ନୂଆଦିଲ୍ଲୀ: ସୁନ୍ଦର ପୋଷାକ ପିନ୍ଧି ସୁନ୍ଦର ଦିଶିବା କାହାର ବା ସଉକ ନୁହେଁ। ଏମିତିରେ ବି ଭାରତକୁ ଫ୍ୟାସନ କ୍ଷେତ୍ରରେ ଏକ ଅଗ୍ରଣୀ ଦେଶ ଭାବେ ଗଣା ଯାଇଥାଏ। ଭାରତୀୟ ସମାଜରେ ଉଭୟ ଆଧୁନିକ ଶୈଳିର ପୋଷାକ ସାଙ୍ଗକୁ ପାରମ୍ପରିକ ପୋଷାକର ସମ୍ଭାର ଦେଖିବାକୁ ମିଳିଥାଏ। ଏଥିନିକ ଓୟାର ଠୁ ଆରମ୍ଭ କରି କାଜୁଆଲ ଓୟାର ତା ସାଙ୍ଗକୁ ଫର୍ମାଲ ଓୟାର ଭଳି ଭଳିକିଭଳି ପୋଷାକକୁ ନିଜ ଗ୍ରାହକଙ୍କୁ ଯୋଗାଇଥାନ୍ତି ବିଭିନ୍ନ ବ୍ରାଣ୍ଡର କମ୍ପାନି ମାନେ।
ଏହି କମ୍ପାନି ଗୁଡିକ କେବଳଯେ ଦୈନଦିନ ଜୀବନରେ ବ୍ୟବହାର ହେଉଥିବା ପୋଷାକ ଯୋଗାଇଥାନ୍ତି ତାହା ନୁହେଁ। ଏମାନେ ବିବାହ, ପାର୍ଟି, ଅଫିସ ଓ ଅନ୍ୟାନ୍ୟ ପର୍ବପର୍ବାଣି ପାଇଁ ସବୁ ବୟସର ଲୋକମାନଙ୍କ ପାଇଁ ମଧ୍ୟ ପୋଷାକ ଯୋଗାଇଥାନ୍ତି। ବର୍ତ୍ତମାନର ଟ୍ରେଣ୍ଡ ଓ ଗ୍ରାହକ ମାନଙ୍କ ଆବଶ୍ୟକତାକୁ ନଜରରେ ରଖି ମଧ୍ୟ ପୋଷାକ ପ୍ରସ୍ତୁତି କରାଯାଇଥାଏ। କିଛି ପୋଷାକ ବ୍ରାଣ୍ଡର ନାମ ଏମିତି ହୋଇସାରିଛି ଯେଉଁମାନଙ୍କୁ ସେମାନଙ୍କ ଗୁଣବତ୍ତା, ଡିଜାଇନ୍ ଏବଂ ସୁଲଭତା ପାଇଁ ଜଣାଯାଇଥାଏ। ଭାରତରେ ଥିବା କେତେକ ପ୍ରସିଦ୍ଧ ପୋଷାକ ବ୍ରାଣ୍ଡର ନାଁ ହେଉଛି ଫାବଇଣ୍ଡିଆ, ମୁଫତି, ବିବା, ମୋଣ୍ଟେ କାର୍ଲୋ, ଭାନ୍ ହେଉସେନ୍ ଇତ୍ୟାଦି। ଆସନ୍ତୁ ସମ୍ପୃକ୍ତ ବ୍ରାଣ୍ଡ ଗୁଡିକ ବିଷୟରେ ବିଷଦଭାବେ ଆଲୋଚନା କରିବା।
୧. ଫାବ୍ଇଣ୍ଡିଆ
ଫାବ ଇଣ୍ଡିଆ ହେଉଛି ଭାରତର ସବୁଠାରୁ ଲୋକପ୍ରିୟ ପୋଷାକ ବ୍ରାଣ୍ଡ। ଏହି ବ୍ରାଣ୍ଡକୁ ୧୯୬୦ ମସିହାରେ ଜନ୍ ବିସେଲଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ଏହା ଭାରତୀୟ କାରିଗରୀ ଯୁକ୍ତ ହସ୍ତତନ୍ତ ଏବଂ ଜୈବିକ ତନ୍ତୁରେ ନିର୍ମିତ ପୋଷାକ ନିଜ ଗ୍ରାହକ ମାନଙ୍କୁ ଯୋଗାଇଥାଏ। ପାରମ୍ପରିକ ଏବଂ ହସ୍ତତନ୍ତ କପଡା ପାଇଁ ଏହି ବ୍ରାଣ୍ଡ ଜଣାଶୁଣା। ଏହି ବ୍ରାଣ୍ଡ ଗ୍ରାମୀଣ କାରିଗରମାନଙ୍କୁ ସମର୍ଥନ କରି ନିଜ ବ୍ରାଣ୍ଡର ପୋଷାକ ବନାଇଥାଏ।
୨. ମୁଫତି
ମୁଫତି ହେଉଛି ଏକ ପୁରୁଷ କେନ୍ଦ୍ରିକ ଫ୍ୟାଶନ୍ ବ୍ରାଣ୍ଡ। ଯାହା ୧୯୯୮ ରେ କମଲ ଖୁସଲାନିଙ୍କ ଦ୍ୱାରା ପ୍ରତିଷ୍ଠା କରାଯାଇଥିଲା। ମୁଫତି ଏହାର ଷ୍ଟାଇଲିସ୍ ସଂଗ୍ରହ ପାଇଁ ପ୍ରସିଦ୍ଧି ଲାଭ କରିଛି। ଏହା କାଜୁଆଲ୍ ପୋଷାକ ତିଆରି ଉପରେ ଧ୍ୟାନ ଦେଇଥାଏ। ଯେଉଁଥିରେ ଚିକ୍ ଜିନ୍ସ, ସାର୍ଟ ଏବଂ ଜ୍ୟାକେଟ୍ ଅନ୍ତର୍ଭୁକ୍ତ। ଭାରତୀୟ ଯୁବକମାନଙ୍କ ପାଇଁ ଏହି ବ୍ରାଣ୍ଡ ଏକ ଆଧୁନିକ ଲୁକ୍ ପ୍ରଦାନ କରିଥାଏ।
୩. ମୋଣ୍ଟେ କାର୍ଲୋ
ମୋଣ୍ଟେ କାର୍ଲୋ ଏକ ୟୁନିସେକ୍ସ(ଉଭୟ ପୁଅ ଓ ଝିଅଙ୍କ ପାଇଁ) ପୋଷାକ ନିର୍ମାଣ କରୁଥିବା ବ୍ରାଣ୍ଡ। ଯାହା ମୁଖ୍ୟତଃ ନିଜର ପ୍ରିମିୟମ ଶୀତକାଳୀନ ପୋଷାକ ପାଇଁ ସାରା ଭାରତ ବର୍ଷରେ ଜଣାଶୁଣା। ଏହା ଏକ ସମୟରେ ଆରାମ ଏବଂ ଷ୍ଟାଇଲକୁ ପ୍ରଦର୍ଶିତ କରିଥାଏ। ଯାହାକି ମୋଣ୍ଟେ କାର୍ଲୋକୁ ସମଗ୍ର ଭାରତରେ ସ୍ୱେଟର୍, ଜ୍ୟାକେଟ୍ ଏବଂ କାଜୁଆଲ୍ ଓୟେର ପାଇଁ ଏକ ବ୍ରାଣ୍ଡ ଭାବେ ପ୍ରସ୍ତୁତ କରିଥାଏ। ୧୯୮୪ ରେ ଓସୱାଲ୍ ଉଲେନ୍ ମିଲ୍ସଙ୍କ ଦ୍ୱାରା ମୋଣ୍ଟେ କାର୍ଲୋକୁ ଲଞ୍ଚ କରାଯାଇଥିଲା।
୪. ପେପେ ଜିନ୍ସ
ପ୍ରଥମେ ୧୯୭୩ ରେ ଇଂଲଣ୍ଡରେ ପ୍ରତିଷ୍ଠିତ ହୋଇଥିବା ପେପେ ଜିନ୍ସ ପରେ ୧୯୯୦ ଦଶକରେ ଭାରତରେ ପ୍ରବେଶ କରିଥିଲା। ଏହାର ଟ୍ରେଣ୍ଡି ଡେନିମ୍ ସଂଗ୍ରହ ପାଇଁ ଏହି ବ୍ରାଣ୍ଡ ପ୍ରସିଦ୍ଧି ଲାଭ କରିଚି। ଏହି ବ୍ରାଣ୍ଡ ମୁଖ୍ୟତଃ କାଜୁଆଲ୍ ଓୟାର ପ୍ରଦାନ କରିଥାଏ। ଯାହା ଯୁବକ ଏବଂ ଫ୍ୟାଶନ୍ ସମ୍ପଦ୍ଧରେ ସଚେତନ ଥିବା ଲୋକମାନଙ୍କ ମଧ୍ୟରେ ପ୍ରସିଦ୍ଧି ଲାଭ କରିପାରିଛି।
୫. ବିବା
୧୯୮୮ ରେ ମୀନା ବିନ୍ଦ୍ରାଙ୍କ ଦ୍ୱାରା ପ୍ରତିଷ୍ଠିତ ବିବା ମହିଳାମାନେ ପିନ୍ଧୁଥିବା ପାରମ୍ପରିକ ପୋଷାକରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିଲା। ବିବା ନିଜର ସ୍ୱତନ୍ତ୍ର ରଙ୍ଗ ଏବଂ ସୁନ୍ଦର ଡିଜାଇନ୍ ପାଇଁ ଜଣାଶୁଣା। ଏହି ବ୍ରାଣ୍ଡ ମହିଳା ମାନଙ୍କ ଲାଗି କୁର୍ତ୍ତୀ, ସୁଟ୍ ଏବଂ ଲେହେଙ୍ଗା ତିଆରି କରିଥାଏ। ଯାହା ପାରମ୍ପାରିକ ଏବଂ ଆଧୁନିକ ଧାରାର ପୋଷାକକୁ ମିଶେଇକରି ବନାଯାଇଥାଏ।
୬. ଡ଼ବ୍ଲୁ ଫର ଓମେନ
୨୦୦୧ ରେ ଲଞ୍ଚ କରାଯାଇଥିବା ଡ଼ବ୍ଲୁ ଫର ଓମେନ ବ୍ରାଣ୍ଡ ମଧ୍ୟ କେବଳ ମହିଳା ମାନଙ୍କ ପୋଷାକ ବନାଇଥାଏ। ଆଧୁନିକ ସିଲୁଏଟ୍ ଏବଂ ଭାରତୀୟ କାରିଗରୀର ମିଶ୍ରଣ ଯୁକ୍ତ ପୋଷାକ ଏହି ବ୍ରାଣ୍ଡ ମହିଳାମାନଙ୍କୁ ଯୋଗାଇଥାଏ। ଯେଉଁମାନେ ଅଫିସ୍ ଏବଂ ଡେଲି ଓୟାର ପୋଷାକ ପାଇଁ କିଛି ସାଧାରଣ ତଥାପି ଷ୍ଟାଇଲିସ୍ ଓ ସୁନ୍ଦର ପୋଷାକ ଖୋଜନ୍ତି ସେମାନଙ୍କୁ ଏହି ବ୍ରାଣ୍ଡ ଏକ ଭଲ ବିକଳ୍ପ ପ୍ରଦାନ କରିଥାଏ।
୭. ଲେଭି’ସ
ଲେଭି’ସ ଦୁନିଆର ସର୍ବ ପୁରାତନ ଡେନିମ୍ ବ୍ରାଣ୍ଡ ମଧ୍ୟରୁ ଅନ୍ୟତମ। ଲେଭି’ସ ୧୮୫୩ ମସିହାରେ ଆମେରିକାରେ ପ୍ରତିଷ୍ଠିତ ହୋଇଥିଲା। ୯୦ ଦଶକରେ ଲେଭି’ସ ଭାରତରେ ପ୍ରବେଶ କରିଥିଲା। ଏହି ବ୍ରାଣ୍ଡ ନିଜ ଗ୍ରାହକ ମାନଙ୍କୁ ଉଚ୍ଚମାନର ଜିନ୍ସ ଏବଂ କାଜୁଆଲ୍ ଓୟାର ପ୍ରଦାନ କରିଥାଏ।
୮. ଆଲେନ୍ ସୋଲି
୧୯୯୩ ରେ ଆଦିତ୍ୟ ବିର୍ଲା ଗ୍ରୁପ୍ ଦ୍ୱାରା ଆରମ୍ଭ ହୋଇଥିଲା ଆଲେନ୍ ସୋଲି ବ୍ରାଣ୍ଡ। ଏହି ବ୍ରାଣ୍ଡ ଫର୍ମାଲ ଓ କାଜୁଆଲ୍ ଓୟାର ପୋଷାକର ମିଶ୍ରଣ ପ୍ରଦାନ କରିଥାଏ। ଏହି ବ୍ରାଣ୍ଡ ଏହାର ସ୍ମାର୍ଟ ଏବଂ ଆଧୁନିକ ପୋଷାକ ପାଇଁ ଭାରତରେ ଏକ ପସନ୍ଦର ବ୍ରାଣ୍ଡ ହୋଇପାରିଛି।
୯. ଭାନ୍ ହେଉସେନ୍
ଭାନ୍ ହେଉସେନ୍ ଉଭୟ ପୁରୁଷ ଏବଂ ମହିଳା ମାନଙ୍କ ପାଇଁ ପୋଷାକ ବନାଇଥାଏ। ଏହି ପୋଷାକ ବ୍ରାଣ୍ଡ ମଧ୍ୟ ଆଦିତ୍ୟ ବିର୍ଲା ଗ୍ରୁପ୍ ର ଅନ୍ୟ ଏକ ସବସିଡାରି ବ୍ରାଣ୍ଡ। ଅଫିସ୍ ଏବଂ କର୍ପୋରେଟ୍ ଫ୍ୟାଶନ କ୍ଷେତ୍ରରେ କ୍ଲାସିକ୍ ଷ୍ଟାଇଲିଂ ପାଇଁ ସର୍ବୋଚ୍ଚ ପସନ୍ଦ କରାଯାଉଥିବା ବ୍ରାଣ୍ଡ ମଧ୍ୟରେ ଏହି ବ୍ରାଣ୍ଡ ନାମ ରହିଛି।
୧୦. ପିଟର ଇଂଲଣ୍ଡ
ପିଟର ଇଂଲଣ୍ଡ ଏହାର ସୁଲଭ ଏବଂ ଉଚ୍ଚମାନର ଆନୁଷ୍ଠାନିକ ପୋଷାକ ପାଇଁ ବେଶ ଜଣାଶୁଣା। ଏହା ୧୮୮୯ ମସିହାରେ ଆୟର୍ଲାଣ୍ଡରେ ପ୍ରତିଷ୍ଠିତ ହୋଇଥିଲା ଏବଂ ୧୯୯୭ ରେ ଭାରତକୁ ଆସିଥିଲା। ଏହାର ନିର୍ଭରଯୋଗ୍ୟ ଏବଂ ଷ୍ଟାଇଲିସ୍ ପୋଷାକ ପାଇଁ ଏହା ପେସାଦାର ଏବଂ ଛାତ୍ରମାନଙ୍କ ମଧ୍ୟରେ ବିଶେଷ ଲୋକପ୍ରିୟ ହୋଇପାରିଛି। ଏହି ଲୋକପ୍ରିୟ କପଡା ବ୍ରାଣ୍ଡକୁ ଆଦିତ୍ୟ ବିର୍ଲା ଗ୍ରୁପ୍ ୨୦୦୦ ମସିହାରେ ନିଜ ଅଧିନକୁ ଆଣିଥିଲା।