ୱାଶିଂଟନ ୦୨/୦୮: ଦୁଇଦେଶ ମଧ୍ୟରେ ଉତ୍ତେଜନା ବୃଦ୍ଧିକୁ ଦୃଷ୍ଟିରେ ରଖି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ରୁଷ ନିକଟବର୍ତ୍ତୀ ଅଞ୍ଚଳରେ ଦୁଇଟି ବୁଡାଜାହାଜ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ନିଜ ସୋସିଆଲ ମିଡିଆ ଟ୍ରୁଥ ସୋସିଆଲରେ ସେ ଏହି  ସୂଚନା ଦେଇଛନ୍ତି । କେବଳ ଏତିକି ନୁହେଁ ରୁଷକୁ ଗମ୍ଭୀର ପରିଣାମ ଭୋଗିବାକୁ ପଡିବ ବୋଲି ଟ୍ରମ୍ପ ମଧ୍ୟ ଧମକ ଦେଇଛନ୍ତି । ରୁଷର ପୂର୍ବତନ ରାଷ୍ଟ୍ରପତି ତଥା ବର୍ତ୍ତମାନ ରୁଷ ସୁରକ୍ଷା ପରିଷଦର ଉପାଧ୍ୟକ୍ଷ ଦିମିତ୍ରି ମେଦ୍‌ଭେଦେଭଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନ  ପରିପ୍ରେକ୍ଷୀରେ ଟ୍ରମ୍ପ ଏଭଳି ପଦକ୍ଷେପ ନେଇଛନ୍ତି । 

ଟ୍ରମ୍ପ ଲେଖିଛନ୍ତି ଯେ ମେଦଭେଦେଭଙ୍କ ଉତ୍ତେଜନା ସୃଷ୍ଟିକାରୀ ବୟାନକୁ ଦୃଷ୍ଟିରେ ରଖି ସେ ୨ଟି ବୁଡାଜାହାଜକୁ ଉପଯୁକ୍ତ କ୍ଷେତ୍ରରେ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ପ୍ରତିଷେଧକ ବ୍ୟବସ୍ଥା ସ୍ୱରୂପ ଏହି ପଦକ୍ଷେପ ନିଆଯାଇଛି । ଏଭଳି ମୂର୍ଖତା  ଓ ଉତ୍ତେଜନା ସୃଷ୍ଟିକାରୀ ବୟାନ କେବଳ ଶବ୍ଦରେ ସୀମିତ ରହୁ । ନଚେତ ଆମେ ବି ପ୍ରସ୍ତୁତ । ଶବ୍ଦର ବହୁତ ମହତ୍ତ୍ୱ ରହିଛି । ବେଳେବେଳେ ଏହା  ଅଜାଣତରେ ଗମ୍ଭୀର ପରିଣାମ ଆଡକୁ ନେଇଯାଏ । ମୋର ବିଶ୍ୱାସ ଅଛି କି ଏଥର ସେଭଳି ହେବନାହିଁ । ଏହା ପୂର୍ବରୁ ରୁଷ ଠାରୁ ତୈଳ କିଣୁଥିବାରୁ ଜୁଲାଇ  ୩୦ ତାରିଖରେ ଭାରତ ଉପରେ ଟ୍ରମ୍ପ ୨୫ ପ୍ରତିଶତ  ଟାରିଫ ଲଗାଇଥିଲେ । ପରଦିନ ଟ୍ରମ୍ପ ଭାରତ ଓ ରୁଷର  ଅର୍ଥନୀତିକୁ ଡେଡ୍‌ ଇକୋନୋମି (ମୃତ ଅର୍ଥବ୍ୟବସ୍ଥା)  ବୋଲି କହିଥିଲେ । ଭାରତ ଓ ରୁଷ ନିଜର ମୃତ ଅର୍ଥ  ବ୍ୟବସ୍ଥାକୁ ନେଇ ବୁଡନ୍ତୁ, ମୋର କିଛି ଯାଏଆସେ  ନାହିଁ ବୋଲି କହିଥିଲେ ।

ଟ୍ରମ୍ପଙ୍କୁ ଏହାର ଜବାବ ଦେବାକୁ ଯାଇ ମେଦ୍‌ଭେଦେଭ୍‌  କହିଥିଲେ କି ଟ୍ରମ୍ପ ଯେଉଁ ଦେଶକୁ ମୃତ ବୋଲି କହୁଛନ୍ତି ତାକୁ  ଏତେ ହାଲୁକାରେ ନେବା ଉଚିତ ନୁହେଁ । ମୃତ ଅର୍ଥ ବ୍ୟବସ୍ଥା କହିବା ପୂର୍ବରୁ ଟ୍ରମ୍ପ ନିଜ ପସନ୍ଦର ଫିଲ୍ମ ‘ୱାକିଂ ଡେଡ’ କଥା ମନେ ପକାଇବା ଉଚିତ। ବର୍ତ୍ତମାନ ଅସ୍ତିତ୍ୱରେ ନ ଥିଲେ  ମଧ୍ୟ ‘ଡେଡ୍‌ ହ୍ୟାଣ୍ଡ’ର ଶକ୍ତି କେତେ ଯେ ବିପଜ୍ଜନକ ତାହା  ଟ୍ରମ୍ପ ଭଲ ଭାବେ ଜାଣିବା ଆବଶ୍ୟକ । 

ସୂଚନାଯୋଗ୍ୟ ଯେ  ‘ଡେଡ୍‌ ହ୍ୟାଣ୍ଡ’ ହେଉଛି ରୁଷର ଏକ ପୁରୁଣା ଆଣବିକ  ଅସ୍ତ୍ର ନିୟନ୍ତ୍ରଣ ବ୍ୟବସ୍ଥା । ଏହି ବ୍ୟବସ୍ଥା ଅନୁସାରେ  ରୁଷ ଉପରେ ଯଦି ଆକ୍ରମଣ କରାଯାଏ କିମ୍ବା ଦେଶର  ନେତୃତ୍ୱ ଯଦି ଅସମର୍ଥ ହୁଅନ୍ତି ତେବେ ରୁଷ ସ୍ୱୟଂ  ଜବାବୀ ପରମାଣୁ ଆକ୍ରମଣ କରିପାରିବ ।