ନୂଆଦିଲ୍ଲୀ: ବୃକ୍ଷ ମାତା ‘ପଦ୍ମଶ୍ରୀ’ ତୁଳସୀ ଗୌଡ଼ାଙ୍କ ପରଲୋକ । ଉତ୍ତର କନ୍ନଡ ଜିଲ୍ଲାର ହଂନାଲି ଗାଁରେ ଥିବା ନିଜ ଘରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ତୁଳସୀ ଗୌଡ଼ା ପଦ୍ମଶ୍ରୀ ପୁରସ୍କାର ଗ୍ରହଣ ସମୟରେ ଖାଲି ପାଦରେ ଆସିବା ପରେ ଚର୍ଚ୍ଚାକୁ ଆସିଥିଲେ । ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତିଙ୍କ ସମେତ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସାମ୍ନାରେ ସେ ଆଦିବାସୀ ବେଶଭୂଷା ସହ ଖାଲି ପାଦରେ ଆସି ପୁରସ୍କାର ଗ୍ରହଣ କରିଥିଲେ ।
ତତ୍କାଳୀନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରିଥିଲେ । କିନ୍ତୁ ଆଜି ପଦ୍ମଶ୍ରୀ ତୁଳସୀ ଗୌଡ଼ା ଆଉ ନାହାନ୍ତି। ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିବା ତୁଳସୀ ଗୌଡ଼ାଙ୍କ ମୃତ୍ୟୁକୁ ନେଇ ଦେଶରେ ଶୋକ ପ୍ରକାଶ ପାଇଛି । ବୃକ୍ଷ ପ୍ରତି ତାଙ୍କର ଅହେତୁକ ଭଲ ପାଇବା ତୁଳସୀଙ୍କୁ ପରିଚୟ ଦେଇଥିଲା । ଏଥିପାଇଁ ତାଙ୍କୁ ବୃକ୍ଷ ଦେବୀ ଏବଂ ବୃକ୍ଷ ମାତା ବୋଲି କୁହାଯାଏ ।

୮୬ ବର୍ଷୀୟା ତୁଳସୀ ଗୌଡ଼ା ହଲକ୍କୀ ଆଦିବାସୀ ସଂପ୍ରଦାୟର ସଦସ୍ୟ ଥିଲେ । ସେ ଜୀବନବ୍ୟାପୀ ପରିବେଶ ସଂରକ୍ଷଣ ଲାଗି କାମ କରିଛନ୍ତି । ପ୍ରକୃତି ପ୍ରତି ପ୍ରେମ ଏବଂ ସମର୍ପଣ ଭାବ ଲାଗି ତୁଳସୀ ଗୌଡ଼ାଙ୍କୁ ୨୦୨୧ରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା ।