ତେହରାନ,୧୧/୦୩: ଇରାନ ଓ ତୁର୍କୀ ମଧ୍ୟରେ ବିବାଦ ଘନେଇବାରେ ଲାଗିଛି । ମୁହାଁମୁହିଁ ସ୍ଥିତି ଉପୁଜିବା ଆଶଙ୍କା ବି ଉପୁଜିଛି । ୫ ଦିନ ମଧ୍ୟରେ ଦ୍ୱିତୀୟ ଥର ପାଇଁ ଇରାନର ବାଲିଷ୍ଟିକ ମିସାଇଲ ତୁର୍କୀ ବାୟୁସୀମା ମଧ୍ୟରେ ପ୍ରବେଶ କରିବା ଯୋଗୁ ଏହି ବିବାଦ ଦେଖାଦେଇଛି । ତୁର୍କୀର ବିଦେଶ ମନ୍ତ୍ରୀ ହକାନ ଫିଦାନ ମଙ୍ଗଳବାର ଇରାନର ବିଦେଶ ମନ୍ତ୍ରୀ ଆବାସ ଆରାଗଚିଙ୍କୁ ଫୋନ କରି ସିଧାସଳଖ ଭାବେ ଏହି ପ୍ରସଙ୍ଗରେ କଥା ହୋଇଛନ୍ତି । ଏଭଳି କାର୍ଯ୍ୟ ସମ୍ପୂର୍ଣ୍ଣ ଅଗ୍ରହଣୀୟ ଏବଂ ଏଥିରୁ ବିରତ ରହିବା ଉଚିତ ବୋଲି ସେ କହିଛନ୍ତି । 

ଏହାପରେ ଯଦି ଇରାନର କୌଣସି କ୍ଷେପଣାସ୍ତ୍ର ତୁର୍କୀର ବାୟୁସୀମା ମଧ୍ୟରେ ପ୍ରବେଶ କରେ, ତେବେ ଏହାକୁ ବରଦାସ୍ତ କରାଯିବ ନାହିଁ । ତୁର୍କୀ ନିଜ ଅଖଣ୍ଡତାର ସୁରକ୍ଷା ସକାଶେ ସମସ୍ତ ପଦକ୍ଷେପ ଗ୍ରହଣ କରିବ ବୋଲି ଫିଦାନ ରୋକ୍‌ଠୋକ୍‌ କହିଛନ୍ତି । ତତ୍‌ସହିତ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ବନ୍ଦ କରିବା ପାଇଁ ତୁର୍କୀ ବିଦେଶ ମନ୍ତ୍ରୀ ସମସ୍ତ ପକ୍ଷଙ୍କୁ ଆହ୍ୱାନ ଦେଇଛନ୍ତି । କହିଛନ୍ତି, ଲୋକଙ୍କ ଜୀବନକୁ ବିପଦରେ ନ ପକାଇ ତୁରନ୍ତ ଶାନ୍ତିର ରାସ୍ତା ଆପଣାଇବା ଉଚିତ । ଆଲୋଚନା ମାଧ୍ୟମରେ ସମସ୍ୟାର ପ୍ରତିକାର ଲାଗି ସେ ଆହ୍ୱାନ ଦେଇଛନ୍ତି । ଜବାବରେ ଇରାନର ବିଦେଶ ମନ୍ତ୍ରୀ ଆରାଗଚି ତୁର୍କୀ ବାୟୁସୀମାରେ ଇରାନୀ କ୍ଷେପଣାସ୍ତ୍ର ପ୍ରବେଶ କରିବା ଖବରକୁ ଖଣ୍ଡନ କରିଛନ୍ତି । ସେ କହିଛନ୍ତି, ତୁର୍କୀ ଯେଉଁ ମିସାଇଲକୁ ଗତିରୋଧ କରିଥିଲା, ତାହା ଇରାନର ନୁହେଁ । 

ଆହୁରି ପଢନ୍ତୁ-'ଯୁଦ୍ଧ ନ ଥମିଲେ ବିନାଶକାରୀ ସ୍ଥିତ, ଦୋହଲିବ ତୈଳ ବଜାର'; ସାଉଦି ଆରାମ୍‌କୋ ସିଇଓଙ୍କ ସତର୍କବାଣୀ

ତେବେ ଏ ବାବଦରେ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଇ ତୁର୍କୀକୁ ପୁନର୍ବାର ଅବଗତ କରାଯିବା ନେଇ ସେ ପ୍ରତିଶ୍ରୁତି ଦେଇଛନ୍ତି । ଉଲ୍ଲେଖଥାଉ କି ପୂର୍ବ ଭୂମଧ୍ୟସାଗରରେ ଇରାନର ଏକ ବାଲିଷ୍ଟିକ ମିସାଇଲ ଖସାଇବା ନେଇ ତୁର୍କୀର ପ୍ରତିରକ୍ଷା ମନ୍ତ୍ରଣାଳୟ କହିଥିଲା । ଲିଖିତ ବିବୃତିରେ ମନ୍ତ୍ରଣାଳୟ କହିଥିଲା, ଇରାନୀ ମିସାଇଲ ନାଟୋ ଦ୍ୱାରା ଠାବ କରାଯିବା ପରେ ତୁର୍କୀ ଏହାର ବାୟୁ ପ୍ରତିରକ୍ଷା ବ୍ୟବସ୍ଥାକୁ ସକ୍ରିୟ କରିଥିଲା । ତୁର୍କୀ ଅଧୀନ ଅଞ୍ଚଳରେ ପଡ଼ିବା ପୂର୍ବରୁ ଗୋଟିଏ ମିସାଇଲକୁ ଭୂମଧ୍ୟସାଗରରେ ଖସାଇ ଦିଆଯାଇଥିଲା । ହତାୟ ପ୍ରଦେଶର ଡର୍‌ଟ୍ୟୋଲ ଜିଲ୍ଲାରେ ମିସାଇଲଟିର ଭଗ୍ନାବଶେଷ ମିଳିଥିଲା । ତୁର୍କୀ ଏକ ନାଟୋ ଦେଶ ହୋଇଥିବାରୁ ଏହା ଅଳ୍ପକେ ରକ୍ଷା ପାଇଯାଇଥିଲା ।