ନୂଆଦିଲ୍ଳୀ,୪।୩: ଦେଶରେ ଲଗାତାର ବଢିବାରେ ଲାଗିଛି ସ୍ପାମ୍ କଲ୍ ଓ ଠକେଇ ମେସେଜ ସମସ୍ୟା। ଏହାକୁ ଦେଖି ଭାରତୀୟ ଦୂରସଞ୍ଚାର ନିୟାମକ ଟେଲିକମ୍ କମ୍ପାନୀକୁ କଡା ନିର୍ଦେଶ ଜାରି କରିଛି। ଏବେ କୌଣସି ସନ୍ଦିଗ୍ଧ ନମ୍ବରର ପରିଚୟ ମିଳିବା ମାତ୍ରେ ଏଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ୨୭ ଫେବୃଆରୀରେ ଜାରି ନିର୍ଦେଶ ଅନୁସାରେ,ସବୁ ଟେଲିକମ୍ ଅପରେଟରଙ୍କୁ ନିଜର ଏଆଇ ଓ ମେସିନ୍ ଲର୍ନିଂ ପ୍ରଣାଳୀକୁ ଆହୁରି ପ୍ରଭାବଶାଳୀ କରି ସନ୍ଦିଗ୍ଧ ଗତିବିଧି ଉପରେ ତୁରନ୍ତ ପଦକ୍ଷେପ ଉଠାଇବାକୁ କୁହାଯାଇଛି। ଏହାର ଉଦେଶ୍ୟ ହେଉଛି ଡିଜିଟାଲ ଠକେଇ ଉପରେ ରୋକ ଲଗାଇବା।
ନୂଆ ନିୟମ ଅନୁସାରେ, ଯଦି କୌଣସି କମ୍ପାନୀର ଏଆଇ ସିଷ୍ଟମ କୌଣସି ମୋବାଇଲ ନମ୍ବରକୁ ସନ୍ଦିଗ୍ଧ ମନେକରୁଛି ତେବେ ଏହା ସୂଚନା ଅତିବେଶୀରେ ଦୁଇ ଘଣ୍ଟା ଭିତରେ ସମ୍ପର୍କିତ ଅନ୍ୟ ଅପରେଟର ସହ ସେୟାର କରିବାକୁ ହେବ। ଏହି ପୁରା ପକ୍ରିୟା ବ୍ଲାକଚେନ୍ ଆଧାରିତ ଡିଏଲ୍ଟି (ଡିଷ୍ଟ୍ରିବ୍ୟୁଟେଡ୍ ଲେଜର ଟେକ୍ନୋଲୋଜି) ପ୍ଲାଟଫର୍ମ ଜରିଆରେ ହେବ,ଯାହାଦ୍ବାରା ରେକର୍ଡ ସୁରକ୍ଷିତ ରହିବ। ଏହାଦ୍ବାରା ସୁନିଶ୍ଚିତ କରି ହେବ ଯେ ଅଭିଯୋଗ ଗ୍ରହଣକୁ ଅପେକ୍ଷା ନକରି ସନ୍ଦିଗ୍ଧ ନମ୍ବରଗୁଡ଼ିକ ଉପରେ ନଜର ରଖାଯିବ। ଏହା ବ୍ୟତୀତ, ଟେଲିକମ୍ କମ୍ପାନୀଗୁଡ଼ିକୁ ୩୦ ଦିନ ମଧ୍ୟରେ ଏପରି ମାମଲାରେ ଆବଶ୍ୟକୀୟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ।
ଏବେ କେବଳ ଗୋଟିଏ କମ୍ପାନୀ ଦାୟୀ ରହିବନି। ଯେଉଁ ନେଟୱାର୍କରୁ ସନ୍ଦିଗ୍ଧ କଲ୍ ଆସିଥିଲା ଏବଂ ଯେଉଁ ନେଟୱାର୍କକୁ କଲ୍ ଆସିଥିଲା, ଉଭୟଙ୍କୁ ଏକାଠି କାର୍ଯ୍ୟାନୁଷ୍ଠାନ ନେବାକୁ ପଡିବ। AI ସିଷ୍ଟମ କଲ୍ ଲାଇନ ଆଇଡେଣ୍ଟିଫିକେସନ୍ (CLI) ସ୍ତରରେ ସନ୍ଦିଗ୍ଧ କାର୍ଯ୍ୟକଳାପକୁ ଚିହ୍ନଟ କରିବ, ଯାହା ଦ୍ୱାରା ଫେକ୍ କଲ୍ କରୁଥିବା ଲୋକଙ୍କୁ ଚିହ୍ନଟ କରିବା ସହଜ ହେବ।
ଯଦି କୌଣସି ମୋବାଇଲ ନମ୍ବର ବିରୋଧରେ ୧୦ ଦିନ ଭିତରେ ପାଞ୍ଚ କିମ୍ବା ତା’ଠାରୁ ଅଧିକ ଅଭିଯୋଗ ଦାଖଲ ହୁଏ, ତେବେ ସମ୍ପୃକ୍ତ ଅପରେଟରଙ୍କୁ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପଡିବ। ଆହୁରି ଠକେଇ ରୋକିବା ପାଇଁ ଏପରି ନମ୍ବରଗୁଡ଼ିକୁ ଅସ୍ଥାୟୀ କିମ୍ବା ସ୍ଥାୟୀ ଭାବରେ ଅବରୋଧ କରାଯାଇପାରେ। ଏହି ପଦକ୍ଷେପ ବିଶେଷ ଭାବରେ UPI ଠକେଇ, ନକଲି ବ୍ୟାଙ୍କ ମେସେଜ୍, ଋଣ ଅଫର୍ ଏବଂ ନକଲି KYC ଅପଡେଟ୍ ଭଳି ସମସ୍ୟାଗୁଡ଼ିକୁ ରୋକିବା ପାଇଁ ଉଦ୍ଦିଷ୍ଟ।
ଭାରତରେ ଏକ ବିଲିୟନରୁ ଅଧିକ ମୋବାଇଲ୍ ଉପଭୋକ୍ତା ଅଛନ୍ତି, ସେମାନଙ୍କ ମଧ୍ୟରୁ ଅନେକ ସ୍ପାମ୍ କଲ୍ ଏବଂ ଠକେଇ ବାର୍ତ୍ତା ଦ୍ୱାରା ହଇରାଣ ହୋଇଛନ୍ତି। ଅନେକ ବ୍ୟାଙ୍କିଙ୍ଗ୍ ଏବଂ ଡିଜିଟାଲ୍ ପେମେଣ୍ଟ ଠକେଇର ଶିକାର ମଧ୍ୟ ହୋଇଛନ୍ତି। ନୂତନ ନିୟମାବଳୀ କାର୍ଯ୍ୟକାରୀ ହେବା ଦ୍ୱାରା AI-ଆଧାରିତ ଦ୍ରୁତ ତଦାରଖ ଏବଂ କଠୋର କାର୍ଯ୍ୟାନୁଷ୍ଠାନ ମାଧ୍ୟମରେ ଡିଜିଟାଲ୍ ଠକେଇ ମାମଲା ହ୍ରାସ ପାଇବ ବୋଲି ଆଶା କରାଯାଉଛି। ଏହା ଗ୍ରାହକମାନଙ୍କ ପାଇଁ ଅଧିକ ସୁରକ୍ଷିତ ଏବଂ ନିର୍ଭରଯୋଗ୍ୟ ଟେଲିକମ୍ ଅଭିଜ୍ଞତା ପ୍ରଦାନ କରିପାରିବ।
ଆହୁରି ପଢନ୍ତୁ : ଅଷ୍ଟମ ବେତନ କମିଶନ ନାଁରେ ଠକୁଛନ୍ତି ସାଇବର ଠକ, ସତର୍କ ରୁହନ୍ତୁ ନଚେତ୍ ଖାଲି ହୋଇଯିବ ଆକାଉଣ୍ଟ