ନୂଆଦିଲ୍ଲୀ,୦୮/୧୨; ହିଟମ୍ୟାନ ରୋହିତ ଶର୍ମା ଓ କିଙ୍ଗ କୋହଲିଙ୍କ ସହ ଠିକରେ ବ୍ୟବହାର କର । ସେମାନଙ୍କୁ ସ୍ପେସ୍ ଦିଅ । ବର୍ଷ ବର୍ଷ ଧରି ସେମାନଙ୍କ ଭାରତୀୟ କ୍ରିକେଟ ପ୍ରତି ଉଲ୍ଲେଖ୍ୟନୀୟ ଅବଦାନ ରହିଛି । ଦିନିକିଆ ଦଳରେ ସେମାନଙ୍କ ସ୍ଥାନକୁ ନେଇ କେବେବି ପ୍ରଶ୍ନ କରାଯିବ ଉଚିତ୍ ନୁହେଁ । ପୂର୍ବତନ ଭାରତୟୀ ବ୍ୟାଟିଂ କୋଚ୍ ସଞ୍ଜୟ ବାଙ୍ଗର ବିସିସିଆଇକୁ ଏକ ସ୍ପଷ୍ଟ ବାର୍ତ୍ତା ଦେଇ ସୁଧୁରିବାକୁ ପରାମର୍ଶ ଦେଇ ଏହା କହିଛନ୍ତି । ବିଜୟ ହଜାର ଟ୍ରଫିରେ ଉପସ୍ଥିତିକୁ ୨୦୨୭ ବିଶ୍ୱକପ ପାଇଁ ବରିଷ୍ଠ ଖେଲାଳିମାନଙ୍କୁ ଚୟନ କରିବାର ଏକ ମାନଦଣ୍ଡ ଭାବେ ବ୍ୟବହାର କରୁଥିବା ରିପୋର୍ଟ ଉପରେ ସଞ୍ଜୟ ବାଙ୍ଗରଙ୍କ ଏହି ବୟାନ ସାମ୍ନାକୁ ଆସିଛି ।

ସଞ୍ଜୟ ବାଙ୍ଗର ଆହୁରି କହିଛନ୍ତି, ଅଜିତ ଅଗରକରଙ୍କ ନେତୃତ୍ୱାଧୀନ ଚୟନ କମିଟି, ମୁଖ୍ୟ ପ୍ରଶିକ୍ଷକ ଗୌତମ ଗମ୍ଭୀର ୨୦୨୭ ବିଶ୍ୱକପ୍ ପର୍ଯ୍ୟନ୍ତ ଏହି ଦୁଇ ଅଭିଜ୍ଞ ଯୋଡ଼ିଙ୍କ ଫର୍ମ ଏବଂ ଫିଟନେସ୍ ବଜାୟ ରଖିବା ଉପରେ ସନ୍ଦେହ କରିପାରନ୍ତି, କିନ୍ତୁ ଉଭୟ ବ୍ୟାଟର ଗତ ୬ଟି ଦିନିକିଆରେ ୩ ଶତକ (କୋହଲିଙ୍କ ଦୁଇଟି) ଏବଂ ୫ଟି ଅର୍ଦ୍ଧଶତକ (ରୋହିତଙ୍କ ୩ଟି) ହାସଲ କରି ପ୍ରମାଣିତ କରିଛନ୍ତି ଯେ ସେମାନେ ଅତୁଳନୀୟ । ମୁଁ ଭାବୁନାହିଁ ଯେ ବିରାଟ କୋହଲି ଏବଂ ରୋହିତ ଶର୍ମାଙ୍କ ସ୍ଥାନ ବିଷୟରେ ପ୍ରଶ୍ନ ଉଠାଇବା ଉଚିତ । ବର୍ଷ ବର୍ଷ ଧରି ଦଳ ପ୍ରତି ସେମାନଙ୍କର ଅବଦାନ ବିଚାର କରାଯିବା ଉଚିତ।''

ସେମାନେ ଦୁଇଟି ଫର୍ମାଟରୁ ଅବସର ନେଇସାରିଛନ୍ତି, ତେଣୁ ଏହା ସ୍ପଷ୍ଟ ଯେ ସେମାନଙ୍କୁ ସେମାନଙ୍କର ଫର୍ମ ଫେରି ପାଇବାକୁ କିଛି ସମୟ ଲାଗିପାରେ, କିନ୍ତୁ ସେମାନେ ଏହା ଅନେକ ଥର କରିଛନ୍ତି । ସେମାନଙ୍କୁ ଜଣେ ଯୁବ ଖେଳାଳିଙ୍କ ପରି ଅଧିକ ମ୍ୟାଚ୍ ଖେଳିବାକୁ ପଡ଼ିବ ନାହିଁ । କେବଳ ଗୋଟିଏ ଅନ୍ତର୍ଜାତୀୟ ଫର୍ମାଟ୍ ଖେଳୁଥିବାରୁ, ଆଗାମୀ ଦୁଇ ବର୍ଷ ପର୍ଯ୍ୟନ୍ତ ଫର୍ମ ଏବଂ ଫିଟନେସ୍ ବଜାୟ ରଖିପାରିବେ କି ନାହିଁ ତାକୁ ନେଇ ଚର୍ଚ୍ଚା ଜୋର ଧରିଛି ବୋଲି କହିଛନ୍ତି ପୂର୍ବ କ୍ରିକେଟର ସଞ୍ଜୟ ବାଙ୍ଗର ।