କେସିଙ୍ଗା, ୧୪/୦୯: କଳାହାଣ୍ଡି ଜିଲ୍ଲାର କେସିଙ୍ଗା ହେଉଛି ଏକ ପୁରାତନ ବିଜ୍ଞାପିତ ଅଞ୍ଚଳ ପରିଷଦ । କେସିଙ୍ଗା ବିଜ୍ଞାପିତ ଅଞ୍ଚଳ ପରିଷଦ ୧୯୬୫ ମସିହାରେ ସ୍ଥାପିତ ହୋଇଥିଲା । ସ୍ଥାପିତ ହେବାର ଦୀର୍ଘ ବର୍ଷ ପରେ ମଧ୍ୟ କେସିଙ୍ଗା ସହର ଯେଉଁ ଭଳି ହେବା କଥା ତାହା ହୋଇପାରି ନାହିଁ। କେସିଙ୍ଗା ସହରକୁ ଏକ ମାଷ୍ଟର ପ୍ଲାନ୍ ସହର ଭାବେ ଗଢି ତୋଳିବା ପାଇଁ ଯେଉଁ ଜନପ୍ରତିନିଧିମାନଙ୍କ ଦାୟିତ୍ଵ ଓ କର୍ତ୍ତବ୍ୟ ରହିବା କଥା, ସେହି ଦାୟିତ୍ବ ଓ କର୍ତ୍ତବ୍ୟକୁ ନିର୍ବାଚିତ ଜନପ୍ରତିନିଧି ମାନେ ଭୁଲି ଯାଉଛନ୍ତି। ଯାହାକି ପ୍ରଶାସନର ଖାମଖିଆଲ ମନୋଭାବ ଯୋଗୁଁ କେସିଙ୍ଗା ସହରରେ ବିଭିନ୍ନ ସମସ୍ୟା ରହିଥିବା ସାଧାରଣରେ ଅଭିଯୋଗ ହେଉଛି ।

କେସିଙ୍ଗା ସହର ମଧ୍ୟରେ ବର୍ତ୍ତମାନ ଟ୍ରାଫିକ ଏକ ପ୍ରମୁଖ ସମସ୍ୟା ରହିଛି ।  ଟ୍ରାଫିକ ସମସ୍ୟାର ସମାଧାନ ଦିଗରେ ସ୍ଥାନୀୟ ପ୍ରଶାସନ ଯେଉଁ ଭଳି ପଦକ୍ଷେପ ନେବା କଥା ତାହା ହେଉନଥିବା ଦେଖିବାକୁ ମିଳିଛି । ବରଗଡ଼ ଠାରୁ ବୋରିଗୁମ୍ମାକୁ ସଂଯୋଗ ହୋଇଥିବା ୨୬ ନମ୍ବର ଜାତୀୟ ରାଜପଥ କେସିଙ୍ଗା ସହର ମଧ୍ୟ ଦେଇ ଯାଇଥିବା ବେଳେ ରାଜ୍ୟ ତଥା ରାଜ୍ୟ ବାହାରକୁ ପ୍ରତିଦିନ ହଜାର ହଜାର ସଂଖ୍ୟାରେ ଗାଡି ମୋଟର ଯିବା ଆସିବା କରିଥାଏ । ହେଲେ ଟ୍ରାଫିକ ନିୟନ୍ତ୍ରଣର ସୁବ୍ୟବସ୍ଥା ହୋଇନଥିବା ଯୋଗୁଁ  କେସିଙ୍ଗା ସହର ଭିତରେ ଟ୍ରାଫିକ ବ୍ୟବସ୍ଥା ବିପର୍ଯ୍ୟସ୍ତ ହୋଇପଡିଛି । ସହରର ଜାତୀୟ ରାଜପଥ କଡ଼ରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ପ୍ରଶାସନ ପକ୍ଷରୁ ଅନେକ ଥର ସମନ୍ବୟ ବୈଠକ ମଧ୍ୟ କରାଯାଇଛି ହେଲେ ତାହା ଆଜି ଯାଏଁ ଫଳପ୍ରଦ ହୋଇପାରି ନାହିଁ।

nh​​​​​​​

ଜାତୀୟ ରାଜପଥ କଡ଼ରେ ଛୋଟ ଛୋଟ ବ୍ୟବସାୟୀ ମାନେ ନିଜର ଗୁଜୁରାଣ ମେଣ୍ଟାଇବା ପାଇଁ ବ୍ୟବସାୟ କରୁଛନ୍ତି। ସହରର ଜାତୀୟ ରାଜପଥ କଡ଼ରେ ମାଛ ବ୍ୟବସାୟୀ, ଠେଲା, ପନିପରିବା ତଥା ଫଳ ବ୍ୟବସାୟୀମାନଙ୍କ ଦୋକାନ ରହିଥିଲେ ମଧ୍ୟ ଏନ୍ଏସି ପକ୍ଷରୁ ସେମାନଙ୍କ ଥଇଥାନ କରିବା ପାଇଁ ସୁବ୍ୟବସ୍ଥା ହୋଇପାରି ନଥିବା ବିଷୟ ବିଭିନ୍ନ ଉଠା ଦୋକାନୀମାନଙ୍କ ଠାରୁ ଶୁଣିବାକୁ ମିଳୁଛି ।‌ କେସିଙ୍ଗା ସହରର ଜାତୀୟ ରାଜପଥ କଡ଼ରେ ବିଭିନ୍ନ ବ୍ୟବସାୟ କରୁଥିବା ଉଠା ଦୋକାନୀ ମାନଙ୍କ ଥଇଥାନ କରିବା ଉଦ୍ଦେଶ୍ୟରେ ଓ୍ବାର୍ଡ ନମ୍ବର ୩ ସ୍ଥିତ ଅମ୍ବାଜୀ ମନ୍ଦିର ସମ୍ମୁଖରେ ମିଶନ ଶକ୍ତି କ୍ୟାଫେ ଏବଂ ଭେଣ୍ଡି ଜୋନ୍ ନିର୍ମାଣ କରାଯାଇ ୨୦୨୩ ମସିହା ଜୁଲାଇ ମାସରେ ଉଦଘାଟନ କରାଯାଇଥିଲା । ତାହା ମଧ୍ୟ କାର୍ଯ୍ୟକ୍ଷମ ନହୋଇ ଆଜି ପର୍ଯ୍ୟନ୍ତ ପଡ଼ିରହିଛି ।

‌ ସହରରେ ଟ୍ରାଫିକ ନିୟନ୍ତ୍ରଣ ପାଇଁ କେସିଙ୍ଗା ଏନ୍ଏସି ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି, ସେ ବିଷୟରେ ସୂଚନା ଅଧିକାର ଆଇନ ବଳରେ ତଥ୍ୟ ମାଗିଲେ ମଧ୍ୟ କୈ।ଣସି ସୂଚନା ଦିଆଯାଉ ନାହିଁ । ସେହିପରି ସହରରେ ପାର୍କିଂର ମଧ୍ୟ ସମସ୍ୟା ରହିଛି। କେସିଙ୍ଗା ଏନ୍ଏସିରେ ରାସ୍ତା କଡ଼ରେ ପାର୍କିଂର କିଛି ନିୟମ ନଥିବା ଭଳି ଜଣାପଡିଛି । ଯଦି ପାର୍କିଂ ନିୟମ ରହିଛି, ତେବେ ରାସ୍ତାକୁ ଯେତିକି ଆବଦ୍ଧ କରି ପାର୍କିଂ କରିବା କଥା ତାହା ହେଉନାହିଁ। ହେଲେ ଏଥିପ୍ରତି ସ୍ଥାନୀୟ ପ୍ରଶାସନ ମଧ୍ୟ ଦୃଷ୍ଟି ଦେଉନଥିବା ଅଭିଯୋଗ ହେଉଛି । ଭେଣ୍ଡିଙ୍ଗ ଜୋନ୍ ଏବଂ ରାସ୍ତା ଉପରେ ଗାଡି ପାର୍କିଂ ବିଷୟ ଉପରେ କେସିଙ୍ଗା ଏନ୍ଏସି ନିର୍ବାହୀ ଅଧିକାରୀ ଚିନ୍ମୟ ଆଚାର୍ଯ୍ୟଙ୍କୁ ପଚାରିବାରୁ ଭେଣ୍ଡିଙ୍ଗ ଜୋନ୍ ବିଷୟରେ କାଉନସିଲ ବୈଠକରେ ଆଲୋଚନା କରାଯାଇ ଫାଇନାଲ କରାଯିବ ଆସନ୍ତା ଏକ ମାସ ଭିତରେ ପଦକ୍ଷେପ ନିଆଯିବ ବୋଲି କହିବା ସହିତ ରାସ୍ତା କଡ଼ରେ  ବେନିୟମ ପାର୍କିଂ ଉପରେ ମଧ୍ୟ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି । ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି ।