ନୂଆଦିଲ୍ଲୀ ୨୪/୦୧: ଦରଭଙ୍ଗାର ଶେଷ ମହାରାଣୀ କାମସୁନ୍ଦରୀ ଦେବୀଙ୍କ ଦ୍ୱାଦଶାହରେ ଗତ ଗୁରୁବାର ମହାଭୋଜି ଆୟୋଜିତ ହୋଇଥିଲା । ଏଥିରେ ବ୍ରାହ୍ମଣଙ୍କୁ ରୁପା ଥାଳି, ଗ୍ଲାସ୍, ଗିନା, ଚାମଚ ଓ ବିସ୍କୁଟ୍ ଦାନ କରାଗଲା । ସେତିକି ନୁହେଁ, ଏସିକୁଲର୍, ଫ୍ରିଜ୍-ୱାଶିଂ ମେସିନ୍ ଭଳି ସାମଗ୍ରୀ ମଧ୍ୟ ଦାନ ଦିଆଗଲା । ଦିବଂଗତ ମହାରାଣୀଙ୍କ ଦ୍ୱାଦଶାହ ଭୋଜିରେ ୧ ଲକ୍ଷ ଲୋକଙ୍କର ଭୋଜନ ବ୍ୟବସ୍ଥା କରାଯାଇଥିଲା । ଦେଶର ଅନେକ ରାଜ ପରିବାର ଏଥିରେ ସାମିଲ ହୋଇଥିଲେ । ରାଜ୍ୟପାଳ ଆରିଫ ମହମ୍ମଦ ଖାନ୍ଙ୍କ ସମେତ ସାଧୁ-ସନ୍ଥମାନେ ମଧ୍ୟ ଯୋଗ ଦେଇଥିଲେ । ଭୋଜିରେ ସାମିଲ ହେବା ପାଇଁ ୨.୫ କିମି ଯାଏ ଲୋକଙ୍କର ଲମ୍ବା ଧାଡ଼ି ଲାଗିଥିଲା ।
ଆୟୋଜକଙ୍କ ଅନୁସାରେ, ଭୋଜି ଲାଗି ପ୍ରାୟ ୩୦୦ କାରିଗରଙ୍କର ଟିମ୍ ଆସିଥିଲା । ପ୍ରାୟ ୩ ହଜାର ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା । ୫୬ ଭୋଗ, ପାରମ୍ପରିକ ମିଥିଳା ବ୍ୟଞ୍ଜନ, ୧୦-୧୨ ପ୍ରକାର ମିଠା ଓ ରାଜକୀୟ ଖାଦ୍ୟପେୟର ବ୍ୟବସ୍ଥା ହୋଇଥିଲା । ପ୍ରାୟ ୫ ଲକ୍ଷ ମିଠା ପ୍ରସ୍ତୁତ ହୋଇଥିଲା । ରାତି ୮ଟା ସୁଦ୍ଧା ପ୍ରାୟ ୬୦ ହଜାର ଲୋକ ଭୋଜିରେ ସାମିଲ ହୋଇଥିଲେ । ରାତି ୧୨ଟା ପର୍ଯ୍ୟନ୍ତ ଶ୍ରାଦ୍ଧ ଭୋଜି ଚାଲିଥିଲା । ଗତ ବୁଧବାର ୫୦ ହଜାର ଲୋକଙ୍କୁ ଭୋଜି ଦିଆଯାଇଥିଲା । ଦରଭଙ୍ଗା ରାଜ ପରିବାରର ମହାରାଣୀ କାମସୁନ୍ଦରୀ ଦେବୀଙ୍କର ଗତ ୧୨ ତାରିଖ ଦେହାନ୍ତ ହୋଇଥିଲା । କିଛି ଦିନ ହେଲା ସେ ଅସୁସ୍ଥ ଥିଲେ । ୯୬ ବର୍ଷ ବୟସରେ ରାଜ ପରିବାରର କଲ୍ୟାଣୀ ନିବାସରେ ତାଙ୍କର ଦେହାନ୍ତ ହୋଇଥିଲା । ସୂଚନାଯୋଗ୍ୟ, କାମେଶ୍ୱର ନଗର ସ୍ଥିତ ମେଘେଶ୍ୱରନାଥ ପରିସରରେ ରାଜ ପରିବାରର ସମସ୍ତ ମହାରାଜା-ମହାରାଣୀଙ୍କ ଅନ୍ତିମ ସଂସ୍କାର ହୋଇଆସୁଛି । ସେଠାରେ ଯେତେ ମହାରାଜାଙ୍କ ଅନ୍ତିମ ସଂସ୍କାର ହୋଇଛି, ସେଠାରେ ମନ୍ଦିର ନିର୍ମିତ ହୋଇଛି । ଉକ୍ତ ପରିସରରେ ମୋଟ୍ ୯ ମନ୍ଦିର ରହିଛି ।