ବ୍ରହ୍ମପୁର, ୧୨।୭(ବ୍ୟୁରୋ): ଜନଗହଳିପୂର୍ଣ ବ୍ରହ୍ମପୁର ରେଳ ଷ୍ଟେସନ୍। ଯାତ୍ରୀ ନିଜ ଗନ୍ତବ୍ୟସ୍ଥଳକୁ ଯିବାକୁ ବ୍ୟସ୍ତ । ଭିଡ଼ ଭିତରେ ୪ ନମ୍ବର ପ୍ଲାଟଫର୍ମରେ ଅଚେତ ହୋଇ ପଡ଼ିଥିଲେ ଜଣେ ମହିଳା ଓ ପୁରୁଷ । ଶନିବାର ଅପରାହ୍ନରେ ଏଭଳି ଦୃଶ୍ୟ ଦେଖି କିଛି ଯାତ୍ରୀ ବ୍ରହ୍ମପୁର ଜିଆର୍ପି ଥାନାକୁ ସୂଚନା ଦେଇଥିଲେ। ପୁଲିସ ପହଞ୍ଚି ଦେଖିବା ବେଳକୁ ଉଭେୟ ମୃତ । ପୁରୁଷର ବୟସ ପ୍ରାୟ ୬୨ବର୍ଷ ଓ ମହିଳାଙ୍କ ବୟସ ୫୫ବର୍ଷ ହେବ ବୋଲି ଅନୁମାନ କରାଯାଉଛି । ଉଭୟଙ୍କ ବ୍ୟାଗରୁ ବିଷ ପାଉଚ୍ ମିଳିଥିବାରୁ ସେମାନେ ବିଷ ଖାଇ ଜୀବନ ହାରିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ପରିଚୟ ମିଳିପାରି ନାହିଁ ।
ମୃତଦେହ ପୁଲିସ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନା ପଠାଇଛି । ସେମାନଙ୍କ ପରିଚୟ ଖୋଜାଯାଉଛି । ପରିଚୟ ମିଳିବା ପରେ ଶବ ବ୍ୟବଚ୍ଛେଦ କରାଯିବ । ପରିଚୟ ନମିଳିଲେ ୭୨ଘଣ୍ଟା ପରେ ଉଭୟଙ୍କ ଶବ ବ୍ୟବଚ୍ଛେଦ ହେବ ବୋଲି କହିଛନ୍ତି ଜିଆର୍ପି ଭାରପ୍ରାପ୍ତ ଥାନା ଅଧିକାରୀ ବିକାଶ ପଲେଇ। ଉଭୟଙ୍କ ବ୍ୟାଗ୍ ଜବତ ହୋଇଛି ଏବଂ ଦୁଇଟି କୀଟନାଶକ ପାଉଚ୍ ମଧ୍ୟ ଜବତ ହୋଇଥିବା ସେ କହିଛନ୍ତି। ସେମାନଙ୍କ ପାଖରେ କୀଟନାଶକ ପାଉଚ୍ ପଡିଥିବାରୁ ତାହା ସେମାନେ ଆଣିଥିଲେ ଏବଂ ସେମାନେ ତାହା ଖାଇ ଆତ୍ମହତ୍ୟା କରିଥିବା ସନ୍ଦେହ କରାଯାଉଛି। ସେମାନଙ୍କ ପରିଚୟ ମିଳିନଥିବାରୁ ପ୍ରକୃତ କାରଣ ଜଣାପଡିନାହିଁ ଏବଂ ବିଭିନ୍ନ ଦୃଷ୍ଟିକୋଣରୁ ଏହାର ତଦନ୍ତ ଜାରି ରହିଛି ବୋଲି କହିଛନ୍ତି।
ସେମାନେ ସକାଳ ୮ଟାରେ ପ୍ଲାଟଫର୍ମ ଟିକଟ ନେଇଛନ୍ତି। ପ୍ରାୟ ୮ଟା ୪୦ରେ ୪ ନମ୍ବର ପ୍ଲାଟଫର୍ମକୁ ଆସିଛନ୍ତି। ଉଭୟେ ଗୋଟିଏ ଜାଗାରେ ବସିଥିଲେ । ପରବର୍ତ୍ତୀ ସମୟରେ ସେମାନଙ୍କୁ ଅଚେତ ଅବସ୍ଥାରେ ଦେଖିବାକୁ ମିଳିଥିଲା। ଉଭୟଙ୍କ ଫଟୋ ବିଭିନ୍ନ ଥାନାକୁ ପଠାଯାଇଛି । ପରିଚୟ ମିଳିବା ପରେ ସେମାନେ କାହିଁକି ବିଷ ଖାଇଲେ ଜଣାପଡିବ ବୋଲି ଆଇଆଇସି କହିଛନ୍ତି। ଅନ୍ୟପକ୍ଷରେ ଉଭୟଙ୍କୁ କେହି ନିଶା ଦେଇ ହତ୍ୟା କରିଥିବା ବି ସନ୍ଦେହ କରାଯାଉଛି। କିନ୍ତୁ ସିସିଟିଭି ଫୁଟେଜ୍ରେ ସେମିତି କିଛି ଦେଖିବାକୁ ମିଳିନଥିବାରୁ ପୁଲିସ ପ୍ରାଥମିକ ଭାବେ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି।