ନୂଆଦିଲ୍ଲୀ ୦୩/୧୨: ମହାକାଶରେ ଟ୍ରାଫିକ୍‌ ଜାମ୍‌ । ପୃଥିବୀର ନିମ୍ନ କକ୍ଷରେ ବୃଦ୍ଧି ପାଉଥିବା ଭିଡ଼ ମହାକାଶ ଗତିବିଧିର ସ୍ଥାୟୀତ୍ୱ ପ୍ରତି  ବଡ଼ ବିପଦ ଭାବେ ଉଭା ହୋଇଛି । ଏ ମାମଲାରେ  ଅନ୍ତର୍ଜାତୀୟ ସହଯୋଗ ବିନା ଏହି ଗୁରୁତ୍ୱପୂର୍ଣ୍ଣ କ୍ଷେତ୍ର ଖୁବ୍‌ଶୀଘ୍ର ଅନୁପଯୋଗୀ ହୋଇଯିବ ବୋଲି ବିଶେଷଜ୍ଞମାନେ  ଚେତାବନୀ ଦେଇଛନ୍ତି । ୧୪,୦୦୦ରୁ ଅଧିକ ସାଟେଲାଇଟ୍‌  ଏବେ ପୃଥିବୀକୁ ପରିକ୍ରମା କରୁଛନ୍ତି । ତନ୍ମଧ୍ୟରୁ ହାରାହାରି  ୩,୫୦୦ ସାଟେଲାଇଟ୍‌ ଅଚଳ ହୋଇ କକ୍ଷ ଚାରିପଟେ  ଘୂରୁଛନ୍ତି । ପୂର୍ବ ମହାକାଶ ମିଶନ ଉତ୍‌କ୍ଷେପଣ ଓ ଧକ୍କା  ଯୋଗୁ ୧୨ କୋଟିରୁ ଅଧିକ ମହାକାଶ ବର୍ଜ୍ୟ ବସ୍ତୁ ମଧ୍ୟ  କକ୍ଷ ଚତୁଃପାଶ୍ୱର୍ରେ ଘୂରୁଛନ୍ତି । ଏହି ସଂଖ୍ୟା ବୃଦ୍ଧି ପାଇବା  ସହିତ ପରିସ୍ଥିତି ଆହୁରି ଜଟିଳ ହେଉଛି । 

ଗତ ଅକ୍ଟୋବର  ମାସରେ ମହାକାଶ ଟ୍ରାଫିକ୍‌ ସମନ୍ୱୟ ଉପରେ ଆୟୋଜିତ  ଏକ ଜାତିସଂଘ ପ୍ୟାନେଲ ପୃଥିବୀ କକ୍ଷରେ ଘୂରୁଥିବା ବସ୍ତୁ ବିଷୟରେ ବ୍ୟାପକ ତଥ୍ୟ ପ୍ରଦାନର ତତ୍‌କାଳ ଆବଶ୍ୟକତା ଉପରେ ଗୁରୁତ୍ୱ ଦେଇଥିଲା । 

ପ୍ୟାନେଲର ସହ-ଅଧ୍ୟକ୍ଷ  ଆରତି ହୋଲ୍ଲା-ମାଇନି କହିଛନ୍ତି, ମହାକାଶ ଟ୍ରାଫିକ୍‌  ସମନ୍ୱୟରେ ସମୟ ନଷ୍ଟ କରିବାର ସମୟ ଆଉ ନାହିଁ । ଧକ୍କାରୁ ରକ୍ଷା ପାଇବା ଲାଗି ଅପରେଟରଙ୍କୁ ସୂଚନା ପ୍ରଦାନ  ଉପରେ ଗୁରୁତ୍ୱ ଦେବା ଉଚିତ୍‌ । ପୃଥିବୀର ନିମ୍ନ କକ୍ଷର  ସୁରକ୍ଷା ବୈଶ୍ୱିକ ଯୋଗାଯୋଗ, ନାଭିଗେସନ୍‌ ସିଷ୍ଟମ୍‌ ଓ  ବୈଜ୍ଞାନିକ ଅନ୍ୱେଷଣ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । କିନ୍ତୁ,  ଏ ପ୍ରକାର ମହାକାଶ ବସ୍ତୁଗୁଡ଼ିକର ଚିହ୍ନଟ ଓ ନିୟନ୍ତ୍ରଣ  ନିମନ୍ତେ ଏକ କେନ୍ଦ୍ରୀୟ ପଦ୍ଧତି ବିକଶିତ କରିବା ଅତ୍ୟନ୍ତ  ଆହ୍ୱାନଭରା । କିଛି ଦେଶ ସେମାନଙ୍କ ମହାକାଶ ଗତିବିଧି  ତଥ୍ୟ ଶେୟାର କରିବାକୁ ଆଗେଇ ଆସୁଥିବାବେଳେ ଆଉ  କିଛି ଦେଶ ସୁରକ୍ଷା ଦୃଷ୍ଟିରୁ ତଥ୍ୟ ଦେଉନାହାନ୍ତି । କିଛି  ସଦ୍ୟ ଘଟଣା ପୃଥିବୀର ନିମ୍ନ କକ୍ଷରେ ବିପଦ ଉପରେ  ଆଲୋକପାତ କରିଥିଲା । 

ଉଦାହରଣ ସ୍ୱରୂପ, ଗତ  ଅଗଷ୍ଟରେ ଏକ ଚାଇନିଜ୍‌ ରକେଟ୍‌ ଷ୍ଟେଜ୍‌ର  ବିସ୍ଫୋରଣ ହୋଇଥିଲା, ଯାହା ଫଳରେ  କକ୍ଷରେ ତା’ର ଅବଶେଷ ଖେଳାଇ  ହୋଇଯାଇଥିଲା । ସେହିପରି ଗତ  ଜୁନ୍‌ରେ ରୁଷ୍‌ର ଏକ ନିଷ୍କ୍ରିୟ ସାଟେଲାଇଟ୍‌  ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ରରେ ଥିବା  ମହାକାଶଚାରୀଙ୍କ ପାଇଁ ବିପଦ ସୃଷ୍ଟି  କରିଥିଲା । ସେମାନଙ୍କୁ ମହାକାଶ କେନ୍ଦ୍ରର  ସ୍ଥାନ ପରିବର୍ତ୍ତନ କରିବାକୁ ପଡ଼ିଥିଲା ।  ସ୍ପେସ୍‌ଏକ୍ସ ଭଳି ଘରୋଇ କମ୍ପାନିଗୁଡ଼ିକର  ମହାକାଶ କ୍ଷେତ୍ରରେ ପ୍ରବେଶ କକ୍ଷରେ  ଟ୍ରାଫିକ୍‌ ଜାମ୍‌ ଓ ଧକ୍କା ବିପଦ  ବଢ଼ାଉଛନ୍ତି । 

ସୂଚନାଯୋଗ୍ୟ,  ଏଲନ ମସ୍କଙ୍କ ସ୍ପେସ୍‌ଏକ୍ସର ହଜାର  ହଜାର ଷ୍ଟାର୍‌ଲିଙ୍କ ସାଟେଲାଇଟ୍‌  ଏବେ ମହାକାଶରେ ଘୂରି ବୁଲୁଛନ୍ତି ।  ଆଗାମି କିଛି ବର୍ଷରେ ୧୦ ହଜାରରୁ  ଅଧିକ ସାଟେଲାଇଟ୍‌ କକ୍ଷରେ ପ୍ରବେଶ  କରିପାରନ୍ତି ବୋଲି ଆକଳନ କରାଯାଉଛି । ଏହା  ଦ୍ୱାରା ସମ୍ଭାବ୍ୟ ଧକ୍କା ଯୋଗୁ ୫ ବର୍ଷରେ ୫୫୬ ନିୟୁତ  ଡଲାର ଆର୍ଥିକ କ୍ଷତିର ଆକଳନ କରାଯାଇଛି ।