ନୂଆଦିଲ୍ଲୀ ୨୨/୦୨: ମାତ୍ର ଏକ ଚାମଚ । ଏହାଠାରୁ ଅଧିକ ମାତ୍ରାରେ ଶରୀରରେ ପ୍ରବେଶ କଲେ ଦେଖା ଦେଇପାରେ ପାଗଳାମି । ସ୍ନାୟୁ ଅବଶ ହୋଇ ପ୍ରାଣସଂକଟ ହେବାର ଆଶଙ୍କା ରହିଛି । ଆଶ୍ଚର୍ଯ୍ୟ ଲାଗୁଥାଇପାରେ ଯେ, ମଧୁକୁ ମହୌଷଧି କୁହାଯାଉଥିଲାବେଳେ ଏହି ମହୁ ମଣିଷ ପାଇଁ ମାରାତ୍ମକ । ଏହା ଦୁନିଆର ସବୁଠୁ ବିଷାକ୍ତ ମହୁ ଯାହା ‘ମ୍ୟାଡ୍ ହନି’ ନାମରେ ପରିଚିତ । ସାଧାରଣ ମହୁ ତୁଳନାରେ ଗାଢ଼ ଏବଂ ଲାଲ ରଙ୍ଗର ଦେଖିବାକୁ ଏହି ମହୁର ସ୍ୱାଦ ଚାଖି ଅନେକ ଲୋକ ଗୁରୁତର ଅସୁସ୍ଥ ହୋଇଥିବାର ପ୍ରମାଣ ଅଛି । ନେପାଳ ଅଧୀନସ୍ଥ ହିମାଳୟର ଦୁର୍ଗମ ପାହାଡ଼ର ତିନି ହଜାର ମିଟର ଉଚ୍ଚତାରେ ମିଳିଥାଏ ଏହି ‘ମ୍ୟାଡ୍ ହନି’ ବା ‘ପାଗଳ ମହୁ’ ।

‘ମ୍ୟାଡ୍ ହନି’ର ରାସାୟନିକ ନାଁ ପ୍ରାୟାନୋଟକ୍ସିନ । ନାମରେ ହିଁ ବିଷର ଉଲ୍ଲେଖ ରହିଛି । ମଣିଷ ଏବଂ ଅନ୍ୟ କିଛି ପ୍ରାଣୀଙ୍କ କ୍ଷେତ୍ରରେ ପ୍ରାୟାନୋଟକ୍ସିନ କେନ୍ଦ୍ରୀୟ ସ୍ନାୟୁତନ୍ତ୍ର ବା ସେଣ୍ଟ୍ରାଲ୍ ନର୍ଭସ୍ ସିଷ୍ଟମ ଉପରେ ମାରାତ୍ମକ ପ୍ରଭାବ ପକାଇଥାଏ । ରକ୍ତଚାପ କମାଇବା ସହିତ ହୃଦ୍‌ସ୍ପନ୍ଦନରେ ଅସଙ୍ଗତି ସୃଷ୍ଟି କରିଥାଏ । କିଛି କ୍ଷେତ୍ରରେ ଦୃଷ୍ଟିଶକ୍ତି କମି ଆସେ । ମୁଣ୍ଡ ବୁଲେଇବା ସହିତ ଶ୍ୱାସକଷ୍ଟ ହୋଇଥାଏ । ଏହି ମହୁ ପ୍ରଭାବରୁ ବାନ୍ତି ଲାଗିବା, ଚେତା ହରାଇବା, ବାତ ମାରିବା, ପେଶିରେ ପକ୍ଷାଘାତ ଏବଂ ଭୁଲଭାଲ୍ ଗପିବା ଭଳି ଉପସର୍ଗ ଦେଖାଦେଇପାରେ । ପୃଥିବୀରେ ମାତ୍ର ଦୁଇଟି ସ୍ଥାନରେ ଏହି ବିଷାକ୍ତ ମହୁ ମିଳିଥାଏ । ତୁର୍କିର କୃଷ୍ଣସାଗର ଅଞ୍ଚଳ ଏବଂ ନେପାଳର ହିମାଳୟର ଦୁର୍ଗମ ପାହାଡି ଅଞ୍ଚଳରେ ।

‘ମ୍ୟାଡ୍ ହନି’ ଚିହ୍ନିବାର ଉପାୟ ହେଲା ଏହାର ରଙ୍ଗ ଏବଂ ତୀବ୍ର ସୁଗନ୍ଧ । ସ୍ୱାଦ ମଧ୍ୟ ସାଧାରଣ ମହୁ ତୁଳନାରେ କଟୁ ଏବଂ କଷା । ଯେଉଁମାନେ ନିର୍ଦ୍ଦିଷ୍ଟ ମାତ୍ରାରୁ ଅଧିକ ଏହି ମହୁ ଖାଇଛନ୍ତି ସେମାନଙ୍କ ମଧ୍ୟରେ ପାଗଳାମିର ଲକ୍ଷଣ ଧରାପଡ଼ିଛି । ମୁଖ୍ୟତଃ ରଡୋଡେନଡ୍ରମ୍ ଫୁଲର ମହୁରେ ଥାଏ ଏହି ଉପାଦାନ । ତେବେ ଏରିକେସି ଗ୍ରୁପ୍ର ଅନ୍ୟାନ୍ୟ ଗଛର ମହୁରେ ବି ମିଳିଥାଏ ଏହି ଧରଣର ବିଷାକ୍ତ ଉପାଦାନ ଯାହାକୁ କୁହାଯାଏ ପ୍ରାୟାନୋଟକ୍ସିନ ପଏଜନିଂ ବା ରଡୋଡେନଡ୍ରମ୍ ପଏଜନିଂ । ରଡୋଡେନଡ୍ରମ୍ ଫୁଲର ପ୍ରାଚୁର୍ଯ୍ୟ ଥିବା ପାହାଡ଼ି ଅଞ୍ଚଳରେ ‘ମ୍ୟାଡ୍ ହନି’ ଉତ୍ପନ୍ନ ହୋଇଥାଏ । ଆମେରିକୀୟ ଉଦ୍ଭିଦବିଜ୍ଞାନୀ ଆସା ଗ୍ରେ ଜାପାନର ଲିଉକୋଥୋୟି ପ୍ରାୟାନା ନାମକ ଏକ ଗଛର ନାଁରୁ ଏହି ମହୁର ନାଁ ଦେଇଥିଲେ ପ୍ରାୟାନୋଟକ୍ସିନ । ଏହାର ରାସାୟନିକ ବିନ୍ୟାସ ଉପରେ ଭିତ୍ତି କରି ପ୍ରାୟାନୋଟକ୍ସିନ ଆଡ୍ରୋମେଡଟକ୍ସିନ, ଆସିଟାଇଲଲ୍ୟାଣ୍ଡ୍ରୋମେଡଲ୍ ଏବଂ ରୋଡୋଟକ୍ସିନ ଏବଂ ଆସିବୋଟକ୍ସିନ ଆଦି ଭାଗରେ ବିଭକ୍ତ କରାଯାଇଥାଏ ।

ଆହୁରି ପଢ଼ନ୍ତୁ...ଦେଶୀ ବିଜ୍ଞାପନରେ କୋରିଆ ଷ୍ଟାର୍, ୫ ବର୍ଷରେ ୩୫୦% ବଢ଼ିଛି ପପ୍ କ୍ରେଜ୍

ଇତିହାସ କୁହେ, ଏକ ସେନାବାହିନୀକୁ ବିପର୍ଯ୍ୟସ୍ତ କରିଦେଇଥିଲା ଏହି ମହୁରୂପୀ ଗରଳ । ଖ୍ରୀଷ୍ଟପୂର୍ବ ଚତୁର୍ଥ ଶତାବ୍ଦୀରେ କୃଷ୍ଣ ସାଗର ଉପକୂଳରେ ଟ୍ରାବଜନ ପାଖରେ ଯୁଦ୍ଧ କରିବାକୁ ଯାଆନ୍ତି ଗ୍ରୀକ୍ ଯୋଦ୍ଧା ଜେନୋଫୋନ । ସେହି ଯୁଦ୍ଧ ଲଢ଼ିବାକୁ ଯାଇ ତାଙ୍କ ସୈନିକମାନେ ମାତ୍ରାଧିକ ଭାବେ ଏହି ମହୁ ପିଇ ଦିଅନ୍ତି । ଫଳରେ ଯୁଦ୍ଧ କରିବା ଦୂରର କଥା, ଠିକ୍ ଭାବରେ ଛିଡ଼ା ହେବାର କ୍ଷମତା ହରାଇ ବସନ୍ତି ସେମାନେ । ଅନେକେ ମୃତବତ୍ ପଡ଼ି ରହନ୍ତି । ଆଉ କେତେକଙ୍କ ମଧ୍ୟରେ ପାଗଳାମିର ଲକ୍ଷଣ ଦେଖାଦିଏ । ନେପାଳର ଗୁରୁଙ୍ଗ ଉପଜାତିର ଲୋକମାନେ ଏହି ମହୁ ସଂଗ୍ରହ କରିବା ପାଇଁ ସାରା ଶରୀରରେ ମୋଟା ଚାଦର ପରି ଚଟେଇ ଆବୃତ୍ତ କରିଥାଆନ୍ତି । ବର୍ଷକୁ ଦୁଇ ଥର ଶରତ ଏବଂ ବସନ୍ତ ଋତୁରେ ଏହି ମଧୁ ସଂଗ୍ରହ କରାଯାଇଥାଏ ।