ୱାଶିଂଟନ୍, ୧୨/୦୧ : ଭେନେଜୁଏଲା, ଇରାନ ପରେ ଏବେ କାରାବିୟାନ ଦେଶ କ୍ୟୁବା ଉପରେ ଟ୍ରମ୍ପଙ୍କ ନଜର। କ୍ୟୁବାକୁ ଧମକ ଦେଲେ ଆମେରିକା ରାଷ୍ଟ୍ରପତି। ଟ୍ରମ୍ପ୍ କଡ଼ା ଶବ୍ଦରେ କହିଛନ୍ତି, ଡେରି ନ କରି କ୍ୟୁବା ଆମେରିକା ସହ ତୁରନ୍ତ ଡିଲ୍ ବା ବୁଝାମଣା କରୁ । ସମୟ ସରିଯାଇଛି । ଏଣିକି ଆଉ କ୍ୟୁବାକୁ ନା ତେଲ ନା ଅର୍ଥ କିଛି ବି ମିଳିବନି । ଟ୍ରମ୍ପ୍ ଙ୍କ ଏହି ବୟାନ କେବଳ ଧମକ ନୁହେଁ ବରଂ କ୍ୟୁବାର ଅର୍ଥବ୍ୟବସ୍ଥା ଉପରେ ଏକ ସିଧାସଳଖ ଆକ୍ରମଣ ବିବେଚନା କରାଯାଉଛି ।

ଦଶନ୍ଧି ଧରି କଟକଣା ଘେରରେ ଥିବା କ୍ୟୁବା ନିଜ ଏନର୍ଜୀ ବା ଶକ୍ତି ଆବଶ୍ୟକତାକୁ ପୂରଣ କରିବା ଏବଂ ଆର୍ଥିକ ଅସ୍ତିତ୍ୱ ପାଇଁ ଭେନେଜୁଏଲା ଉପରେ ନିର୍ଭରଶୀଳ ରହିଆସିଛି । କ୍ୟୁବା ନିଜ ଆବଶ୍ୟକତାର ପ୍ରାୟ ୩୦% ତେଲ ଭେନେଜୁଏଲାଠାରୁ ନିଏ । ଏହା ବଦଳରେ ନିଜର ହଜାର ହଜାର ଡାକ୍ତର, ମେଡିକାଲ ଷ୍ଟାଫ୍ ଙ୍କୁ ଭେନେଜୁଏଲା ପଠାଇଥାଏ । ମାଦୁରୋଙ୍କ ସୁରକ୍ଷାରେ ମଧ୍ୟ କ୍ୟୁବା ଏଜେଣ୍ଟ ମୁତୟନ ଥିଲେ । କିନ୍ତୁ ନିକଟରେ ଆମେରିକା ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଉଠାଇନେଇ ବନ୍ଦୀ କରିବା ଏବଂ ଭେନେଜୁଏଲା ତୈଳ ଭଣ୍ଡାରକୁ ନିଜ ନିୟନ୍ତ୍ରଣକୁ ନେଇଛି । ଫଳରେ କ୍ୟୁବାକୁ ଯାଇଥିବା ଯୋଗାଣ ଶୃଙ୍ଖଳ କାଟିବା ଆମେରିକା ପାଇଁ ସହଜ ହୋଇଯାଇଛି ।

ରାଜନୈତିକ ବିଶ୍ଲେଷକଙ୍କ ମତରେ ଆମେରିକା କ୍ୟୁବାରେ ଶାସନ ପରିବର୍ତ୍ତନ ବା କ୍ୟୁବାର ସମ୍ପୂର୍ଣ୍ଣ ଆତ୍ମସମର୍ପଣ ଚାହୁଁଛି। ଆମେରିକାର ଏପରି ପଦକ୍ଷେପ ଦ୍ୱାରା କ୍ୟୁବାରେ ବିଜୁଳି ସଙ୍କଟ ଏବଂ ଦରଦାମ ବୃଦ୍ଧି ଗମ୍ଭୀର ରୂପ ନେଇପାରେ। ଫଳରେ ସେଠାକାର ଲୋକ ମଧ୍ୟ ସରକାର ବିରୋଧୀ ଆନ୍ଦୋଳନକୁ ଓହ୍ଲାଇପାରନ୍ତି। ଟ୍ରମ୍ପ୍ ଏହାର ଫାଇଦା ନେଇ କ୍ୟୁବାକୁ ନିଜ ନିୟନ୍ତ୍ରଣକୁ ଆଣିବାକୁ ଉଦ୍ୟମ କରୁଛନ୍ତି । ଏହା ଲାଟିନ ଆମେରିକାରେ ଭୂରାଜନୈତିକ ବିବାଦକୁ ଏକ ନୂଆ ସ୍ତରକୁ ନେଇପାରେ । ଏଥିସହ କ୍ୟୁବା ପାଇଁ ମଧ୍ୟ ଏହା ଅତ୍ୟନ୍ତ ସଂଘର୍ଷପୂର୍ଣ୍ଣ ସମୟ ସାବ୍ୟସ୍ତ ହେବ । ଏହା ଭିତରେ ଟ୍ରମ୍ପ୍ ଆଉ ଏକ ସୋସିଆଲ ମିଡିଆ ପୋଷ୍ଟ ସେୟାର କରିଛନ୍ତି । ସେଥିରେ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓ କ୍ୟୁବା ରାଷ୍ଟ୍ରପତି ହେବେ ବୋଲି ଲେଖାଅଛି । ଏହି ପୋଷ୍ଟ ତାଙ୍କୁ ବଢ଼ିଆ ଲାଗିଛି ବୋଲି ଟ୍ରମ୍ପ୍ କହିଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ଇରାନକୁ ହମ୍‌ଲା କରିପାରେ ଆମେରିକା, ଆକ୍ରମଣ ପାଇଁ ପ୍ରସ୍ତୁତ ସେନା, ଟ୍ରମ୍ପଙ୍କ ଆଦେଶକୁ ଅପେକ୍ଷା​​​​​​​