ଫିରିଙ୍ଗିଆ,୧୫/୧୨ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଥାନା ମାସିରୀପଡା ନିକଟରେ ନୂତନ ଭାବରେ ନିର୍ମାଣ ହେଉଥିବା ପେଟ୍ରୋଲ ପମ୍ପ ନିକଟରେ ଏକ ଅଜଣା ବୋଲେରୋ ଧକ୍କାରେ ଦୁଇଜଣ ବାଇକ ଆରୋହୀ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି I ଆହତ ବାଇକ ଆରୋହୀ ଜଣଙ୍କ ମଧ୍ୟରେ ଜଣେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ତୁମୁଡିବନ୍ଧ ବ୍ଲକ କୃତମଗଡ଼ର ନଥମ ମାଝୀ ବୋଲି ଜଣାପଡିଥିବା ବେଳେ ଅନ୍ୟଜଣେ ଇନ୍ଦିରୀମାହା ଗାଁ ର ସନାତନ ଦିଗାଲ ବୋଲି ସୂଚନା ରହିଛି । ସୂଚନା ଅନୁସାରେ ସୋମବାର ଦିନ ୧୧ ଟା ସମୟରେ ଏକ ବାଇକରେ ଏହି ଦୁଇ ବାଇକ ଆରୋହୀ ଫୁଲବାଣୀରୁ କାମ ସାରି ଫେରୁଥିବା ସମୟରେ ଫୁଲବାଣୀ ବାଲିଗୁଡା ମୁଖ୍ୟ ରାସ୍ତାର ମାସିରୀପଡା ପେଟ୍ରୋଲ ପମ୍ପ ବିକଟରେ ବିପରୀତ ଦିଗରୁ ଦ୍ରୁତ ଗତିରେ ଆସୁଥିବା ଏକ ଅଜଣା ବୋଲେରୋ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଛି I ଏହି ସମୟରେ ଫିରିଙ୍ଗିଆ ବ୍ଲକ ବିଜେଡି ସଭାପତି ତଥା ରତଙ୍ଗ ପଞ୍ଚାୟତର ପୂର୍ବତନ ସରପଞ୍ଚ ରଜନୀକାନ୍ତ ମଲିକ ଦୁର୍ଘଟଣାରେ ଆହତ ହୋଇ ରାସ୍ତା କଡରେ ପଡିରହିଥିବା ବାଇକ ଆରୋହୀଙ୍କୁ ଦେଖି ଅଗ୍ନିଶମ ବାହିନୀଙ୍କୁ ଯୋଗାଯୋଗ କରିଥିଲେ I ପରେ ଘଟଣା ସ୍ଥଳରେ ଅଗ୍ନିଶମ ବାହିନୀର କର୍ମଚାରୀ ମାନେ ପହଂଚି ଉଭୟ ଆହତ ମାନଙ୍କୁ ଉଦ୍ଧାର କରି ଫିରିଙ୍ଗିଆ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତି କରିଥିଲେ I ପରେ ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିବାରୁ ସେମାନଙ୍କୁ ଫିରିଙ୍ଗିଆରୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି I