ଭୁବନେଶ୍ୱର,୨୩।୦୨: ଭୁବନେଶ୍ୱର ସ୍ଥିତ ଜନତା ମଇଦାନରେ ଚାଲିଛି ଭବ୍ୟ ତୋଷାଳି ସ୍ୱଦେଶୀ ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା । ଫେବୃଆରୀ ୧୪ରୁ ଆରମ୍ଭ ହୋଇଥିବା ଏହି ମେଳା ଚାଲିବ ଫେବୃଆରୀ ୨୬ ଯାଏ । କିନ୍ତୁ ବିଡ଼ମ୍ବନା ଏ ମେଳାର ଭବ୍ୟତା କେବଳ ନାମରେ ହିଁ ସୀମିତ । ମେଳାର ମୁଖ୍ୟ ସ୍ୱାଗତ ଫାଟକକୁ ସଜାଯାଇଛି ସମ୍ବଲପୁରୀ ବାନ୍ଧ ଶାଢ଼ି ଭଳି ଦେଖାଯାଉଥିବା ସଂପୂର୍ଣ୍ଣ ଛାପା ଶାଢିରେ । ଯାହା ଘରେ ନ ପଶୁଣୁ ମୁଣ୍ଡରେ ଚାଳ ବାଜିବା ଭଳି... ମେଳାର ସଂପୂର୍ଣ୍ଣ ଭବ୍ୟତା ଏତିକିରେ ସୀମିତ ନୁହଁ । ମେଳା ଭିତରକୁ ଯାଉଥିବା ବ୍ୟକ୍ତି ହୁଏତ କେବଳ ଉଜ୍ଜ୍ୱଳ ଆଲୋକରେ ମେଳାର ଭବ୍ୟତା ଦେଖିବେ କିନ୍ତୁ ଦିନରେ ମେଳା ବୁଲିଯାଉଥିବା ବ୍ୟକ୍ତିଙ୍କ ପାଇଁ ଏହା କେବଳ ଏକ ହାଟ ପରି ହିଁ ମନେ ହେବ । ମେଳାର ସାଜ୍ଜସଜ୍ଜା କଥା ବାଦ୍ ଦିଆଯାଉ । ମେଳାର ବୈଶିଷ୍ଟ୍ୟ ବିଷୟରେ ଲକ୍ଷ୍ୟ କଲେ ଅନେକ ଅସଙ୍ଗତି ଦୃଷ୍ଟିକୁ ଆସୁଛି ।
ତୋଷାଳି ମେଳା ହସ୍ତତନ୍ତ ଓ ହସ୍ତଶିଳ୍ପ ମେଳା ଭାବରେ ପ୍ରସିଦ୍ଧ । ଭୁବନେଶ୍ୱର ତଥା ଆଖପାଖ ଅଞ୍ଚଳର ବ୍ୟକ୍ତିମାନେ ହସ୍ତତନ୍ତ ଓ ହସ୍ତଶିଳ୍ପ ଜିନିଷ କିଣିବା ପାଇଁ ଏହି ମେଳାକୁ ଆସିଥାନ୍ତି । କିଏ ପଟ୍ଟଚ୍ଚିତ୍ର ପାଇଁ ବର୍ଷ ତମାମ୍ ଏହି ମେଳାକୁ ଅପେକ୍ଷା କରିଥାନ୍ତି ତ କିଏ ସମ୍ବଲପୁରୀ ଶାଢ଼ି ରିହାତି ଦରରେ କିଣିବା ପାଇଁ ଏହି ମେଳାକୁ ଅପେକ୍ଷା କରିଥାନ୍ତି । କିନ୍ତୁ ଭୁବନେଶ୍ୱରରେ ଲାଗୁଥିବା ଅନ୍ୟ ମେଳା ଭଳି ଏଥର ତୋଷାଳି ମେଳାରେ ବି ଦେଖିବାକୁ ମିଳିଛି ହସ୍ତତନ୍ତ ଶାଢି ବଦଳରେ ପାୱାରଲୁମ୍ ଶାଢ଼ିର ଆଧିପତ୍ୟ । କାଁ ଭାଁ କିଛି ଦୋକାନରେ ଭାରତ ସରକାରଙ୍କ ସିଲ୍କମାର୍କ ଓ ହ୍ୟାଣ୍ଡଲୁମ୍ ମାର୍କ ଲୋଗୋଯୁକ୍ତ ଶାଢ଼ି ବିକ୍ରି ହେଉଛି । ଏହା ବ୍ୟତୀତ ସ୍ୱଦେଶୀ ହସ୍ତତନ୍ତ ମେଳାରେ ମାଳ ମାଳ ଚାଇନା ତିଆରି କଣ୍ଡେଇ ଓ ଖେଳଣା ଦୋକାନ । ଅବଶ୍ୟ ଏମାନଙ୍କୁ କୌଣସି ସ୍ୱତନ୍ତ୍ର ଷ୍ଟଲ ଦିଆଯାଇନାହିଁ । ତଥାପି ମେଳା ମଝିରେ ଆସର ଜମାଇ ବସିଥିବା ଏଭଳି ଦୋକାନିଙ୍କୁ ଅଣଦେଖା କରାଯାଇପାରିବନି ।
ଅସଲି କି ନକଲି ଯାଞ୍ଚ କରିବାକୁ ନାହାନ୍ତି ସ୍କ୍ୱାଡ୍:
ହ୍ୟାଣ୍ଡଲୁମ୍ ଦରରେ ପାୱାରଲୁମ୍ ଶାଢ଼ି ବିକ୍ରି ହେବାକୁ ନେଇ ବାରମ୍ବାର ରିପୋର୍ଟ ପ୍ରକାଶ ହେବା ପରେ ମଧ୍ୟ ମେଳାରେ ହସ୍ତତନ୍ତକୁ ଯାଞ୍ଚ କରିବା ପାଇଁ କୌଣସି ସ୍ୱତନ୍ତ୍ର ସ୍କ୍ୱାଡ୍ ମଧ୍ୟ ନାହାନ୍ତି । ଅବଶ୍ୟ ସଚେତନ ନଥିବା ଲୋକ ଭାବୁଛନ୍ତି ଯେ ଖୁବ ଶସ୍ତାରେ ସେମାନେ ହସ୍ତତନ୍ତ ଶାଢ଼ି କିଣୁଛନ୍ତି । ହ୍ୟାଣ୍ଡଲୁମ୍ ଓ ପାୱାରଲୁମ୍ ନେଇ ବିଶେଷ ଧାରଣା ନଥିବା ଲୋକେ ମଧ୍ୟ ବାରି ପାରୁନାହାନ୍ତି ଦୁଇ ପ୍ରକାର ବୟନ ଶୈଳୀ ଭିତରେ ଥିବା ଫରକ । ଯଦି ଆରମ୍ଭରୁ ଏକ ସ୍କ୍ୱାଡ୍ ଗଠନ ହୋଇ ପାୱାରଲୁମ୍ କି ହ୍ୟାଣ୍ଡଲୁମ୍ ବୋଲି ଯାଞ୍ଚପରଖ କରନ୍ତି ତେବେ ହୁଏତ ଏଭଳି ସମସ୍ୟା ସୃଷ୍ଟି ହୁଅନ୍ତା ନାହିଁ ।
୫୦୦ ଟଙ୍କାରେ ନକଲି ଖଦି:
୫୦୦ ଟଙ୍କାରେ ଯୋଡ଼ାଏ ଖଦି କୁର୍ତ୍ତା ମିଳୁଛି ତୋଷାଳି ମେଳାରେ । କିନ୍ତୁ ଖଦି ନାମରେ ବିକ୍ରି ହେଉଛି ସାଧାରଣ ସୂତାରେ ତିଆରି କପଡା । ବଜାରରେ ମିଳୁଥିବା ଅନ୍ୟ କୁର୍ତ୍ତା ଭଳି ଏହି କୁର୍ତ୍ତା । ଅବଶ୍ୟ ସବୁ ଖଦି କୁର୍ତ୍ତା ନକଲି ନୁହଁ । ତଥାପି ଲୋକମାନେ କିଣିବା ସମୟରେ ସଚେତନତା ଅବଲମ୍ବନ କରିବା ଓ ଅସଲି-ନକଲି ପ୍ରତି ସାବଧାନତା ଅବଲମ୍ବନ କରିବା ନିହାତି ଜରୁରୀ । ଏହା ବ୍ୟତୀତ ମେଳାରେ ୧୫୦୦ରୁ ୧୮୦୦ ଟଙ୍କା ମଧ୍ୟରେ ମିଳୁଛି ଭଳିକି ଭଳି ସିଲ୍କ ଶାଢ଼ି । ଯାହାର କୌଣସି ସିଲ୍କ ମାର୍କ ନାହିଁ । ଅନ୍ୟ ପକ୍ଷରେ ଅଜରଖ, ମଲବେରୀ, ଟସର, କାନ୍ଥା ଷ୍ଟିଚ୍ ନାମରେ ବି ବିକ୍ରି ହେଉଛି ବିଭିନ୍ନ ପ୍ରକାରର ନକଲି ଓ ପାୱାରଲୁମ୍ ଶାଢ଼ି ।
ନିଷ୍ପ୍ରଭ ଓଡ଼ିଶା ହସ୍ତଶିଳ୍ପ:
କୁହାଯାଏ ଉତ୍କୃଷ୍ଟ କଳାର ଦେଶ ଉତ୍କଳ । ଉତ୍କଳରେ କଳାର ଅଭାବ ନଥାଇ ମଧ୍ୟ ଓଡିଶାରେ ଆୟୋଜିତ ହୋଇଥିବା ଏହି ଭବ୍ୟ ମେଳାରେ ଓଡ଼ିଶା ହସ୍ତତନ୍ତ ଓ ହସ୍ତଶିଳ୍ପକୁ ବିଶେଷ ଭାବେ ସ୍ଥାନିତ ହେଲା ଭଳି ମନେ ହେଉନି । ଏକଥା ଜୋର୍ ଦେଇ କହୁଛନ୍ତି ମେଳା ବୁଲିବାକୁ ଆସୁଥିବା ଅନେକ ଲୋକ । ପୂର୍ବାପେକ୍ଷା ଏଥର ଖୁବ୍ କମ୍ ସଂଖ୍ୟାରେ ପଟ୍ଟଚିତ୍ର, ଚାନ୍ଦୁଆ, ତାରକସି, ଢୋକ୍ରା, ବାଉଁଶ କ୍ରାଫ୍ଟ୍ ଷ୍ଟଲ୍ ଥିବା ସମୟରେ କୁଟିଆ କନ୍ଧ ଚିତ୍ରକଳା, ସଉରା ଚିତ୍ରକଳା ଆଦି ପାଇଁ ସେଭଳି କୌଣସି ସ୍ୱତନ୍ତ୍ର ଷ୍ଟଲ୍ ନଥିବାର ଅଭିଯୋଗ କରୁଛନ୍ତି ଲୋକ । ବାହାର ରାଜ୍ୟରୁ ଆଖିଦୃଶିଆ ସଂଖ୍ୟକ ଷ୍ଟଲ୍ ମେଳାରେ ଆସର ଜମାଇଥିଲେ ବି ଓଡି଼ଶାର ଟେରାକୋଟା, ପଥର ଖୋଦେଇ ଓ କାଠ ଖୋଦେଇ ଚିତ୍ରକଳାକୁ ବିଶେଷ ଗୁରୁତ୍ୱ ଦିଆଗଲା ଭଳି ମନେ ହେଉନି । ତେବେ ସବୁ ମଧ୍ୟରେ ସବୁଠାରୁ ଅଧିକ ନକଲି ଶାଢ଼ି କେବଳ ଓଡି଼ଶା ହସ୍ତତନ୍ତ ନାମରେ ହିଁ ବିକ୍ରି ହେଉଛି ବୋଲି କୁହନ୍ତି ମେଳା ବୁଲିବାକୁ ଆସିଥିବା କିଛି ଅଭିଜ୍ଞ ବ୍ୟକ୍ତି ।
ଖାଣ୍ଟି ହସ୍ତତନ୍ତ ଚିହ୍ନିପାରିଲେ ହେଲା:
ମେଳା ଯେ କେବଳ ପାୱାରଲୁମ୍ ଓ ମେସିନ ତିଆରି ଜିନିଷରେ ଭରପୂର ସେଭଳି ନୁହଁ । ମେଳାରେ ଏଭଳି କିଛି ଦୋକାନ ଅଛି ଯେଉଁଠାରେ ଖାଣ୍ଟି ଓ ବିଶୁଦ୍ଧ ହସ୍ତତନ୍ତ ଜିନିଷ ବିକ୍ରି ହେଉଛି । ତେଣିକି ସେ ଶାଢ଼ି ହେଉ କି ବେଡସିଟ୍ । ତାମିଲନାଡୁର ସାଲେମ ଜିଲ୍ଲାରୁ ଆସିଥିବା ହସ୍ତତନ୍ତ ସୋସାଇଟି ପକ୍ଷରୁ ମେଳାରେ ବିକ୍ରି କରାଯାଉଛି ଚିଜ୍ କଟନ୍ ନାମରେ ସ୍ୱତନ୍ତ୍ର ହସ୍ତତନ୍ତ ବେଡସିଟ୍ । ସେହିପରି ରାଜସ୍ଥାନରୁ ସାଙ୍ଗାନେରି ବ୍ଲକ୍ ପ୍ରିଣ୍ଟର ଉତ୍କୃଷ୍ଟ ମାନର ବେଡସିଟ୍ ମଧ୍ୟ ସୁଲଭ ମୂଲ୍ୟରେ ଉପଲବ୍ଧ ହେଉଛି ଏହି ମେଳାରେ । ଏହା ବ୍ୟତୀତ ବନାରସୀ ପାଟ ଉପରେ କଚ୍ଛ ଷ୍ଟିଚ୍ର ମିଶ୍ରଣ ତଥା ଟସର୍ ଉପରେ ବୁଲିୟାନ ଷ୍ଟିଚ୍, କାନ୍ଥା ଷ୍ଟିଚ୍ ଓ ସୂତା ଶାଢ଼ିରେ ଲମ୍ବାନି, ଗୁଜୁରାଟି ଷ୍ଟିଚ୍ ଭଳି ସ୍ୱତନ୍ତ୍ର ଧରଣର ହାତବୁଣା ଶାଢ଼ି ମେଳାର ଆକର୍ଷଣ ସାଜିଛି । ଯଦିଓ ଏସବୁ ଶାଢ଼ିର ମୂଲ୍ୟ ଅଧିକ ତେଣୁ ସେହି ଷ୍ଟଲ୍ରେ ଲୋକଙ୍କ ଭିଡ଼ ଆଖିଦୃଶିଆ ହେଉନାହିଁ ।
ଅଧିକ ପଢ଼ନ୍ତୁ:ସବୁଠୁ ମାରାତ୍ମକ ମହୁ, ମଣିଷ ପାଇଁ ପ୍ରାଣଘାତକ