ନୂଆଦିଲ୍ଲୀ,୧୯/୦୪; ଫୋନକୁ ସ୍ୱିଚ୍ ଅଫ୍ କରିଦିଅ । ଏହାପରେ ‘ବିବି’ଙ୍କୁ ବ୍ଲକ୍ କରି ନିଶ୍ଚିନ୍ତରେ ଶୋଇପଡ଼ । ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ଙ୍କୁ ଏଭଳି ପରାମର୍ଶ ଦେଇ କଟାକ୍ଷ କରିଛି ଇରାନ । ପଶ୍ଚିମ ଏସିଆରେ ସୃଷ୍ଟ ବିବାଦ ପାଇଁ ଇସ୍ରାଏଲ୍‌ର ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତନ୍ୟାହୁ ଓରଫ ବିବିଙ୍କୁ ଦାୟୀ କରି ଇରାନ ଏହା କହିଛି । ହୋର୍ମୁଜ ପ୍ରଣାଳୀକୁ ନେଇ ଆମେରିକା ଓ ଇରାନ ମଧ୍ୟରେ ବିବାଦ ଥମିବା ନାଁ ଧରୁନାହିଁ । ପୁଣି ଦୁଇଦେଶ ଯୁଦ୍ଧମୁହାଁ ହେଉଛନ୍ତି । ହୋର୍ମୁଜକୁ ଶୁକ୍ରବାର ଇରାନ ଖୋଲିଦେଇଥିଲା । ଯୁଦ୍ଧବିରତି ପର୍ଯ୍ୟନ୍ତ ଖୋଲାରହିବ ବୋଲି କହିଥିଲା । କିନ୍ତୁ ଆମେରିକୀୟ ଅବରୋଧ ନ ହଟିବାରୁ ଇରାନ ପୁଣି ହୋର୍ମୁଜକୁ ବନ୍ଦ କରିଦେଇଛି । ଫଳରେ ଏହି ଜଳମାର୍ଗ ଦେଇ ଜାହାଜ ଚଳାଚଳ ଠପ୍ ହୋଇଯାଇଛି । ଏହାଯୋଗୁ ଶକ୍ତି ସଙ୍କଟ ଆହୁରି ଘନେଇବାକୁ ଯାଉଛି ।

ଜିମ୍ବାୱେରେ ଅବସ୍ଥାପିତ ଇରାନର ଦୂତାବାସ ପକ୍ଷରୁ ‘ଏକ୍ସ’ ଜରିଆରେ ଟ୍ରମ୍ପ୍‌ଙ୍କୁ କଟାକ୍ଷ କରାଯାଇଛି । ଏଥିରେ ଟ୍ରମ୍ପ୍‌ଙ୍କୁ ୪ଟା ପରାମର୍ଶ ଦିଆଯାଇଛି । ପ୍ରଥମ ପରାମର୍ଶରେ କୁହାଯାଇଛି, ନିଜକୁ ଅତ୍ୟଧିକ ଖୁସି ବୋଲି ବାହାରକୁ ଦେଖାଇବାକୁ ଚେଷ୍ଟା କରନାହିଁ । ସାମାନ୍ୟତମ ସମ୍ମାନକୁ ଜଗ । ଦ୍ୱିତୀୟତଃ, ଇରାନ ଅଧିକୃତ ହୋର୍ମୁଜ ପ୍ରଣାଳୀ ଉପରେ ନ୍ୟାୟିକ ମାଲିକାନା ହାତେଇବା କଥା ଆଦୌ ଭାବନାହିଁ । ଆମେ ଏହାର ସମାଧାନ କରିବୁ । ତୃତୀୟତଃ, ନିଜ ଫୋନକୁ ବନ୍ଦ କରି ବିବିଙ୍କୁ ଗୋଟିଏ ସପ୍ତାହ ପାଇଁ ବ୍ଲକ୍ କରିଦିଅ । ଶେଷରେ ରାତିରେ ହାଲୁକା ଖାଦ୍ୟ ଖାଇ ଶାନ୍ତିରେ ଶୋଇପଡ଼ । ଏହା ପୂର୍ବରୁ ଶୁକ୍ରବାର ଆମେରିକା ରାଷ୍ଟ୍ରପତି ଟ୍ରମ୍ପ୍ ହୋର୍ମୁଜ ପ୍ରଣାଳୀକୁ ନେଇ ବଡ଼ ବୟାନ ଦେଇଥିଲେ । କହିଥିଲେ, ହୋର୍ମୁଜକୁ ଆଉ ବନ୍ଦ କରିବ ନାହିଁ ବୋଲି ଇରାନ ରାଜି ହୋଇଛି । ଏହାକୁ ସବୁବେଳେ ଖୋଲା ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ହୋଇଛି । ଏଥିସହ ଭବିଷ୍ୟତରେ କୌଣସି ବିବାଦ ହେଲେ ହୋର୍ମୁଜକୁ ମୋହରା ଭାବେ ବ୍ୟବହାର ନ କରିବାକୁ କଥା ଦେଇଛି । ଟ୍ରମ୍ପଙ୍କ ଏହି ବୟାନର ଦିନକ ପରେ ଇରାନର ଜିମ୍ବାୱେ ଦୂତାବାସ ତାଙ୍କୁ କଟାକ୍ଷ କରିଛି । ଅଯଥା ବୟାନ ଦେବା ବନ୍ଦ କରି ନିଜ ସମ୍ମାନ ବଞ୍ଚାଇବାକୁ ପରାମର୍ଶ ଦେଇଛି ।

ଏହା ବି ପଢନ୍ତୁ....Hormuz closed; ଭାରତୀୟ ଜାହାଜ ଉପରେ କାହିଁକି ଇରାନ କଲା ହମ୍ଲା ? ଏବେ କହୁଛି ଭାରତ ସହ ମଜବୁତ୍ ସମ୍ପର୍କ...