ନୂଆଦିଲ୍ଲୀ: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମସ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବାଂଲାଦେଶର ଏକ କୋର୍ଟ ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନା, ତାଙ୍କ ଝିଅ ସାଇମା ୱାଜେଦ ପୁତୁଲ ଏବଂ ଅନ୍ୟ ୧୭ ଜଣଙ୍କ ବିରୁଦ୍ଧରେ ଦୁର୍ନୀତି ମାମଲାରେ ଆଉ ଏକ ଗିରଫ ପରୱାନା ଜାରି କରିଛନ୍ତି। ଏଥିରେ ତାଙ୍କ ବିରୁଦ୍ଧରେ ଠକେଇ ମାଧ୍ୟମରେ ଏକ ଆବାସିକ ଜମି ଅଧିଗ୍ରହଣ କରିଥିବା ଅଭିଯୋଗ ହୋଇଛି।

ମାମଲାକୁ ନେଇ ଦୁର୍ନୀତି ନିବାରଣ କମିଶନ ଦ୍ୱାରା ଦାଖଲ କରାଯାଇଥିବା ଚାର୍ଜସିଟ୍ ଢାକା ମେଟ୍ରୋପଲିଟାନ୍ ସିନିୟର ସ୍ପେଶାଲ୍ ଜଜ୍ ଜାକିର ହୁସେନ୍ ଗାଲିବ୍ ଗ୍ରହଣ କରିଛନ୍ତି। କୋର୍ଟ କହିଛନ୍ତି ଯେ ଅଭିଯୁକ୍ତ ମାନେ ଫେରାର୍ ଅଛନ୍ତି, ତେଣୁ ଗିରଫ ପରୱାନା ଜାରି କରାଯାଇଛି। ଦୁର୍ନୀତି ନିବାରଣ କମିଶନର ପବ୍ଲିକ ପ୍ରସିକ୍ୟୁଟର ମୀର ଅହମଦ ସଲାମ କହିଛନ୍ତି ଯେ, ମେଟ୍ରୋପଲିଟାନ୍ ସିନିୟର ସ୍ପେଶାଲ୍ ଜଜ୍ ମହମ୍ମଦ ଜାକିର ହୁସେନ ଗାଲିବ ଏହି ୱାରେଣ୍ଟ ଜାରି କରିଛନ୍ତି। 

ଦୁର୍ନୀତି ନିବାରଣ କମିଶନ ଜାନୁଆରୀ ୧୨, ୨୦୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ଏବଂ ଅନ୍ୟ ସହ-ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ କରିଥିଲା। ଚାର୍ଜସିଟ୍ ଅନୁଯାୟୀ, ସାଇମା ୱାଜେଡ୍ ପୁତୁଲ୍ ରାଜୁକଙ୍କ ବଦଳରେ ଜମି ପାଇବା ଏବଂ ଆବେଦନ କରିବା ପାଇଁ ତତ୍କାଳୀନ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ମାଆ ହସିନାଙ୍କୁ ବେଆଇନ ଭାବରେ ପ୍ରଭାବିତ କରିଥିଲେ। ଏହା ନିୟମର ଉଲ୍ଲଂଘନ ଥିଲା।