ରାୟପୁର/ମାଲକାନଗିରି, ୦୭/୦୬:  ଛତିଶଗଡ଼ର ବିଜାପୁର ଜିଲ୍ଲା ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅଞ୍ଚଳରେ ସୁରକ୍ଷା ବାହିନୀ ସହ ଏନ୍‌କାଉଣ୍ଟରରେ ନକ୍ସଲ ନେତା ଭାସ୍କର (୪୫) ଙ୍କର ମୃତ୍ୟୁ ଘଟିଛି । ଭାସ୍କର ଆନ୍ଧ୍ରପ୍ରଦେଶର ଆଦିଲାବାଦ ଜିଲ୍ଲାର ବାସିନ୍ଦା । ସେ ମଞ୍ଚେରିୟଲ କୋମାରାମ ଭୀମ (ଏମ୍‌କେବି) ସଙ୍ଗଠନର  ଡିଭିସି ସଦସ୍ୟ ଥିଲେ । ତାଙ୍କ ମୁଣ୍ଡ ଉପରେ ୪୫ ଲକ୍ଷ  ଟଙ୍କାର ପୁରସ୍କାର ରାଶି ରହିଥିଲା । ଏନ୍‌କାଉଣ୍ଟର ସ୍ଥଳରୁ ସୁରକ୍ଷା ବାହିନୀର ଯବାନମାନେ ଭାସ୍କରଙ୍କ ମୃତଦେହ  ଏବଂ ଏକ ସ୍ୱୟଂଚାଳିତ ବନ୍ଧୁକ ଜବତ କରିଛନ୍ତି ।  

ଗୁରୁବାର ସୁରକ୍ଷା ବାହିନୀ ସହ ସଂଘର୍ଷରେ ନକ୍ସଲ ନେତା ସୁଧାକରଙ୍କର ମୃତ୍ୟୁ ହୋଇଥିଲା । ସେ ତେଲଙ୍ଗାନା,  ମହାରାଷ୍ଟ୍ର ଓ ଛତିଶଗଡ ପାଇଁ ମୋଷ୍ଟ ୱାଣ୍ଟେଡ ଥିଲେ ।  ତାଙ୍କ ମୁଣ୍ଡ ଉପରେ ୧ କୋଟି ଟଙ୍କାର ପୁରସ୍କାର ରାଶି  ଥିଲା । ଇନ୍ଦ୍ରାବତୀ ନ୍ୟାସନାଲ ପାର୍କ ଅନ୍ତର୍ଗତ ଜଙ୍ଗଲରେ  ବହୁ ମାଓନେତା ଏକାଠି ହୋଇଥିବା ଗୁଇନ୍ଦା ସୂଚନା ମିଳିବା  ପରେ ଛତିଶଗଡ ପୁଲିସର ଏସ୍‌ଟିଏଫ୍‌, ଡିଆରଜି  ଏବଂ ସିଆରପିଏଫର କୋବ୍ରା ବାଟାଲିୟନର ଯବାନମାନେ  ମିଳିତ ତଲାସୀ ଅଭିଯାନ ଆରମ୍ଭ କରିଥିଲେ । ଏହି  ସମୟରେ ଘାତ ଲଗାଇ ବସିଥିବା ନକ୍ସଲଙ୍କ ସହ ଯବାନଙ୍କର  ଗୁଳି ବିନିମୟ ହୋଇଥିଲା । ଗୁରୁବାର ସୁଧାକରଙ୍କ  ମୃତଦେହ ମିଳିଥିଲା ବେଳେ ଶୁକ୍ରବାର ସେଠାରେ ତଲାସୀ  ବେଳେ ଯବାନମାନେ ଭାସ୍କରଙ୍କ ମୃତଦେହ ପାଇଥିଲେ ।