ପ୍ରମୂଖ ଖବର
  • ଚନ୍ଦ୍ରଭାଗାରେ ବୁଡ଼ି ମହିଳା ଗୁରୁତର, ଉଦ୍ଧାର କଲା କୋଣାର୍କ ଅଗ୍ନିଶମ ବାହିନୀ
  • ||
  • ଜଳେଶ୍ୱର : ବ୍ୟବସାୟୀଙ୍କ ଘରୁ ଲୁଟ୍‌, ୫୦ ଲକ୍ଷର ସୁନା ଗହଣା ସହ ୧୦ ଲକ୍ଷ ଟଙ୍କା ଚୋରି କଲେ ଦୁର୍ବୃତ୍ତ
  • ||
  • ଦୁଇ ଦିନ ପ୍ରଚଣ୍ଡ ତାତି ମିଳିବନି ନିସ୍ତାର: ୭ ଜିଲ୍ଲାରେ କାଳବୈଶାଖୀ ବର୍ଷା ସମ୍ଭାବନା,୧୯ରୁ କମିବ
  • ||

ଖୁବଶୀଘ୍ର ହୀରାକୁଦକୁ ଆସିବ ବୋଟ୍‌ ହାଉସ୍‌, ପର୍ଯ୍ୟଟନ ମାଷ୍ଟରପ୍ଲାନ୍‌ରେ ସାମିଲ ହେବ ଲେଜର୍‌ ସୋ’, ମ୍ୟୁଜିୟମ୍‌

Published By : Prameya | March 13, 2025 1:48 PM

ସମ୍ବଲପୁର,୧୩/୦୩: ପର୍ଯ୍ୟଟନ କେନ୍ଦ୍ର ପାଲଟିବ ହୀରାକୁଦ । ନୀଳ ଜଳରାଶି ଭିତରେ  ଭ୍ରମଣ ସୁବିଧା ମିଳିବ । ଗୋଆ, କେରଳ ଭଳି ପର୍ଯ୍ୟଟକ ବୋଟ୍‌ ହାଉସ୍‌ର ମଜା ନେବେ ।  ଏଥିରେ ହୋଟେଲ୍‌ ଭଳି ସୁବିଧା ରହିବ ।  ଚକାଚକ୍‌ କୋଠରୀ ସହ ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ । ପର୍ଯ୍ୟଟକ ହୀରାକୁଦ ଜଳଭଣ୍ଡାରରେ  ଦିନ ସହ ରାତିର ମଜା ଉଠାଇବେ । ପର୍ଯ୍ୟଟନର  ବିକାଶ ପାଇଁ ହୀରାକୁଦ ମାଷ୍ଟରପ୍ଲାନରେ ଖୁବ ଶୀଘ୍ର ହୀରାକୁଦକୁ ଆସିବ ବୋଟ୍‌ ହାଉସ୍‌ । ଏ ନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ  ସିଦେ୍ଧଶ୍ୱର ବଳିରାମ ବୋନ୍ଦର । 

ବନ୍ୟପ୍ରାଣୀ, ଆର୍ଦ୍ରଭୂମି ଏବଂ  ଜଳସମ୍ପଦରେ ପରିପୂର୍ଣ୍ଣ ସମ୍ବଲପୁର ପାଇଁ  ପ୍ରସ୍ତୁତ ହେଉଥିବା ମାଷ୍ଟରପ୍ଲାନ୍‌କୁ ଏବେ ବଳ ମିଳିଛି । ବୁଧବାର ପର୍ଯ୍ୟଟନ ବିଭାଗ ଆୟୁକ୍ତ ଓ  ସଚିବ ବଲବନ୍ତ ସିଂହ ସମ୍ବଲପୁରରେ ପହଞ୍ଚି  ଜିଲ୍ଲାପାଳ, ଆରଡିସିଙ୍କ ସହ ଆଲୋଚନା  କରିଛନ୍ତି । ଅଧିକାରୀ  ଓ ସ୍ଥପତି କ୍ଷେତ୍ର ପରିଦର୍ଶନ  କରିବେ । ୫ ହଜାର କୋଟି ଟଙ୍କାର ଏହି  ପ୍ରକଳ୍ପରେ ପ୍ରାଥମିକ ପର୍ଯ୍ୟାୟରେ ଏବେ  ବୋଟ୍‌ ହାଉସ୍‌ ଆସିବ । ଏଥିରେ ପର୍ଯ୍ୟଟକ  ନୀଳ ଜଳରାଶିରେ ହୋଟେଲ୍‌ ଭଳି ମଜା  ନେଇପାରିବେ । ସେହିଭଳି ହୀରାକୁଦରେ  ଲେଜର୍‌ ସୋ ମଧ୍ୟ ହେବ । ସମଲେଶ୍ୱରୀ  ମନ୍ଦିର ଭଳି ଏଠାରେ ହୀରାକୁଦ ସ୍ଥାପନର  କାହାଣୀ ଓ ବିସ୍ଥାପିତଙ୍କ ତ୍ୟାଗର କାହାଣୀ  ବର୍ଣ୍ଣିତ ହେବ । ଯାହାକି ଦେଶ, ବିଦେଶରୁ  ଆସୁଥିବା ପର୍ଯ୍ୟଟକ ହୀରାକୁଦ ଉପରେ  ଅଧିକ ଜାଣିପାରିବେ । ଏହାସହ ହୀରାକୁଦର  ଗାଥାକୁ ନେଇ ଏକ ମ୍ୟୁଜିୟମ ତିଆରି  କରାଯିବ ବୋଲି ପର୍ଯ୍ୟଟନ ବିଭାଗର ଜଣେ  ବରିଷ୍ଠ ଅଧିକାରୀ କହିଛନ୍ତି । 

ପ୍ରାଥମିକ  ପର୍ଯ୍ୟାୟରେ ଏହାକୁ ୫ ହଜାର କୋଟି ଟଙ୍କାର  ପ୍ରକଳ୍ପ ଭାବେ ରଖାଯାଇଛି । ହେଲେ ଆବଶ୍ୟକ  ଅନୁସାରେ ଅର୍ଥ ଯୋଗାଇ ଦିଆଯିବ । ପୂର୍ବରୁ ହୀରାକୁଦ, ସମ୍ବଲପୁର ଏବଂ  ଡେବ୍ରିଗଡ଼କୁ ନେଇ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର  ପ୍ରଧାନଙ୍କ ନେତୃତ୍ୱରେ କେନ୍ଦ୍ର ଓ ରାଜ୍ୟ  ପର୍ଯ୍ୟଟନ ବିଭାଗର ବିଭିନ୍ନ ଅଧିକାରୀ ଏବଂ  ଗୁଜରାଟ ସରକାରଙ୍କ ଅତିରିକ୍ତ ମୁଖ୍ୟ  ସଚିବ ତଥା ଷ୍ଟାଚ୍ୟୁ ଅଫ୍‌ ୟୁନିଟର ମୁଖ୍ୟ  ପୁରୋଧା ମୁକେଶ ପୁରୀଙ୍କୁ ନେଇ ଆଲୋଚନା  ହୋଇଥିଲା । ଏଥିରେ ହୀରାକୁଦରେ ବୀର  ସୁରେନ୍ଦ୍ର ସାଏଙ୍କ ବିଶାଳ ପ୍ରତିମୂର୍ତ୍ତି ନିର୍ମାଣ  ଉପରେ କର୍ମଶାଳା କରାଯାଥିଲା । ଯାହାକୁ  ନେଇ ପର୍ଯ୍ୟଟନ ବିଭାଗ ଆୟୁକ୍ତ ଓ  ସଚିବ ବଲବନ୍ତ ସିଂହ ଜିଲ୍ଲା ଅଧିକାରୀଙ୍କ  ସହ ଆଲୋଚନା କରିଥିଲେ । ଏ ଦିଗରେ  ଅଗ୍ରସର ହେବାକୁ କହିଥିଲେ । ହୀରାକୁଦ  ଆଖପାଖରେ ଥିବା ଆକର୍ଷଣୀୟ ଜଳଭିତ୍ତିକ  ପର୍ଯ୍ୟଟନକୁ ବିଶ୍ୱବିଦିତ କରିବା ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅଣ୍ଟା ଭିଡ଼ିଛନ୍ତି ।  ଫଳରେ ସ୍ଥାନୀୟ ଅର୍ଥନୀତି ସୁଦୃଢ଼ ହେବା  ସହ ପରିବେଶ ଓ ବନ୍ୟପ୍ରାଣୀ ପର୍ଯ୍ୟଟନରେ  ହୀରାକୁଦକୁ ବିଶ୍ୱସ୍ତରୀୟ ମାନ୍ୟତା ମିଳିବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.