ଭୁବନେଶ୍ବର: ଶୁକ୍ରବାର Trajectories of Development: Odisha@100 ନାମକ ଗୁରୁତ୍ବପୂର୍ଣ୍ଣ ଗବେଷଣାଧର୍ମୀ ପୁସ୍ତକ ପ୍ରକାଶିତ । ପ୍ରଫେସର ଅମରେନ୍ଦ୍ର ଦାସ, କେଶବ ଦାସ, ଦୀପକ କୁମାର ମିଶ୍ର ଏବଂ ଉଦୟ ଶଙ୍କର ମିଶ୍ରଙ୍କ ସମ୍ପାଦନାରେ ପ୍ରସ୍ତୁତ ଏହି ପୁସ୍ତକଟି Routledge (Taylor & Francis), London ପକ୍ଷରୁ ପ୍ରକାଶିତ ହୋଇଛି। ୧୯୩୬ ମସିହାରେ ଓଡ଼ିଶା ରାଜ୍ୟ ଗଠନ ପରଠାରୁ ଏହାର ଆର୍ଥିକ, ସାମାଜିକ, ରାଜନୈତିକ ଏବଂ ଢାଞ୍ଚାଗତ ପରିବର୍ତ୍ତନର ଏକ କ୍ଷେତ୍ରୀୟ, ସମସ୍ୟାଗତ, ପ୍ରାସଙ୍ଗିକ ଏବଂ ସାମଗ୍ରିକ ଅଧ୍ୟୟନ ଓ ବିଶ୍ଳେଷଣ ଏହି ପୁସ୍ତକରେ ଉପସ୍ଥାପିତ ହୋଇଛି।
ଓଡ଼ିଶା ଅର୍ଥନୀତି ସଂଘ (Odisha Economic Association - OEA) ର ପୃଷ୍ଠପୋଷକତାର ପ୍ରକାଶିତ ଏହି ଗ୍ରନ୍ଥ ରାଜ୍ୟର ଶତବାର୍ଷିକୀ ପାଳନ (୨୦୩୬) ଏବଂ ଏକ ବିକଶିତ ଓଡ଼ିଶାର ସ୍ୱପ୍ନକୁ ଆଗରେ ରଖି ଓଡ଼ିଶାର ବିକାଶ ଯାତ୍ରା ଉପରେ ଚିନ୍ତନ କରିବା ପାଇଁ ଗବେଷକ, ଶିକ୍ଷାବିତ, ସାମାଜିକ କର୍ମୀ ଏବଂ ବୁଦ୍ଧିଜୀବୀମାନଙ୍କୁ ଏକ ମଞ୍ଚରେ ଆଣିଛି।
୪୫ ଜଣ ପ୍ରତିଷ୍ଠିତ ଗବେଷକ ଓ ବିଶେଷଜ୍ଞଙ୍କ ଦ୍ୱାରା ରଚିତ ୨୪ଟି ଅଧ୍ୟାୟ ସମ୍ମିଳିତ ଏହି ପୁସ୍ତକ ଏକ ଅଦ୍ଵିତୀୟ ଏବଂ ସମଗ୍ର ସଂକଳନ। ଏଥିରେ ଓଡ଼ିଶାର ଅର୍ଥନୈତିକ ପରିବର୍ତ୍ତନ, ରାଜକୋଷର ପୁନରୁତ୍ଥାନ, କୃଷି, ଶିଳ୍ପାୟନ, ଶ୍ରମ ଏବଂ ପ୍ରବାସନ, ଶିକ୍ଷା, ସ୍ୱାସ୍ଥ୍ୟ, ଆଦିବାସୀ ବିକାଶ, ଆଞ୍ଚଳିକ ବୈଷମ୍ୟ, ଶାସନ ବ୍ୟବସ୍ଥା, ନଗରୀକରଣ, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ପରିଚାଳନା, ଏବଂ ପର୍ଯ୍ୟଟନ ପରି ବିଷୟଗୁଡ଼ିକୁ ଏହି ପୁସ୍ତକରେ ସ୍ଥାନ ଦିଆଯାଇଛି।
ଏହି ପୁସ୍ତକଟି ଶିକ୍ଷାବିତ ଓ ଗବେଷକମାନଙ୍କ ପାଇଁ ନୁହେଁ, ବରଂ ନୀତି ନିର୍ଦ୍ଧାରକ, ପ୍ରଶାସକ, ଯୋଜନାକାରୀ, ସାମାଜିକ ସଂଗଠନ, ଛାତ୍ରଛାତ୍ରୀ ଏବଂ ସ୍ବେଛାସେବୀ ମାନଙ୍କ ପାଇଁ ମଧ୍ୟ ଅତ୍ୟନ୍ତ ଉପଯୋଗୀ ହେବ। ଏହି ପୁସ୍ତକ ନୀତି ଏବଂ ଶାସନ ସମ୍ବନ୍ଧୀୟ ଚର୍ଚ୍ଚାରେ ଗୁରୁତ୍ୱପୂର୍ଣ୍ଣ ଅବଦାନ ରଖିବା ସହିତ ଓଡ଼ିଶାର ଭବିଷ୍ୟତ ବିକାଶ ପଥ ପାଇଁ ଏକ ଯୋଜନା ଦସ୍ତାବିଜ ଭାବେ ମାର୍ଗ ଦର୍ଶନ କରାଇବ ।
ଏହି ପୁସ୍ତକ ପ୍ରସ୍ତୁତିରେ ଅନେକ ଗବେଷକ, ସମାଜସେବୀ, ସମ୍ପୃକ୍ତ ନାଗରିକ ଓ ବୁଦ୍ଧିଜୀବିଙ୍କର ସକ୍ରିୟ ସହଯୋଗ ରହିଥିଲା। ଓଡ଼ିଶା ଅର୍ଥନୀତି ସଂଘ ଦ୍ୱାରା ଆୟୋଜିତ ବିଭିନ୍ନ ପରାମର୍ଶ କର୍ମଶାଳା ମାଧ୍ୟମରେ ସେମାନେ ନିଜର ମତାମତ ଏବଂ ଦୃଷ୍ଟିକୋଣ ବିନିମୟ କରିଥିଲେ। ଏହି ପୁସ୍ତକର ପ୍ରକାଶନ ଓଡ଼ିଶାର ବିକାଶ ଉପରେ ଗବେଷଣା, ଏବଂ ନୀତିଗତ ଆଲୋଚନା ପ୍ରତି OEA ର ଦୀର୍ଘଦିନର ପ୍ରତିବଦ୍ଧତାରକୁ ପ୍ରତିଫଳିତ କରେ। ବର୍ତ୍ତମାନ ଏହାର ଆନ୍ତର୍ଜାତୀୟ ସଂସ୍କରଣ ବିଶ୍ୱ ପାଠକମାନଙ୍କ ପାଇଁ ପ୍ରକାଶିତ ହୋଇଥିବାବେଳେ, ଖୁବ ଶୀଘ୍ର ଏହାର ଭାରତୀୟ ସଂସ୍କରଣ ମଧ୍ୟ ପ୍ରକାଶ ପାଇବ।