ନୂଆଦିଲ୍ଲୀ, ୧୦।୧: ରୁଷ ଏବଂ ୟୁକ୍ରେନ ମଧ୍ୟରେ ଯୁଦ୍ଧ ଶେଷ ହେବାର ନାମ ନେଉନାହିଁ । ଆମେରିକା ଏହି ଯୁଦ୍ଧକୁ ଶେଷ କରିବାକୁ ନିରନ୍ତର ଚେଷ୍ଟା ଚଳାଉଛି । ଅନ୍ୟପଟେ ଫକ୍ସ ନ୍ୟୁଜର ବରିଷ୍ଠ ହ୍ୱାଇଟ୍ ହାଉସ୍ ସମ୍ବାଦଦାତା ପିଟର ଡୁସି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଏକ ପ୍ରଶ୍ନ ପଚାରିଛନ୍ତି । ତାଙ୍କ ପ୍ରଶ୍ନ ଥିଲା “ଭେନେଜୁଏଲାର ପୂର୍ବତନ ନେତା ନିକୋଲାସ ମାଦୁରୋଙ୍କୁ ଗିରଫ କରିବାକୁ ଆମେରିକା ଡେଲ୍ଟା ଫୋର୍ସ ମିଶନର ଯୋଜନା କରିଥିଲା । ଠିକ୍ ଏହିପରି ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଗିରଫ କରିବାକୁ ଟ୍ରମ୍ପ ଆଉ ଏକ ମିଶନ ପାଇଁ ନିର୍ଦ୍ଦେଶ ଦେବେ କି ?” ଏହି ପ୍ରଶ୍ନର ଉତ୍ତରରେ ଟ୍ରମ୍ପ କହିଲେ, "ମୁଁ ଭାବୁନାହିଁ ଯେ, ଏହା ଆବଶ୍ୟକ ହେବ । ପୁଟିନଙ୍କ ସହ ମୋର ସବୁବେଳେ ଭଲ ସମ୍ପର୍କ ରହିଛି । ମୁଁ ବହୁତ ନିରାଶ ।" ସେ କହିଥିଲେ ଯେ, ସେ ରୁଷ ଏବଂ ୟୁକ୍ରେନ୍ ମଧ୍ୟରେ ଏକ ଶାନ୍ତି ଚୁକ୍ତିନାମା ପାଇଁ ମଧ୍ୟସ୍ଥତା କରିବାକୁ ଚେଷ୍ଟା କରୁଥିଲେ, କିନ୍ତୁ ଏହା ସହଜ ନଥିଲା । ଟ୍ରମ୍ପ କହିଥିଲେ ଯେ, ସେ ୮ଟି ଯୁଦ୍ଧ ସମାପ୍ତ କରିଛନ୍ତି ଏବଂ ଆଶା ରଖିଛନ୍ତି ଯେ ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟ ସମାଧାନ ହୋଇଯିବ । ଗତ ମାସରେ ୩୧ ହଜାର ଲୋକଙ୍କ ମୃତ୍ୟୁ ହୋଇଥିଲା, ଯେଉଁଥିରେ ଅନେକ ରୁଷ ସୈନିକ ଥିଲେ ।

ଆମେରିକା ଏବଂ ରୁଷ ମଧ୍ୟରେ ବଢ଼ୁଛି ବିବାଦ:

ଏକ ପୁରୁଣା ଖାଲି ତେଲ ଟ୍ୟାଙ୍କରକୁ ନେଇ ଆମେରିକା ଏବଂ ରୁଷ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇଥିଲା । ଟ୍ୟାଙ୍କରକୁ ସୁରକ୍ଷା ଦେବା ପାଇଁ ରୁଷ ତାର ବୁଡ଼ାଜାହାଜ ଏବଂ ନୌସେନା ନିୟୋଜିତ କରିଥିଲା । ଅନ୍ୟପଟେ ବୁଧବାର ଆମେରିକା ଆଇସ୍ ଲ୍ୟାଣ୍ଡ ନିକଟ ଆଟଲାଣ୍ଟିକ ମହାସାଗରରେ ଜାହାଜଟିକୁ ଜବତ କରିଥିଲା । ରୁଷ ଏହାକୁ ଦୃଢ଼ ନିନ୍ଦା କରିଥିଲା ଏବଂ ଏହାର କ୍ରୁ ସଦସ୍ୟମାନଙ୍କୁ ଫେରାଇବାକୁ ଦାବି କରିଥିଲା । ରୁଷର ଏହି ମତ ପରେ, ଆମେରିକା ତୁରନ୍ତ ଜାହାଜର ୨ଜଣ କ୍ରୁ ସଦସ୍ୟଙ୍କୁ ମୁକ୍ତ କରିଥିଲା ।

କହିରଖୁଛୁ କି, ଜାନୁଆରୀ ୩ରେ ଆମେରିକା ସେନା ଭେନେଜୁଏଲା ଉପରେ ସାମରିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା । ରାଷ୍ଟ୍ରପତି ନିକୋଲାସ ମାଦୁରୋ ଏବଂ ତାଙ୍କ ପତ୍ନୀ ସିଲିଆ ଫ୍ଲୋରେସଙ୍କୁ ଗିରଫ କରିଥିଲା । ମାଦୁରୋଙ୍କ ବିରୁଦ୍ଧରେ "ଡ୍ରଗ୍ସ ଚାଲାଣ ଏବଂ ଆତଙ୍କବାଦ ଷଡ଼ଯନ୍ତ୍ର" ଅଭିଯୋଗ ରହିଛି । ରିପୋର୍ଟ ଅନୁଯାୟୀ, ସେମାନଙ୍କ ଗିରଫଦାରୀ ପରେ, ମାଦୁରୋଙ୍କ ଅଧୀନରେ ଭେନେଜୁଏଲାର ଉପରାଷ୍ଟ୍ରପତି ଡେଲସି ରୋଡ୍ରିଗେଜ୍ ଆନୁଷ୍ଠାନିକ ଭାବରେ ଦେଶର କାର୍ଯ୍ୟକାରୀ ରାଷ୍ଟ୍ରପତିର ଭୂମିକା ଗ୍ରହଣ କରିଥିଲେ । ଟ୍ରମ୍ପ ଘୋଷଣା କରିଥିଲେ ଯେ ଆମେରିକା ଭେନେଜୁଏଲାର ତୈଳ କ୍ଷେତ୍ରର ନିୟନ୍ତ୍ରଣ ନେବ ଏବଂ ଆମେରିକୀୟ କମ୍ପାନୀଗୁଡ଼ିକ ଉତ୍ପାଦନ ବୃଦ୍ଧି ପାଇଁ କୋଟି କୋଟି ଡଲାର ନିବେଶ କରିବ ।