ଇସଲାମାବାଦ/ୱାଶିଂଟନ, ୧୮।୫: ପାକିସ୍ତାନର ଗ୍ୱାଦର ବନ୍ଦରକୁ ନେଇ ଚୀନ୍ ଏବଂ ପାକିସ୍ତାନ ମଧ୍ୟରେ ଚାଲିଥିବା ଏକ ସାଂଘାତିକ ଗୁପ୍ତ ବୁଝାମଣାର ପର୍ଦ୍ଦାଫାଶ ହୋଇଛି । ଆମେରିକାର ଏକ ସ୍ୱାଧୀନ ସମ୍ବାଦ ସଂସ୍ଥା ‘ଡ୍ରପ୍ ସାଇଟ୍ ନ୍ୟୁଜ୍’ ନିଜର ସଦ୍ୟତମ ରିପୋର୍ଟରେ ଏଭଳି ଏକ ଚାଞ୍ଚଲ୍ୟକର ଦାବି କରିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନ ନିଜର ଗ୍ୱାଦର ପୋର୍ଟ ବ୍ୟବହାର କରିବାକୁ ଅନୁମତି ଦେବା ବଦଳରେ ଚୀନ୍‌ଠାରୁ ‘ସେକେଣ୍ଡ ଷ୍ଟ୍ରାଇକ୍’ କ୍ଷମତା ସମ୍ପନ୍ନ ପରମାଣୁ ବୁଡ଼ାଜାହାଜ ମାଗୁଥିଲା, ଯାହାଫଳରେ ସେ ଭାରତ ସମେତ ନିଜର ଶତ୍ରୁପକ୍ଷ ଉପରେ ଚାପ ସୃଷ୍ଟି କରିପାରିବ । ପାକିସ୍ତାନୀ ସେନାର ଅତି ଗୋପନୀୟ ସାମରିକ ଦସ୍ତାବିଜ୍‌କୁ ସମୀକ୍ଷା କରିବା ପରେ ଆମେରିକୀୟ ସଂସ୍ଥା ଏହି ଖବର ପ୍ରକାଶ କରିଥିବା ଦାବି କରିଛି । 

ଏହି ‘ସେକେଣ୍ଡ ଷ୍ଟ୍ରାଇକ୍’ କ୍ଷମତା କ’ଣ ?

ଯୁଦ୍ଧ କ୍ଷେତ୍ରରେ ‘ସେକେଣ୍ଡ ଷ୍ଟ୍ରାଇକ୍’ ବା ଦ୍ୱିତୀୟ ଆକ୍ରମଣ କ୍ଷମତା ଅତି ଗୁରୁତ୍ୱପୂର୍ଣ୍ଣ ମାନାଯାଏ । ଏହାର ଅର୍ଥ ହେଉଛି, ଯଦି ଶତ୍ରୁ ଦେଶ ପ୍ରଥମେ ଆକ୍ରମଣ କରି ଆପଣଙ୍କର ସମସ୍ତ ସ୍ଥଳଭାଗ ଓ ଆକାଶମାର୍ଗର ପରମାଣୁ ଆଡ୍ଡାକୁ ଧ୍ୱଂସ କରିଦିଏ, ତଥାପି ଆପଣଙ୍କ ପାଖରେ ଏଭଳି ଶକ୍ତି ବଞ୍ଚିଥିବ ଯାହାଦ୍ୱାରା ଆପଣ ଶତ୍ରୁ ଉପରେ ପ୍ରତିଆକ୍ରମଣ କରିପାରିବେ । ଏହା କେବଳ ସମୁଦ୍ର ଗଭୀରତାରେ ଲୁଚି ରହିଥିବା ବାଲିଷ୍ଟିକ୍ ମିସାଇଲ୍ ସବ୍‌ମେରିନ (SSBN) ଦ୍ୱାରା ହିଁ ସମ୍ଭବ, ଯାହା ଶତ୍ରୁର ନଜରରୁ ବଞ୍ଚି ପରମାଣୁ ମିସାଇଲ୍ ମାଡ଼ କରିପାରେ । ବର୍ତ୍ତମାନ ପାକିସ୍ତାନ ପାଖରେ କେବଳ ଜମି ଏବଂ ଆକାଶରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ରହିଛି । ଯଦି ଚୀନ୍‌ଠାରୁ ଏହି ବୁଡ଼ାଜାହାଜ ମିଳିଥାନ୍ତା, ତେବେ ପାକିସ୍ତାନ ‘ନ୍ୟୁକ୍ଲିୟର ଟ୍ରାଏଡ୍’ ଅର୍ଥାତ୍ ଜଳ, ସ୍ଥଳ ଓ ନଭରୁ ପରମାଣୁ ଆକ୍ରମଣ କରିବାର ଶକ୍ତି ହାସଲ କରିଥାନ୍ତା । ତେବେ ଚୀନ୍ ଏହି ଦାବିକୁ ଅଯୌକ୍ତିକ ମନେକରି ଆଲୋଚନାକୁ ସ୍ଥଗିତ ରଖିଥିଲା । 

ଅସିମ ମୁନୀରଙ୍କ ଦ୍ୱିମୁଖୀ ନୀତି ଓ ଆମେରିକା-ଚୀନ୍ ସହ ମୂଲଚାଲ: 

୨୦୨୨ ନଭେମ୍ବରରେ ପାକିସ୍ତାନ ସେନା ମୁଖ୍ୟ ଦାୟିତ୍ୱ ନେଇଥିବା ଜେନେରାଲ ଅସୀମ ମୁନିର ବାହାରକୁ ଆମେରିକା ପକ୍ଷପାତୀ ଦେଖାଯାଉଥିଲେ ମଧ୍ୟ ଭିତରେ ଭିତରେ ଚୀନ୍ ସହ ବଡ଼ ସାମରିକ ମୂଲଚାଲ କରୁଥିଲେ । ୨୦୨୪ର ପ୍ରାରମ୍ଭରେ ପାକିସ୍ତାନ ବେଜିଂକୁ ଗୋପନରେ ଆଶ୍ୱାସନା ଦେଇଥିଲା ଯେ ସେ ଗ୍ୱାଦରକୁ ଚୀନ୍ ସେନାର ଏକ ସ୍ଥାୟୀ ଆଡ୍ଡା ଭାବେ ବିକଶିତ କରିବାକୁ ଅନୁମତି ଦେବ । ଏହାର ବଦଳରେ ମୁନୀର ପରମାଣୁ ବୁଡ଼ାଜାହାଜ ଦାବି କରିଥିଲେ । ସଦ୍ୟତମ ଆମେରିକୀୟ ରିପୋର୍ଟ ଅନୁସାରେ, ପାକିସ୍ତାନ ନିଜର ଦୁଇ ରଣନୀତିକ ସହଯୋଗୀ ଚୀନ୍ ଏବଂ ଆମେରିକା ସହ କଡ଼ା ମୂଲଚାଲ କରୁଛି । ଗୋଟିଏ ପଟେ ଆମେରିକାର ବାଇଡେନ ପ୍ରଶାସନର ଜଣେ ବରିଷ୍ଠ ଅଧିକାରୀ ଇମ୍ରାନ ଖାନଙ୍କୁ ପ୍ରଧାନମନ୍ତ୍ରୀ ପଦରୁ ହଟାଇବା ପାଇଁ ଚାପ ପକାଉଥିବା ବେଳେ, ଅନ୍ୟପଟେ ପାକିସ୍ତାନ ୱାଶିଂଟନ ସହ ସମ୍ପର୍କ ସୁଧାରିବା ସହ ଚୀନ୍‌ଠାରୁ ପରମାଣୁ ଅସ୍ତ୍ର କ୍ୟାରିଅର୍ ହାସଲ କରିବାକୁ ଚେଷ୍ଟା କରୁଥିଲା । ବର୍ତ୍ତମାନ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଜେନେରାଲ ମୁନୀରଙ୍କ ପାଇଁ "ମୋର ପ୍ରିୟ ଫିଲ୍ଡ ମାର୍ଶଲ" ଶବ୍ଦ ବ୍ୟବହାର କରିବା ଏବଂ ଇରାନ-ଆମେରିକା ମଧ୍ୟସ୍ଥତାରେ ପାକିସ୍ତାନର ପ୍ରମୁଖ ଭୂମିକା ଦର୍ଶାଉଛି ଯେ ପାକିସ୍ତାନ ଚୀନ୍ ଶିବିରରୁ ଦୂରେଇ ଯାଉଛି । କିନ୍ତୁ ପ୍ରକୃତ ସତ୍ୟ ହେଉଛି, ମୁନୀର ଚୀନ୍ ସହ ସୌଦା କରିବାକୁ ପ୍ରସ୍ତୁତ ଥିଲେ, କେବଳ ଏହାର ଉପଯୁକ୍ତ ମୂଲ୍ୟ ଚାହୁଁଥିଲେ । 

ଚୀନ୍ ‘ମାଲ୍’ ଭରସାରେ ପାକିସ୍ତାନର ପରମାଣୁ ଶକ୍ତି:

ପାକିସ୍ତାନର ପରମାଣୁ କ୍ଷମତା ସମ୍ପୂର୍ଣ୍ଣ ଭାବେ ଚୀନ୍‌ର ଦାନ ଉପରେ ନିର୍ଭରଶୀଳ । ୧୯୭୦ ଓ ୧୯୮୦ ଦଶକରେ ଚୀନ୍ ଗୁପ୍ତଭାବେ ପାକିସ୍ତାନକୁ ଅତ୍ୟଧିକ ସମୃଦ୍ଧ ୟୁରେନିୟମ ଏବଂ ପରମାଣୁ ବୋମାର ବ୍ଲୁ-ପ୍ରିଣ୍ଟ (CHIC-4) ଯୋଗାଇ ଦେଇଥିଲା । ୧୯୯୦ ଦଶକରେ ଚୀନ୍ ପାକିସ୍ତାନକୁ M-11 ମଧ୍ୟମ ଦୂରଗାମୀ ବାଲିଷ୍ଟିକ୍ ମିସାଇଲ୍ ବିକ୍ରି କରିଥିଲା । କିନ୍ତୁ, ଆର୍ଥିକ ଓ ବୈଷୟିକ ଦୁର୍ବଳତା କାରଣରୁ ନିଜ ବଳରେ ସମୁଦ୍ର ଭିତରୁ ପରମାଣୁ ଆକ୍ରମଣ କରିବାର କ୍ଷମତା ପାକିସ୍ତାନ ପାଖରେ ନଥିଲା । ବର୍ତ୍ତମାନ ବିଶ୍ୱର ମାତ୍ର ୬ଟି ଦେଶ ପାଖରେ ପରମାଣୁ ଚାଳିତ ବାଲିଷ୍ଟିକ୍ ମିସାଇଲ୍ ବୁଡ଼ାଜାହାଜ (SSBN) ରହିଛି । ସେହି ଦେଶଗୁଡ଼ିକ ହେଲା- ଆମେରିକା, ରୁଷ, ଚୀନ୍, ଫ୍ରାନ୍ସ, ବ୍ରିଟେନ, ଭାରତ ।

​​​​​​​

ଭାରତ ପାଇଁ କାହିଁକି ବଢୁଛି ଚିନ୍ତା ?

୨୦୧୪ରେ ପାକିସ୍ତାନ ଚୀନ୍ ସହ ୫ ବିଲିୟନ ଡଲାରର ‘ହ୍ୟାଙ୍ଗର କ୍ଲାସ’ ବୁଡ଼ାଜାହାଜ ଚୁକ୍ତି କରିଥିଲା, ଯାହା ପାକିସ୍ତାନର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି । ଏହି ଚୁକ୍ତି ଅନୁଯାୟୀ ୮ଟି S26 ବୁଡ଼ାଜାହାଜ ମଧ୍ୟରୁ ପ୍ରଥମ ବୁଡ଼ାଜାହାଜ PNS/M Hangor ଚଳିତ ବର୍ଷ ମେ ୪ରେ ଚୀନ୍‌ର ସାନ୍ୟାଠାରେ ପାକିସ୍ତାନୀ ନୌସେନାରେ ସାମିଲ ହୋଇଛି । ଭାରତୀୟ ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ, ଏଥିମଧ୍ୟରୁ ଦୁଇଟି ‘S-30’ କ୍ଲାସର ବଡ଼ ବୁଡ଼ାଜାହାଜ ହୋଇପାରେ, ଯାହା ଚୀନ୍‌ର ‘କ୍ୱିଙ୍ଗ-କ୍ଲାସ’ ଭଳି ପରମାଣୁ କ୍ରୁଜ୍ ମିସାଇଲ୍ ଉତକ୍ଷେପଣ କରିବାକୁ ସକ୍ଷମ ଏବଂ ଏହା ୩୦ ଦିନ ପର୍ଯ୍ୟନ୍ତ ପାଣି ଭିତରେ ଲୁଚି ରହିପାରେ । ତେବେ ଜେନେରାଲ ବାଜୱାଙ୍କ ସମୟରେ ଆରମ୍ଭ ହୋଇଥିବା ଏହି ତିନି ସ୍ତରୀୟ ଯୋଜନା ବର୍ତ୍ତମାନ ମୁନୀରଙ୍କ ଆମେରିକା ପ୍ରୀତି ଏବଂ ଚାଇନିଜ୍ କର୍ମଚାରୀଙ୍କ ସୁରକ୍ଷାକୁ ନେଇ ଦେଖାଦେଇଥିବା ବିବାଦ ଯୋଗୁଁ ସମ୍ପୂର୍ଣ୍ଣ ସଫଳ ହୋଇପାରିନାହିଁ । କିନ୍ତୁ, ପାକିସ୍ତାନର ଏହି ଗୁପ୍ତ ବୁଝାମଣା ଏସିଆ ମହାଦେଶ, ବିଶେଷ କରି ଭାରତର ସାମୁଦ୍ରିକ ସୁରକ୍ଷା ପ୍ରତି ଏକ ବଡ଼ ଚେତାବନୀ ବୋଲି ବିଶେଷଜ୍ଞମାନେ ମତ ପ୍ରକାଶ କରିଛନ୍ତି । 

ଆହୁରି ପଢ଼ନ୍ତୁ... Copper Bottle Mistakes: ତମ୍ବା ବୋତଲର ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ ଅମୃତ, କିନ୍ତୁ ଏହି ଭୁଲ୍ କଲେ ପାଲଟିଯିବ ବିଷ !