲିବାର ବିଚାର ତା’ର ଥିଲା । ସେ ଛୋଟ ଥିବାବେଳେ ମୁଁ କାମ ସାରି ଘରକୁ ଯେତେବେଳେ ଫେରୁଥିଲି, ସେ ଖାଦ୍ୟ ଖାଇବାକୁ ଜିଦ୍ କରୁଥିଲା ।’