ଭୁବନେଶ୍ଵର : ଟିବି କେବଳ ଏକ ସଂକ୍ରମଣଜନିତ ରୋଗ ନୁହେଁ, ବରଂ ସାମାଜିକ ସଙ୍କଟ ମଧ୍ୟ । ଯାହା ବିଶେଷକରି ମହିଳାଙ୍କୁ ଖୁବ୍‌ ପ୍ରଭାବିତ କରିଥାଏ । ପ୍ରତି ବର୍ଷ ଲକ୍ଷ ଲକ୍ଷ ମହିଳାଙ୍କ ମୃତ୍ୟୁର କାରଣ ସାଜୁଛୁି ଟିବି ବା ଯକ୍ଷ୍ମା । ୯୬୦ ମହିଳା ଟିବି ରୋଗୀଙ୍କ ଉପରେ ଗବେଷଣା କରାଯାଇଥିଲା । ସେମାନଙ୍କ ମଧ୍ୟରୁ ପ୍ରାୟ ୬୯ ପ୍ରତିଶତ ମହିଳା ଟିବିର ଗମ୍ଭୀରତା ଓ ଉପଚାରର ମହତ୍ତ୍ୱ ବୁଝୁଛନ୍ତି । ସ୍ୱାସ୍ଥ୍ୟ ସଚେତନରେ ସୁଧାର ତ ଆସିଛି, କିନ୍ତୁ ଏବେ ବି ବହୁ ମହିଳା ଟିବି ରୋଗକୁ ଲୁଚାଇବାକୁ ବାଧ୍ୟ ହେଉଛନ୍ତି । ରୋଗ ଲୁଚାଇବାର ପ୍ରମୁଖ କାରଣ ସମାଜର ଭୟ, ସମ୍ପର୍କ ଭାଙ୍ଗିବାର ଭୟ ଓ ସମ୍ମାନ ହରାଇବାର ଚିନ୍ତା । ଏହା କେବଳ ମହିଳାଙ୍କ ମାନସିକ ଚାପ ବଢାଏନା, ବରଂ ଜରୁରି ସହଯୋଗର ବଞ୍ଚିତ ରହିଥାନ୍ତି ସେମାନେ । ଟିବିରେ ପୀଡିତ ପ୍ରାୟ ୪୪ ପ୍ରତିଶତ ମହିଳା ସାମାଜିକ ଗତିବିଧିଠାରୁ ନିଜକୁ ଦୂରେଇ ନେଇଥାନ୍ତି । ଟିବିର ଗମ୍ଭୀର ପ୍ରଭାବ ମହିଳାଙ୍କ ବୈବାହିକ ଜୀବନ ଉପରେ ପଡିଥାଏ । ପ୍ରାୟ ୧୮ ପ୍ରତିଶତ ମହିଳାଙ୍କୁ ନିଜ ଜୀବନ ସାଥୀ ଓ ଶ୍ୱଶୁରଘର ଲୋକଙ୍କ ପାଖରେ ଅସ୍ୱୀକୃତୀକୁ ସାମ୍‌ନା କରିବାକୁ ପଡିଥାଏ ।

ସବୁଠାରୁ ବଡ଼ ଦୁଃଖ ହେଲା ପ୍ରାୟ ୧୦ ପ୍ରତିଶତ ମହିଳାଙ୍କ କ୍ଷେତ୍ରରେ ଟିବି ବିବାହ ଭାଙ୍ଗିବାର କାରଣ ସାଜିଥାଏ । ୪୦ ପ୍ରତିଶତ ଟିବି ରୋଗ ଥିବା ମହିଳାଙ୍କୁ ବିବାହ ପାଇଁ ଅଯୋଗ୍ୟ ଭାବେ ଗ୍ରହଣ କରାଯାଇଥାଏ । ଏହି ସର୍ଭେ ସମାଜରେ ଥିବା ଲିଙ୍ଗଗତ ଅସମାନତାକୁ ପଦାରେ ପକାଇ ଦେଇଛି । ପୁରୁଷ ଟିବି ରୋଗୀଙ୍କୁ ପରିବାର ବିଶେଷ ଯତ୍ନ ନେଉଥିବା ବେଳେ ବିଶେଷକରି ପତ୍ନୀମାନେ ଅଧିକ ଯତ୍ନ ନେଉଥିବା ବେଳେ ପତ୍ନୀମାନେ ରୋଗାଗ୍ରସ୍ତ ହେଲେ ସେମାନଙ୍କୁ ଅବହେଳିତ ହେବାକୁ ପଡିଥାଏ । ସମାଜରେ ମହିଳା ଟିବି ରୋଗୀଙ୍କ ପାଇଁ ଭେଦଭାବ ପରିବର୍ତ୍ତେ ସମ୍ବେଦନଶୀଳତା ଆବଶ୍ୟକ । ଫଳରେ ସେମାନେ ନିଜକୁ ଅଣଦେଖା ଅନୁଭବ କରିବେନି ।

ସାରା ବିଶ୍ୱରେ ପ୍ରତି ବର୍ଷ ପ୍ରାୟ ଏକ କୋଟି ଲୋକ ଟିବିରେ ଗ୍ରସିତ ହେଉଛନ୍ତି । ସେଥିମଧ୍ୟରୁ ପ୍ରାୟ ୨୮ ଲକ୍ଷ ଭାରତରେ ରହିଥାନ୍ତି । ଏହା ଶରୀରର କୌଣସି ଅଂଶକୁ ପ୍ରଭାବିତ କରିପାରେ । ଫୁସ୍‌ଫୁସ ଟିବିକୁ ପଲମୋନାରୀ ଟିବି ଓ ଅନ୍ୟ ଅଙ୍ଗର ଟିବିକୁ ଏକ୍ସଟ୍ରା ପଲମୋନାରୀ ଟିବି କୁହାଯାଏ । ଭାତରେ ୮୦ ପ୍ରତିଶତ ଟିବି ରୋଗୀ ପଲମୋନାରୀ ଟିବିରେ ଗ୍ରସିତ ହୋଇଥାନ୍ତି । ଲକ୍ଷଣ ଟିବିର ଲକ୍ଷଣ ଧୀରେ ଧୀରେ ବିକଶିତ ହୋଇଥାଏ । ଦୀର୍ଘଦିନ ଯାଏ ରହିଥାଏ ମଧ୍ୟ । ଦୁଇ ସପ୍ତାହରୁ ଅଧିକ ସମୟ ଯାଏ ଲଗାତାର କାଶ ଲାଗି ରହିବା, କାଶରେ କଫ ପଡିବା, କାଶରେ ରକ୍ତ ପଡିବା, ନିଶ୍ୱାସପ୍ରଶ୍ୱାସ ନେବା ସମୟରେ ଛାତିରେ ଯନ୍ତ୍ରଣା ହେବା, ଦୀର୍ଘ ଦିନ ଯାଏ ଜ୍ୱର ରହିବା, ରାତିରେ ଶରୀରରୁ ଝାଳ ବାହାରିବା, ଦିନରେ ଥକ୍କାପଣ ଓ ଦୁର୍ବଳ ଅନୁଭବ ହେବା, ଭୋକ ନ ଲାଗିବା ଓ ଓଜନ କମିବା ପରି ଲକ୍ଷଣମାନ ଦେଖିବାକୁ ମିଳିଥାଏ ।

କେମିତି ସୁରକ୍ଷିତ ରହିବେ?

ଦୁଇ ସପ୍ତାହରୁ ଅଧିକ ସମୟ ଯାଏ କାଶ ରହିବା କିମ୍ବା ଅନ୍ୟାନ୍ୟ ଟିବି ଲକ୍ଷଣ ଦେଖା ଦେଲେ ଯଥାଶୀଘ୍ର କଫର ଯାଞ୍ଚ କରିବା ସହ ଛାତିର ଏକ୍ସରେ କରାଇ ନେବା ଉଚିତ୍‌ । ଟିବି ଜୀବାଣୁକୁ ଚିହ୍ନଟ କରିବା ପାଇଁ କଫର ମାଇକ୍ରୋସ୍କୋପି ତଥା ମାଲିକ୍ୟୁଲାର୍‌ ଯାଞ୍ଚ କରାଯାଇଥାଏ । ସରକାରୀ ଡାକ୍ତରାଖାନାରେ ଏହା ସମ୍ଫୂର୍ଣ୍ଣ ମାଗଣା ।

କେଉଁମାନଙ୍କ ପାଇଁ ବେଶୀ କ୍ଷତିକାରକ?

ଟିବି ରୋଗୀଙ୍କ ସମ୍ପର୍କରେ ରହିବା, କୁପୋଷଣ, ଏଚ୍‌ଆଇଭି, ମଧୁମେହ, ଗର୍ଭବତୀ ମହିଳା, କାଠ ଚୁଲାରେ ରୋଷେଇ କରୁଥିବା ମହିଳା, ବାୟୁ ପ୍ରଦୂଷଣ, ଧୂମପାନ ବା ଅନ୍ୟାନ୍ୟ ନିଶା ଥିବା ବ୍ୟକ୍ତି, ସଫାସୁତରାର ଅଭାବଥିବା ବ୍ୟକ୍ତିଙ୍କଠାରେ ଟିବିର ଆଶଙ୍କା ଖୁବ୍‌ ଅଧିକ ।

ଉପଚାର

ଟିବି ସମ୍ପୂର୍ଣ୍ଣ ଭାବେ ଠିକ୍‌ ହୋଇଥାଏ । ଏହାର ଉପଚାର ୩ରୁ ୬ ମାସ ଯାଏ ଔଷଧ ଖାଇବା ଦ୍ୱାରା ହୋଇଥାଏ । କିନ୍ତୁ ଔଷଧର ପୁରା କୋର୍ସ ନେବା ଜରୁରି ।

କେତେକ ଅଭ୍ୟାସରେ ପରିବର୍ତ୍ତନ

ସ୍ୱଚ୍ଛତା ଜରୁରି, କାଶିବା ବା ଛିଙ୍କିବା ସମୟରେ ରୁମାଲର ବ୍ୟବହାର ଆବଶ୍ୟକ, ସଂକ୍ରମିତ ବ୍ୟକ୍ତି ମାସ୍କ ପିନ୍ଧିବା ଜରୁରି, ଧୂଆ, ଧୂଳି ଓ ଧୂମପାନଠାରୁ ଦୂରେଇ ରହିବା ଦରକାର।