ଦଶମନ୍ତପୁର,୨୨/୮ : କୋରାପୁଟ ଜିଲ୍ଲା ଦଶମନ୍ତପୁରରେ ହଳଦୀ ଚାଷର ଚାହିଦା ଦିନକୁ ଦିନ ବୃଦ୍ଧି ପାଉଛି । ଏହି ଚାଷ ଚାଷୀକୁ ରୋଜଗାର ଯୋଗାଉଛି । କିନ୍ତୁ ଚାଷ କରି ଅମଳ ସମୟରେ ବିକ୍ରି ପାଇଁ ମଣ୍ଡି ସୁବିଧା ନ ଥିବାରୁ ଚାଷୀ ପ୍ରତି ବର୍ଷ କ୍ଷତି ସହୁଥିବା ଅଭିଯୋଗ କରିଛନ୍ତି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଏହି ବ୍ଲକ ଅନ୍ତର୍ଗତ ଚିକାମ୍ବ ପଞ୍ଚାୟତ ଅଧିନସ୍ଥ ପିରିମାଛି ଗାଁରେ।
ସୂଚନା ଅନୁସାରେ, ଗାଁରେ ୭୦ପରିବାର ଲୋକ ବସବାସ କରନ୍ତି । ହେଲେ ପାଖାପାଖି ୬୦ପରିବାର ଲୋକ ପ୍ରତି ବର୍ଷ ହଳଦୀ ଚାଷ କରି, ୩୦ରୁ ୫୦ହଜାର ଟଙ୍କା ପର୍ଯ୍ୟନ୍ତ ରୋଜଗାର କରନ୍ତି । ଯଦି ସରକାର ପକ୍ଷରୁ ହଳଦୀ କିଣା ବ୍ୟବସ୍ଥା କରିଥିଲେ, ବର୍ଷକୁ ୭୦ ରୁ ୮୦ହଜାର ଟଙ୍କା ପର୍ଯ୍ୟନ୍ତ ବିକ୍ରି କରିଥାନ୍ତୁ ବୋଲି ଅମି ସାଉନ୍ତା, ମଙ୍ଗଳୁ ଜାନୀ, ଆନନ୍ଦ ମାଝୀ, କୁମ୍ବେଶ୍ବର ଜାନୀ, ସେବତୀ ଜାନୀ, କୁଷ କନ୍ଧ ପ୍ରମୁଖ ପ୍ରକାଶ କରିଛନ୍ତି । ସେମାନେ କହିଛନ୍ତି ଯେ, ହଳଦୀକୁ ଆମେ ଜୈବିକ ପଦ୍ଧତିରେ ଚାଷ କରୁଛୁ। ରାସାୟନିକ ସାର ବ୍ୟବହାର ହେଉ ନାହିଁ। ଭଲ ବାସନା ରହୁଛି, ଏବଂ ଔଷଧୀୟ ଗୁଣ ହଳଦୀରେ ବହୁତ ରହୁଛି । ହଳଦୀ ସଂଗ୍ରହ କରି କଞ୍ଚାବେଳେ ବିକ୍ରି କଲେ ୪୦ରୁ ୫୦ଟଙ୍କା କିଲୋ ପ୍ରତି ବିକ୍ରି ହେଉଛି । ଯଦି ହଳଦୀକୁ ସିଝାଇ ସୁଖିଲା ପରେ ବିକ୍ରି କଲେ ୮୦ରୁ ୯୦ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଛି ।
ବ୍ଲକ ହଳଦୀ କିଣିବା ବ୍ୟବସ୍ଥା ନ ଥିବାରୁ ଗତ ବର୍ଷ ସ୍ବେଛାସେବୀ ଅନୁଷ୍ଠାନ ଅଗ୍ରଗାମୀ ସଂସ୍ଥାକୁ ୩୦ଟଙ୍କା ଦରରେ ବିକ୍ରୀ କରି ଦେଲୁ। ବ୍ଲକରେ ଯଦି ହଳଦୀ ମଣ୍ଡି ଖୋଲିବା ସହ ହଳଦୀ ଚୂନା ମିଲ ଥିଲେ ଚାଷୀ ଅଧିକ ଲାଭ ପାଇ ପାରନ୍ତେ । ବର୍ତ୍ତମାନ ବିକ୍ରିବେଳେ କ୍ଷତି ସହିବାକୁ ପଡୁଛି ବୋଲି ଚାଷୀମାନେ କ୍ଷୋଭର ସହ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ । ବ୍ଲକରେ ଶହ ଶହ କ୍ଵିଣ୍ଟାଲ ହଳଦୀ ସଂଗ୍ରହ ହେଉଛି । କିନ୍ତୁ ପ୍ରଶାସନ ପକ୍ଷରୁ କ୍ରୟ ବ୍ୟବସ୍ଥା ଏବଂ ମିଲ ନ ଥିବାରୁ ଆସୁଥିବା ରାସାୟନିକ ମିଶ୍ରିତ ହଳଦୀ ଗୁଣ୍ଡ କିଣି ବ୍ୟବହାର କରୁଛୁ ବୋଲି ଗ୍ରାମବାସୀ କହିଛନ୍ତି। ଏ ସମ୍ପର୍କରେ ବ୍ଲକ କୃଷି ଉଦ୍ୟାନ ଅଧିକାରୀ ସୌରଭ କୁମାର ପାଣିଗ୍ରାହୀଙ୍କୁ ଯୋଗାଯୋଗ କରିଥିଲୁ।
ସେ କହିଛନ୍ତି ଯେ, ଚଳିତ ବର୍ଷ ଉଦ୍ୟାନ ବିଭାଗ ପକ୍ଷରୁ ୪୦ଏକର ଜମିରେ ହଳଦୀ ଚାଷ ପାଇଁ ବିହନ ଯୋଗାଇ ଦିଆ ଯାଇଛି । ଏକର ପିଛା ୩୦କ୍ଵିଣ୍ଟାଲ ପର୍ଯ୍ୟନ୍ତ ହଳଦୀ ବାହାରି ଥାଏ ବୋଲି କହିଛନ୍ତି । ଆମ ବିଭାଗ ପକ୍ଷରୁ ଭଲ ହଳଦୀ ଚାଷ ପାଇଁ ଚାଷୀକୁ ପରାମର୍ଶ ମଧ୍ୟ ଦିଆଯାଉଛି । ହଳଦୀ ସଂଗ୍ରହ କଲେ ଚାଷୀମାନେ ନିଜେ ନିଜେ, ହାଟ ବଜାରମାନଙ୍କରେ ବିକ୍ରି କରି ଦେଉଛନ୍ତି । ଆମ ବିଭାଗ ପକ୍ଷରୁ ହଳଦୀ କିଣିବା ବ୍ୟବସ୍ଥା ନାହିଁ ବୋଲି କହିଛନ୍ତି । କିନ୍ତୁ ଜିଲ୍ଲା ପ୍ରଶାସନ ଦୃଷ୍ଟି ଆକର୍ଷଣ କରି ବ୍ଲକରେ ହଳଦୀ କ୍ରୟ ବ୍ୟବସ୍ଥା ଓ ହଳଦୀ ଚୂନା ମିଲ କରିବା ଲାଗି ଅଞ୍ଚଳବାସୀ ଦାବି କରିଛନ୍ତି ।