ନୂଆଦିଲ୍ଲୀ, ୪।୩: ଇରାନ ସହ ଚାଲିଥିବା ଭୟଙ୍କର ଯୁଦ୍ଧ ମଧ୍ୟରେ ବିଶ୍ୱ ବଜାରରେ ଶକ୍ତି ସଙ୍କଟକୁ ଏଡ଼ାଇବା ପାଇଁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବଡ଼ ପଦକ୍ଷେପ ନେଇଛନ୍ତି । 'ଷ୍ଟ୍ରେଟ୍ ଅଫ୍ ହର୍ମୁଜ' ଦେଇ ଯାତାୟାତ କରୁଥିବା ତୈଳ ଟ୍ୟାଙ୍କର ଏବଂ ବାଣିଜ୍ୟିକ ଜାହାଜଗୁଡ଼ିକୁ ଆମେରିକା ନୌସେନା ସୁରକ୍ଷା ଯୋଗାଇବା ସହ ସେମାନଙ୍କ ପାଇଁ ବୀମା ବ୍ୟବସ୍ଥା ମଧ୍ୟ କରିବ ବୋଲି ଟ୍ରମ୍ପ ଘୋଷଣା କରିଛନ୍ତି । ଯୁଦ୍ଧ ଯୋଗୁଁ ବନ୍ଦ ହୋଇପଡ଼ିଥିବା ସାମୁଦ୍ରିକ ପଥରେ ଏଣିକି ଆମେରିକା ନୌସେନା ତୈଳ ଟ୍ୟାଙ୍କରଗୁଡ଼ିକୁ ନିଜ ସାଥୀରେ ନେଇ ଗନ୍ତବ୍ୟ ସ୍ଥଳରେ ପହଞ୍ଚାଇବ ।

ଏହା ବି ପଢ଼ନ୍ତୁ... ସାଉଦି ଆରବରେ ଆମେରିକା ଦୁର୍ଗ ଭେଦିଲା ଇରାନ୍, ଡ୍ରୋନ୍ ହମ୍ଲାରେ ଉଡ଼ିଲା CIA ଷ୍ଟେସନ୍

ଶସ୍ତା ବୀମା ସୁବିଧା: ଆମେରିକାର 'ଇଣ୍ଟରନ୍ୟାସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ' (DFC) ଅତି କମ୍ ମୂଲ୍ୟରେ ଏହି ଜାହାଜଗୁଡ଼ିକୁ ବୀମା ଗ୍ୟାରେଣ୍ଟି ପ୍ରଦାନ କରିବ ।

ତୈଳ ଦର ନିୟନ୍ତ୍ରଣ: ଯୁଦ୍ଧ ଯୋଗୁଁ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୦ ଡଲାର ଟପିଥିବା ବେଳେ, ଟ୍ରମ୍ପଙ୍କ ଏହି ଘୋଷଣା ପରେ ବଜାରରେ ସାମାନ୍ୟ ଆଶ୍ୱସ୍ତି ଦେଖାଦେଇଛି । ଯେକୌଣସି ପରିସ୍ଥିତିରେ ବି ଆମେରିକା ସାରା ବିଶ୍ୱକୁ ଶକ୍ତି ଯୋଗାଣରେ କୌଣସି ଅବହେଳା ହେବାକୁ ଦେବ ନାହିଁ ବୋଲି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ।

କାହିଁକି ଜରୁରୀ ଏହି ପଦକ୍ଷେପ ?

ଇରାନ ଏବଂ ଇସ୍ରାଏଲ-ଆମେରିକା ମଧ୍ୟରେ ଯୁଦ୍ଧ ଆରମ୍ଭ ହେବା ପରଠାରୁ ବିଶ୍ୱର ପ୍ରାୟ ୨୦% ତୈଳ ରପ୍ତାନି ହେଉଥିବା ହର୍ମୁଜ ଜଳପଥ ପ୍ରଭାବିତ ହୋଇଛି । ବେସରକାରୀ ବୀମା କମ୍ପାନୀଗୁଡ଼ିକ ଯୁଦ୍ଧ ଭୟରେ ସେବା ପ୍ରତ୍ୟାହାର କରିନେଇଥିଲେ । ଟ୍ରମ୍ପଙ୍କ ଏହି ନୂଆ ନୀତି ଦ୍ୱାରା ବାଣିଜ୍ୟିକ କାରବାର ପୁଣି ସ୍ୱାଭାବିକ ହେବ ବୋଲି ଆଶା କରାଯାଉଛି । ତେବେ ବିଶେଷଜ୍ଞଙ୍କ ମତରେ, ଇରାନର ଡ୍ରୋନ୍ ଏବଂ ମିସାଇଲ ଆକ୍ରମଣ ଭୟ ମଧ୍ୟରେ ଏହି ଏସ୍କର୍ଟ ସେବା କାର୍ଯ୍ୟକାରୀ କରିବାକୁ କିଛି ସପ୍ତାହ ସମୟ ଲାଗିପାରେ । ଆଗକୁ ଆମେରିକାରେ ନିର୍ବାଚନ ଥିବାରୁ, ଘରୋଇ ବଜାରରେ ପେଟ୍ରୋଲ-ଡିଜେଲ ଦର ନିୟନ୍ତ୍ରଣ କରିବା ଟ୍ରମ୍ପଙ୍କ ପାଇଁ ଏକ ବଡ଼ ଚ୍ୟାଲେଞ୍ଜ ପାଲଟିଛି ।