ନୂଆଦିଲ୍ଲୀ: ସମଗ୍ର ବିଶ୍ବକୁ ପୁଣି ଧମକ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ।  ଆମେରିକା ପାଖରେ ଏତେ ସଂଖ୍ୟାରେ ପରମାଣୁ ବୋମା ରହିଛି ଯେ,  ସାରା ବିଶ୍ବକୁ ୧୫୦ ଥର ଧ୍ବଂସ କରାଯାଇପାରିବ ବୋଲି ଟ୍ରମ୍ପ କହିଛନ୍ତି  । ସେପଟେ ଚୀନ୍‌ ରାଷ୍ଟ୍ରପତିଙ୍କ ସହ  ସାକ୍ଷାତ ଆଲୋଚନା ଭଲ ହୋଇଛି ଏବଂ ସେ ପରମାଣୁ ମୁକ୍ତ ବିଶ୍ବ ଚାହୁଁଛନ୍ତି ବୋଲି କହିଛନ୍ତି ଆମେରିକା ରାଷ୍ଟ୍ରପତି । ​‌ତେବେ ଆମେରିକାରେ ଦ୍ବିତୀୟ ଥର ରାଷ୍ଟ୍ରପତି ନିର୍ବାଚିତ ହେବା ପରଠାରୁ ଟ୍ରମ୍ପଙ୍କ କାର୍ଯ୍ୟଶୈଳୀକୁ ନେଇ ଆଶଙ୍କା ଲାଗି ରହିଛି । କେତେବେଳେ ସେ ଶାନ୍ତିଦୂତ ହେବାକୁ ଚେ​‌ଷ୍ଟା କରୁଛନ୍ତି ତ ଆଉ କେତେବେଳେ ପରମାଣୁ ବୋମା ଧମକ ଦେଉଛନ୍ତି । ଟ୍ରମ୍ପ ଆହୁରି କହିଛନ୍ତି, ‘ମୁଁ ଭାବୁଛି ପରମାଣୁ ନିରସ୍ତ୍ରୀକରଣ ଏକ ଭଲ ଉପାୟ । ଆମେ ଏହି ଧରିତ୍ରୀକୁ ୧୫୦ ଥର ଉଡ଼ାଇ ଦେଇପାରିବୁ । କିନ୍ତୁ ଏହାର କୌଣସି ଆବଶ୍ୟକତା ନାହିଁ ।’

ଟ୍ରମ୍ପଙ୍କ ଅନୁସାରେ, ଆମେରିକା ପାଖରେ ସର୍ବାଧିକ ପରମାଣୁ ଅସ୍ତ୍ର ଅଛି । ଆମେରିକା ପରେ ରୁଷ ଏବଂ ଚୀନ୍ ରହିଛି। ସେ କହିଛନ୍ତି, ‘ସି ଜିନପିଙ୍ଗ ଏବଂ ଭ୍ଲାଦିମିର ପୁଟିନଙ୍କ ପରି ନେତାମାନେ ଏବେ ଅନ୍ୟ ଉଦ୍ଦେଶ୍ୟରେ ଟଙ୍କା ବ୍ୟବହାର କରିବେ। ମୁଁ ସେମାନଙ୍କ ସହ କଥା ହୋଇଛି। ଏବେ ସେମାନେ ଏପରି କାମ କରିବେ ଯାହା ଲୋକଙ୍କ ପାଇଁ ଲାଭଦାୟକ ହେବ।’ ଆମେରିକା, ରୁଷ ଏବଂ ଚୀନ୍ ମଧ୍ୟରେ ପରମାଣୁ ନିୟନ୍ତ୍ରଣ ଉପରେ ତ୍ରିପାକ୍ଷିକ ସହଯୋଗର ସମ୍ଭାବନା ମଧ୍ୟରେ ଟ୍ରମ୍ପଙ୍କ ଏହି ମନ୍ତବ୍ୟ ଆସିଛି ।

ଡୋନାଲ୍ଡ ଟ୍ରମ୍ପ କହିଛନ୍ତି, ‘ଆମେ ଆମର ପରମାଣୁ ଅସ୍ତ୍ରଶସ୍ତ୍ର ପୁନଃନିର୍ମାଣ କରିଛୁ। ଆମେ ନମ୍ବର ୱାନ୍ ପରମାଣୁ ଶକ୍ତି । ଯାହା କହିବାକୁ ଖରାପ ଲାଗୁଛି । କାରଣ ଏହା ଖୁବ ଭୟଙ୍କର। ରୁଷ ଦ୍ୱିତୀୟ ଏବଂ ଚୀନ୍ ତୃତୀୟ ସ୍ଥାନରେ ଅଛନ୍ତି । କିନ୍ତୁ ସେମାନେ ଆଗାମୀ ୪-୫ ବର୍ଷ ମଧ୍ୟରେ ଆମ ସହି ସମାନ ହୋଇପାରନ୍ତି । ମୁଁ ସମଗ୍ର ବିଶ୍ୱରେ ଶାନ୍ତି ଚାହୁଁଛି।’

 ଗତ ସପ୍ତାହରେ ରାଷ୍ଟ୍ରପତି ଟ୍ରମ୍ପ କହିଥିଲେ ଯେ, ଆମେରିକା ପରମାଣୁ ପରୀକ୍ଷଣ ପୁଣି ଆରମ୍ଭ କରିବ। ପେଣ୍ଟାଗନକୁ ଅସ୍ତ୍ର ପରୀକ୍ଷଣ ପୁଣି ଆରମ୍ଭ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟ ଦେଶ ଏଭଳି କରୁଛନ୍ତି । ଯଦି ସେମାନେ ପରମାଣୁ ଶକ୍ତି ବିକଶିତ କରିବେ, ତେବେ ଆମେ ମଧ୍ୟ କରିବୁ ।’

ସେ ଆହୁରି କହିଥିଲେ, ‘ମୁଁ ଭାବୁଛି ସେମାନେ (ରୁଷ ଏବଂ ଚୀନ୍) ସମସ୍ତେ ପରମାଣୁ ପରୀକ୍ଷଣ କରୁଛନ୍ତି। ଆମ ପାଖରେ ଅନ୍ୟ ଯେକୌଣସି ଦେଶ ଅପେକ୍ଷା ଅଧିକ ପରମାଣୁ ଅସ୍ତ୍ର ଅଛି। ଆମେ ପରୀକ୍ଷଣ କରୁନାହୁଁ,  ଆମେ ବହୁ ବର୍ଷ ପୂର୍ବରୁ ପରୀକ୍ଷା ବନ୍ଦ କରିଦେଇଥିଲୁ । କିନ୍ତୁ ଯେହେତୁ ଅନ୍ୟମାନେ ପରୀକ୍ଷଣ କରୁଛନ୍ତି, ମୁଁ ଭାବୁଛି ଆମକୁ ମଧ୍ୟ ଏହା କରିବା ଉଚିତ୍।’ ଟ୍ରମ୍ପ ଉତ୍ତର କୋରିଆ ଏବଂ ପାକିସ୍ତାନର ନାଁ ନେଇ କହିଥିଲେ, ସେମାନେ ଅଣ୍ଡର ଗ୍ରାଉଣ୍ଡ ପରମାଣୁ ପରୀକ୍ଷଣ କରୁଛନ୍ତି।