ନୂଆଦିଲ୍ଲୀ ୧୯/୧୨: ଗୁରୁବାର କାର୍ତ୍ତିକ ଆର୍ଯ୍ୟନ ଓ ଅନନ୍ୟା ପାଣ୍ଡେଙ୍କ ଫିଲ୍ମ ‘ତୁ ମେରୀ ମେଁ ତେରା, ମେଁ ତେରା ତୁ ମେରୀ’ର ଟ୍ରେଲର୍ ରିଲିଜ୍ ହୋଇଛି । ୩ ମିନିଟ୍ ୨୧ ସେକେଣ୍ଡ୍ର ଟ୍ରେଲରରେ ଦୁହିଁଙ୍କ ମଧ୍ୟରେ ପ୍ରେମ ଓ ରୋମାଣ୍ଟିକ୍ ସମ୍ପର୍କର ଝଲକ୍ ରହିଛି । ପ୍ରେମକୁ ପାଇବା ପାଇଁ ଉଭୟ ଯାହା ତ୍ୟାଗ କରିଛନ୍ତି, ତା’ର ଝଲକ୍ ବି ଅଛି । ଫିଲ୍ମଟି କ୍ରିସମାସ ଅର୍ଥାତ୍ ଆସନ୍ତା ୨୫ ଡିସେମ୍ବରରେ ମୁକ୍ତିଲାଭ କରିବ । ଏଥିରେ ରୋମାନ୍ସ ସହିତ ହାଲକା-ଫୁଲକା କମେଡି ରହିଛି । କାର୍ତ୍ତିକ ଓ ଅନନ୍ୟାଙ୍କ ସମେତ ମୁଖ୍ୟ ଭୂମିକାରେ ଅଛନ୍ତି ନୀନା ଗୁପ୍ତା, ଜ୍ୟାକି ଶ୍ରଫ୍, ଟିକୁ ତଲସାନିଆ । ନିର୍ଦ୍ଦେଶନା ଦେଇଛନ୍ତି ସମୀର ବିଦ୍ୱାଂସ । ପ୍ରଯୋଜକ କରନ ଜୋହର ।
ମୁମ୍ବାଇରେ ଟ୍ରେଲର୍ ଲଞ୍ଚ୍ ଅବସରରେ କାର୍ତ୍ତିକ, ଅନନ୍ୟା ଓ କରନ ଉପସ୍ଥିତ ଥିଲେ । ରୋମାଣ୍ଟିକ୍ ଫିଲ୍ମ ବିଷୟରେ କାର୍ତ୍ତିକଙ୍କୁ ପ୍ରଶ୍ନ କରିବାରୁ ସେ ମଜାଳିଆ ଅନ୍ଦାଜରେ କହିଲେ, ରିୟଲ ଲାଇଫରେ ରୋମାନ୍ସ ମିଳୁନାହିଁ । ରିଲରେ ତ ମିଳୁଛି । ଅନନ୍ୟା କହିଲେ, ଏ ଧରଣର ଫିଲ୍ମରେ କାମ କରିବା ତାଙ୍କର ଖୁବ୍ ପସନ୍ଦ । ଆଗକୁ ବି ଏଭଳି ଫିଲ୍ମରେ କାମ କରିବାକୁ ଚାହିଁବେ । ଫିଲ୍ମରେ କାର୍ତ୍ତିକଙ୍କ ସହ ନିଜ କେମିଷ୍ଟ୍ରି ବିଷୟରେ କହିଲେ, ଜଣେ ଜ୍ଞାନୀ ବ୍ୟକ୍ତି କହିଛନ୍ତି ଯେ ପ୍ରେମ ବାସ୍ତବରେ ବନ୍ଧୁତା । ସେଥିପାଇଁ ଫିଲ୍ମରେ ଉଭୟଙ୍କ କେମିଷ୍ଟ୍ରି ଭଲ, କାରଣ ଉଭୟ ଭଲ ବନ୍ଧୁ ।