ନୂଆଦିଲ୍ଲୀ, ୨୪.୭: ଦିନକୁ ଦିନ ବୃଦ୍ଧି ପାଉଥିବା ବିଦ୍ୟୁତ୍ ବିଲ୍‌ରୁ ମୁକ୍ତି ପାଇବା ପାଇଁ ଅନେକ ଲୋକ ସୋଲାର ପ୍ୟାନେଲ୍‌ର ସାହାରା ନେଉଛନ୍ତି । ମାତ୍ର ଛାତରେ ସ୍ଥାନ ଅଭାବ ଯୋଗୁଁ ସମସ୍ତେ ଏହାକୁ ଲଗାଇପାରୁ ନାହାନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ବିଜ୍ଞାନୀମାନେ ଏକ ଆଶ୍ଚର୍ଯ୍ୟଜନକ ଉଦ୍ଭାବନ କରିଛନ୍ତି । ଏବେ ଛାତ ବଦଳରେ ଘରର ଝରକାରେ ସୋଲାର ପ୍ୟାନେଲ୍ ଲଗାଇ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । ସିଙ୍ଗାପୁରର ନାନ୍‌ୟାଙ୍ଗ୍ ଟେକ୍ନୋଲୋଜିକାଲ୍ ୟୁନିଭର୍ସିଟି (NTU) ର ଗବେଷକମାନେ ଏକ ନୂଆ ପ୍ରକାରର ସୋଲାର ସେଲ୍ ପ୍ରସ୍ତୁତ କରିଛନ୍ତି, ଯାହା ମଣିଷର ଗୋଟିଏ ବାଳ ଅପେକ୍ଷା ୧୦,୦୦୦ ଗୁଣା ପତଳା ଏବଂ ସମ୍ପୂର୍ଣ୍ଣ ସ୍ୱଚ୍ଛ ।

'ପେରୋଭସ୍କାଇଟ୍' ଝରକା କାଚରୁ ମିଳିବ ପାୱାର୍: 

ଏହି ନୂତନ ସୋଲାର ପ୍ୟାନେଲ୍‌କୁ 'ପେରୋଭସ୍କାଇଟ୍' ନାମକ ଏକ କ୍ରିଷ୍ଟାଲାଇନ୍ ମ୍ୟାଟେରିଆଲ୍‌ରୁ ତିଆରି କରାଯାଇଛି । ଏହା ଏତେ ପତଳା ଯେ, ଏହାକୁ ଝରକା କାଚରେ ଲଗାଇଲେ ମଧ୍ୟ ବାହାରର ଦୃଶ୍ୟ ସ୍ପଷ୍ଟ ଦେଖାଯିବ । ଏହି ପ୍ୟାନେଲ୍ ଲଗାଇବା ଦ୍ୱାରା ଝରକାର ଆଲୋକ ଗ୍ରହଣ କ୍ଷମତା କେବଳ ସାମାନ୍ୟ କମିଯିବ, ଯାହାକି ଘର ଭିତରେ ଯଥେଷ୍ଟ ସୂର୍ଯ୍ୟାଲୋକ ବଜାୟ ରଖିବ ।

ଏହା ବି ପଢ଼ନ୍ତୁ... PM Modi X Post: ସୋନମ୍ ୱାଙ୍ଗଚୁକ୍‌ଙ୍କ ସୁସ୍ଥତା କାମନା କଲେ ପ୍ରଧାନମନ୍ତ୍ରୀ ! କହିଲେ “ଡାକ୍ତରଙ୍କ ପରାମର୍ଶ ମାନନ୍ତୁ, ପୁରୁଣା ଓଜନ ଫେରାଇ ଆଣନ୍ତୁ”

କାର୍ ଏବଂ ଗ୍ୟାଜେଟ୍ସରେ ମଧ୍ୟ ହୋଇପାରିବ ବ୍ୟବହାର: 

'ACS ଏନର୍ଜି ଲେଟର୍ସ'ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏହି ପ୍ରଯୁକ୍ତିବିଦ୍ୟା କେବଳ ଘରର ଝରକାରେ ନୁହେଁ, ବରଂ ଇଲେକ୍ଟ୍ରିକ୍ କାର୍ ଏବଂ ପିନ୍ଧିହେଉଥିବା ଇଲେକ୍ଟ୍ରୋନିକ୍ ଗ୍ୟାଜେଟ୍ସରେ ମଧ୍ୟ ବ୍ୟବହାର କରାଯାଇପାରିବ । ଏହି ସୋଲାର କାଚ ଲଗାଯାଇଥିବା ଇଲେକ୍ଟ୍ରିକ୍ ଗାଡ଼ି ଚାଲୁଥିବା ସମୟରେ ନିଜେ ନିଜେ ଚାର୍ଜ ହୋଇପାରିବ, ଯାହା ଚାଳକଙ୍କ ପେଟ୍ରୋଲ/ବିଜ୍ଉତ୍ ଖର୍ଚ୍ଚକୁ ବହୁ ପରିମାଣରେ କମାଇଦେବ ।

କମ୍ ସୂର୍ଯ୍ୟାଲୋକ ଓ ସାଧାରଣ ଛାଇରେ ବି ତିଆରି ହେବ ବିଦ୍ୟୁତ୍ । ପାରମ୍ପରିକ ସିଲିକନ୍ ସୋଲାର ପ୍ୟାନେଲ୍ ପରି ଏଥିପାଇଁ ସିଧାସଳଖ ଟାଣ ଖରା ପ୍ରଭାବର ଆବଶ୍ୟକତା ନାହିଁ । ଆକାଶରେ ବାଦଲ ଥିଲେ ମଧ୍ୟ ଏହା ଶକ୍ତି ସଂଗ୍ରହ କରି ବିଦ୍ୟୁତ୍ ତିଆରି କରିପାରିବ । ବହୁତଳ ପ୍ରାସାଦ ଓ ଅଫିସ୍ ଟାୱାରଗୁଡ଼ିକର କାଚ ଝରକାରେ ଏହାକୁ ଲଗାଗଲେ ବାର୍ଷିକ ଶହ ଶହ ମେଗାୱାଟ୍ ବିଦ୍ୟୁତ୍ ଉତ୍ପାଦନ କରାଯାଇପାରିବ । "ଏହି ନୂତନ ପେରୋଭସ୍କାଇଟ୍ ସେଲ୍ ଆଲୋକର କିଛି ନିର୍ଦ୍ଦିଷ୍ଟ ୱେଭ୍‌ଲେନ୍ଥକୁ ଅଲଗା କରି ବିଦ୍ୟୁତ୍ ପ୍ରସ୍ତୁତ କରିଥାଏ । ଏହାର ପେଟେଣ୍ଟ ପାଇଁ ଆବେଦନ କରାଯାଇସାରିଛି ଏବଂ ଖୁବ୍‌ଶୀଘ୍ର ଏହା ବଜାରକୁ ଆସିବ ।" ବୋଲି NTU ସିଙ୍ଗାପୁର ମୁଖ୍ୟ ଗବେଷିକା ଏନାଲିସା ବ୍ରୁନୋ କହିଛନ୍ତି ।