ଭୁବନେଶ୍ୱର, ୨୨/୧୧: ବିଧାନସଭା ପରିସରରେ ଶହୀଦ ଲକ୍ଷ୍ମଣ ନାୟକଙ୍କୁ ଶ୍ରଦ୍ଧାଞ୍ଜଳି । ସକାଳ ସାଢେ ୯ଟାରେ ବିଧାନସଭା ପାର୍ଶ୍ଵ ଏକ ନମ୍ଵର ଗେଟ୍ ନିକଟସ୍ଥ ପ୍ରତିମୂର୍ତ୍ତିରେ ବାଚସ୍ପତି ସୁରମା ପାଢୀ, ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଧାନସଭା ସଚିବ ସତ୍ୟବ୍ରତ ରାଉତ, ସୂଚନା ଓ ଲୋକସମ୍ପର୍କ ବିଭାଗର ଉପ-ନିର୍ଦ୍ଦେଶିକା ସୁଚେତା ପ୍ରିୟଦର୍ଶିନୀ, ଶବରୀ ସାଂସ୍କୃତିକ ସଂସଦର ସମ୍ପାଦକ ନୀଳମାଧବ ଦାସ, ସାଧାରଣ ସମ୍ପାଦକ ଇଂ. ଗୋଦାବରୀଶ ମହାପାତ୍ର, ପୂର୍ବତନ ସଭାପତି ଅରବିନ୍ଦ ଢାଳି, ଏବଂ ଅନ୍ୟାନ୍ୟ କର୍ମକର୍ତ୍ତାମାନଙ୍କ ସହ ବିଭିନ୍ନ ସାମାଜିକ ସଂଗଠନର ପ୍ରତିନିଧିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ସେହିପରି ସକାଳ ୮ଟାରେ ଭୁବନେଶ୍ଵର ଆଦିବାସୀ ପଡ଼ିଆରେ ଏବଂ ୮.୩୦ରେ କଳିଙ୍ଗ ହସ୍ପିଟାଲ ଛକସ୍ଥିତ ଶହୀଦ ଲକ୍ଷ୍ମଣ ନାୟକଙ୍କ ପ୍ରତିମୂର୍ତ୍ତିରେ, ବିଭାଗୀୟ ଅଧିକାରୀ ଓ ଶବରୀ ସାଂସ୍କୃତିକ ସଂସଦର କର୍ମକର୍ତ୍ତାମାନେ ମାଲ୍ୟାର୍ପଣ କରିଥିଲେ। ଏହି ସବୁ କାର୍ଯ୍ୟକ୍ରମରେ ଶହୀଦଙ୍କ ତ୍ୟାଗ, ସାହସ ଓ ଦେଶପ୍ରେମକୁ ସ୍ମରଣ କରାଯାଇଥିଲା।

୧୮୯୯ ମସିହା ନଭେମ୍ବର ୨୨ରେ ଅବିଭକ୍ତ କୋରାପୁଟ ଜିଲ୍ଲାର ମାଲକାନଗିରି ଉପଖଣ୍ଡସ୍ଥିତ ବଣପାହାଡ଼ ଘେରା ତେନ୍ତୁଳୀଗୁମ୍ମା ଗ୍ରାମରେ ଲକ୍ଷ୍ମଣ ନାୟକ ଜନ୍ମଗ୍ରହଣ କରିଥିଲେ। ସମଗ୍ର ଆଦିବାସୀ ସମାଜର ଗୌରବ, ମାତୃଭୂମିର ପରମ ପୂଜକ, ବୀର ଓ ମହାତ୍ମା ଗାନ୍ଧୀଙ୍କ ପଟ୍ଟଶିଷ୍ୟ ଶହୀଦ ଲକ୍ଷ୍ମଣ ନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ଅବସରରେ ଆଜି ବିଭିନ୍ନ ସ୍ଥାନରେ ଶ୍ରଦ୍ଧାଞ୍ଜଳି ପୂର୍ବକ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।