ୱାଶିଂଟନ୍‌/ତେହରାନ, ୧୨/୦୧ : ଇରାନରେ ଗତ ୨ ସପ୍ତାହ ହେଲା ସରକାର ବିରୋଧୀ ଆନ୍ଦୋଳନ ଭିତରେ ଆମେରିକା ଇରାନ ଉପରେ ଆକ୍ରମଣ ଯୋଜନା ବନାଇଛି । ଆମେରିକୀୟ ଅଧିକାରୀମାନେ ସମ୍ଭାବିତ ଆକ୍ରମଣର ବିକଳ୍ପ ବାବଦରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଜଣାଇଛନ୍ତି । ନ୍ୟୁୟର୍କ ଟାଇମ୍ସ ରିପୋର୍ଟ ଅନୁସାରେ, ଯଦି ଇରାନ ସରକାର ବିକ୍ଷୋଭକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଜାରି ରଖେ ତେବେ ଟ୍ରମ୍ପ୍‌ ଇରାନରେ ସାମରିକ କାର୍ଯ୍ୟାନୁଷ୍ଠାନ ଉପରେ ବିଚାର କରିବେ । ଏ ନେଇ ସମସ୍ତ ପ୍ରସ୍ତୁତି ସରିଛି । କେବଳ ଟ୍ରମ୍ପଙ୍କ ଆଦେଶକୁ ଅପେକ୍ଷା ରହିଛି । 

ଆମେରିକା-ଇସ୍ରାଏଲକୁ ଇରାନର ଆକ୍ରମଣ ଧମକ
ଇରାନ ଉପରେ ଆକ୍ରମଣ ବାବଦରେ ଗମ୍ଭୀର ଭାବେ ବିଚାର କରାଯାଉଥିବା ନେଇ ଟ୍ରମ୍ପ୍‌ ଶନିବାର ସୋସିଆଲ ମିଡିଆରେ ମଧ୍ୟ ଏକ ପୋଷ୍ଟ କରି ଜଣାଇଥିଲେ । ଇରାନ ସ୍ୱାଧୀନତା ଆଡ଼କୁ ମୁହାଁଇଛି, ଯାହା କି ପୂର୍ବରୁ କେବେ ହୋଇ ନ ଥିଲା । ଆମେରିକା ଇରାନବାସୀଙ୍କୁ ସବୁ ପ୍ରକାର ସହାୟତା ପାଇଁ ପ୍ରସ୍ତୁତ ବୋଲି ଟ୍ରମ୍ପ୍‌ ଏଥିରେ ଲେଖିଥିଲେ । ଆମେରିକାର ଏହି ଧମକ ଉପରେ ଇରାନ କଡ଼ା ଜବାବ ରଖିଛି । ଇରାନ ସଂସଦର ବାଚସ୍ପତି ମହମ୍ମଦ ବାଗେର କାଲିବାଫ୍‌ ଚେତାବନୀ ଦେଇଛନ୍ତି ଯେ, ଯଦି ଆମେରିକା କିମ୍ବା ଇସ୍ରାଏଲ ଇରାନ ଉପରେ ଆକ୍ରମଣ କରନ୍ତି ତେବେ ଇରାନ ଏହାର କଡ଼ା ଜବାବ ଦେବ । ଆମେରିକାର ସେନା ଘାଟି ଏବଂ ଇସ୍ରାଏଲ ଉପରେ ଇରାନ ଆକ୍ରମଣ କରିବ । ଏଥିସହ ସେ ସଂସଦରେ ସେ ‘ଡେଥ୍‌ ଟୁ ଆମେରିକା’ ନାରା ଦେଇଥିଲେ । ଇରାନ ଏକାଠି ହୋଇ ବାହ୍ୟ ଶତ୍ରୁଙ୍କ ସହ ଲଢ଼ିବ ଏବଂ ଦେଶ ବିରୋଧୀ କାମ କରୁଥିବା ଲୋକଙ୍କୁ ଦଣ୍ଡ ଦିଆଯିବ ବୋଲି ମଧ୍ୟ କାଲିବାଫ୍‌ କହିଥିଲେ । 

ବିକ୍ଷୋଭକାରୀଙ୍କୁ ଫାଶୀ ଦେବାକୁ ଖାମେନେଇଙ୍କ ଚେତାବନୀ
ସେହିପରି ଆମେରିକା ଏବଂ ଇସ୍ରାଏଲ ଇରାନରେ ଦଙ୍ଗାକୁ ଉସୁକାଇ ଅରାଜକତା ଏବଂ ଅବ୍ୟବସ୍ଥା ବିସ୍ତାର କରିବାକୁ ଷଡ଼ଯନ୍ତ୍ର କରୁଥିବା ଇରାନ ରାଷ୍ଟ୍ରପତି ମସୁଦ ପେଜେଶକିୟାନ କହିଛନ୍ତି । ତେଣୁ ଇରାନବାସୀ ଦଙ୍ଗାକାରୀ ଏବଂ ଆତଙ୍କବାଦୀଙ୍କଠାରୁ ଦୂରେଇ ରହିବାକୁ ଆହ୍ୱାନ ଦେଇଛନ୍ତି । ଇରାନ ସୁପ୍ରିମ ଲିଡର ଆୟାତୋଲ୍ଲା ଖାମେନେଇ ବିକ୍ଷୋଭ ପ୍ରଦର୍ଶନକାରୀଙ୍କୁ ଗୃହଶତ୍ରୁ ଦର୍ଶାଇ ସେମାନଙ୍କୁ ଫାଶୀଦଣ୍ଡ ଦିଆଯିବ ବୋଲି ମଧ୍ୟ ଚେତାବନୀ ଦେଇଛନ୍ତି । ଇରାନରେ ବିକ୍ଷୋଭକାରୀଙ୍କ ଉପରେ ପୁଲିସ କାର୍ଯ୍ୟାନୁଷ୍ଠାନରେ ଅନ୍ୟୁନ ୨୧୭ ଜଣଙ୍କ ମୃତ୍ୟୁ ଘଟିଲାଣି । ଛୋଟ ପିଲାଙ୍କୁ ବିକ୍ଷୋଭରୁ ଦୂରେଇ ରଖିବାକୁ ପୁଲିସ ଚେତାବନୀ ଦେଇଛି । ଅନ୍ୟପକ୍ଷରେ ଇରାନ ଉପରେ ଆମେରିକାର ଆକ୍ରମଣ ଆଶଙ୍କା ଏବଂ ଇରାନର ପାଲଟା ଧମକକୁ ନେଇ ଇସ୍ରାଏଲରେ ହାଇଆଲର୍ଟ ଜାରି ହୋଇଛି । ସ୍ଥିତି ଉପରେ ଇସ୍ରାଏଲ ସୁରକ୍ଷା ଏଜେନ୍ସିଗୁଡ଼ିକ କଡ଼ା ନଜର ରଖିଛି । ଇସ୍ରାଏଲ ଏବଂ ଇରାନ ଗତ ଜୁନ୍‌ରେ ୧୨ ଦିନ ଧରି ଯୁଦ୍ଧ ଲଢ଼ିଥିଲେ । ଏଥିରେ ଆମେରିକା ଇସ୍ରାଏଲ ସହ ମିଶି ଇରାନରେ ଏୟାରଷ୍ଟ୍ରାଇକ୍‌ କରିଥିଲା । ସଦ୍ୟ ଘଟଣାବଳୀ ବାବଦରେ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁ ଆମେରିକା ବିଦେଶ ମନ୍ତ୍ରୀ ମାର୍କୋ ରୁବିଓଙ୍କ ସହ ଫୋନ୍‌ ଯୋଗେ କଥା ହୋଇଛନ୍ତି ।

ଏହି ଖବରଟିକୁ ପଢନ୍ତୁ- ବଡ଼ ଯୁଦ୍ଧର ସୂତ୍ରପାତ ! ୫୧ ବର୍ଷ ପରେ ଆମେରିକା ଆକାଶରେ ଉଡ଼ିଲା ‘ପ୍ରଳୟର ବିମାନ, କାଟୁ କରିବନି ପରମାଣୁ ବୋମା